କନକ ବ୍ୟୁରୋ: କେନ୍ଦୁଝର ସହର ନିକଟସ୍ଥ ନରଣପୁର ପଞ୍ଚାୟତରେ ବିଶ୍ୱର ସର୍ବବୃହତ ଅର୍ଦ୍ଧନାରୀଶ୍ୱର ଶିବପାର୍ବତୀଙ୍କ ମୂର୍ତ୍ତି ଉନ୍ମୋଚିତ ହୋଇଛି । ଘଡଘଡି ପାହାଡ଼ରେ ଥିବା କପିଳେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଏହି ସର୍ବବୃହତ ମୂର୍ତ୍ତିର ପ୍ରତିଷ୍ଠା ହୋଇଛି । ଉକ୍ତ ଅର୍ଦ୍ଧନାରୀଶ୍ୱର ମୂର୍ତ୍ତିର ଉଚ୍ଚତା ପ୍ରାୟତଃ ୪୪ ଫୁଟ ହୋଇଥିବା ବେଳେ ସ୍ଥାନୀୟ ମୂର୍ତ୍ତିକାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି । ଏହି ମୂର୍ତ୍ତି ନିର୍ମାଣରେ ପ୍ରାୟ ୮ ଲକ୍ଷ ୭୪ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୩ ମାସ ମଧ୍ୟରେ ଏହି ମୂର୍ତ୍ତି କାମ ଶେଷ ହୋଇଛି ।

Advertisment

ସହର ନିକଟରେ ଥିବା ଉକ୍ତ ସ୍ୱୟମ୍ଭୁ ଶିବ ମନ୍ଦିର ଜିଲ୍ଲାର ଏକ ପୁରାତନ ଶିବ ମନ୍ଦିର ଭାବେ ପରିଚିତ । ଜରାଜୀର୍ଣ୍ଣ ଥିବା ଉକ୍ତ ମନ୍ଦିର ପରିସର ସ୍ଥାନୀୟ ଜନସାଧାରଣ ଦ୍ୱାରା ପୁନଃ ଉନ୍ନତିକରଣ କରାଯାଉଥିବା ବେଳେ ଉକ୍ତ ମୂର୍ତ୍ତି ଏଥିରେ ସାମିଲ କରାଯାଇଛି । ଏହି ମୂର୍ତ୍ତି ସହ ମନ୍ଦିର ମଧ୍ୟରେ ବହୁ ନୂତନ ମନ୍ଦିର ଓ ପାର୍କ ର ନିର୍ମାଣ କାର୍ୟ୍ୟ ଜାରି ରହିଛି । ଏହି ମୂର୍ତି ଉନ୍ମୋଚିତ ହେବା ପରେ ଉକ୍ତ ମନ୍ଦିର ଓ ମୂର୍ତ୍ତି ଦେଖିବାକୁ ଭକ୍ତଙ୍କ ଭିଡ଼ ଲାଗିଛି । ପ୍ରତିବର୍ଷ ଶିବରାତ୍ରିରେ ଲକ୍ଷାଧିକ ଭକ୍ତଙ୍କ ସମାବେଶ ହେଉଥିବା ବେଳେ ଚଳିତ ବର୍ଷ ଅଧିକ ସଂଖ୍ୟକ ଭକ୍ତ ସମାବେଶ ହେବେ ବୋଲି ମନ୍ଦିର କମିଟି ପକ୍ଷରୁ ଆଶା କରାଯାଇଛି ।