କନକ ବ୍ୟୁରୋ: ସୌମ୍ୟ ରଂଜନଙ୍କୁ ଦଳରୁ ବହିଷ୍କାର କରାଯିବାର କାରଣ ଜନବିରୋଧୀ ଦର୍ଶାଇଛି ବିଜେଡି । କିନ୍ତୁ ସୌମ୍ୟରଂଜନ, ସବୁ ସୁଖ, ସୁବିଧାକୁ ପଛରେ ପକାଇ ଓଡିଶା ପାଇଁ ଯାହା କରିଛନ୍ତି ବୋଧହୁଏ, ଭୁଲିଯାଇଛି ଶାସକ ଦଳ । ଯିଏ ଓଡିଶା ଭାଷାର ପ୍ରଚାର ପ୍ରସାର, ମାଟିର ସ୍ୱାଭିମାନ ପାଇଁ ଲଢେଇ କରି ଆସୁଛନ୍ତି, ରକ୍ତଦାନକୁ ଏକ ଆନ୍ଦୋଳନରେ ପରିଣତ କରିଛନ୍ତି । ତାଙ୍କୁ ଜନବିରୋଧୀ ଦର୍ଶାଇବା ବିଜେଡିର ଆକ୍ରୋଶକୁ ପଦାରେ ପକାଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଯେତେବେଳେ ପ୍ରତିଶୋଧ ଏକମାତ୍ର ଲକ୍ଷ୍ୟ ହୋଇଯାଏ, ସେତେବେଳେ ହିତାହିତ ଜ୍ଞାନ ହଜିଯାଏ । ଆଜି ବିଜେଡିର ଆଭିମୁଖ୍ୟ ଠିକ୍ ସେହିଭଳି ହୋଇଛି । ଯେଉଁ ବ୍ୟକ୍ତି ନିଜ ଉଦ୍ୟମରେ ଓଡ଼ିଶାର ଅସ୍ମିତା, ସ୍ୱାଭିମାନ ଓ ଓଡ଼ିଆ ଭାଷାର ସୁରକ୍ଷା ଓ ପ୍ରଚାର ପ୍ରସାର ପାଇଁ ଜୀବନ ବ୍ୟାପୀ ସାଧନା କରିଛନ୍ତି, ତାଙ୍କୁ ଦଳରୁ ବାହାର କରିବା ପାଇଁ ଅନ୍ୟ ବାଟ ନପାଇ ଜନବିରୋଧୀ ଭଳି ଶବ୍ଦ ପ୍ରୟୋଗ କରିଛି ବିଜେଡି । ପ୍ରତିଶୋଧର ଏହି ଶବ୍ଦ ପ୍ରୟୋଗ ପୂର୍ବରୁ ଥରେ ଭାବିବାର ଥିଲା, ଏହି ଜାତିର ଗର୍ବ ଓ ଗୌରବ ରକ୍ଷା ପାଇଁ କ’ଣ ସବୁ କରିଛନ୍ତି ସୌମ୍ୟରଂଜନ ପଟ୍ଟନାୟକ ।
ସୌମ୍ୟରଂଜନ
ଜଣେ ବ୍ୟକ୍ତି ନୁହେଁ, ଏକ ଅନୁଷ୍ଠାନ
ବ୍ୟକ୍ତିଗତ ଉଦ୍ୟମରେ ସୌମ୍ୟରଂଜନ ଯାହା କରି ପାରିଛନ୍ତି, ତାହା ଅନନ୍ୟ । ଓଡ଼ିଶା ଇତିହାସରେ ଜଣେ ବ୍ୟକ୍ତି ବା ଗୋଟିଏ ଅନୁଷ୍ଠାନର ଏପରି ଅବଦାନ ବିରଳ । ରକ୍ତ ଅଭାବରୁ ଯେପରି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ନହୁଏ, ଏହାକୁ ଦୃଷ୍ଟିରେ ରଖି ରକ୍ତଦାନକୁ ଏକ ଜନଆନ୍ଦୋଳନରେ ପରିଣତ କରିଛନ୍ତି ସୌମ୍ୟରଜଂନ । ଓଡ଼ିଆ ଭାଷାର ସୁରକ୍ଷା ଓ ପ୍ରଚାର ପ୍ରସାର ପାଇଁ ସେ ଯେଉଁ ପଦକ୍ଷେପ ନେଇଛନ୍ତି, ତାକୁ ଯେତେ ପ୍ରଶଂସା କଲେ ଯଥେଷ୍ଟ ହେବ ନାହିଁ । ଆମ ଓଡ଼ିଶା, ସମ୍ବାଦ, କନକ ନ୍ୟୁଜ୍, ରେଡିଓ ଆଦି ଅନୁଷ୍ଠାନ ଗଢ଼ି ସାମାଜିକ ଆନ୍ଦୋଳନକୁ ଆଗକୁ ନେଇଛନ୍ତି ।
ରାଜ୍ୟବ୍ୟାପୀ ରକ୍ତଦାନ ଶିବିର ଆୟୋଜନ କରିଆସୁଛି ଆମ ଓଡ଼ିଶା
ରାଜ୍ୟର ରକ୍ତଭଣ୍ଡାରକୁ ପରିପୂର୍ଣ୍ଣ କରିବାରେ ରହିଛି ତାଙ୍କର ଉଦ୍ୟମ
ଓଡ଼ିଆ ଭାଷା ପ୍ରତି ତାଙ୍କର ଅବଦାନ ଅନନ୍ୟ
ସାରା ରାଜ୍ୟରେ ଗଢ଼ିଛନ୍ତି ସାହିତ୍ୟ ଘର
ଆମ ଓଡ଼ିଶା ପକ୍ଷରୁ ପ୍ରକାଶ ପାଇଛି ଶହ ଶହ ଓଡ଼ିଆ ପୁସ୍ତକ
ଓଡ଼ିଆ ଭାଷାର ଗାରିମା ବଢ଼ାଇଛନ୍ତି ସୌମ୍ୟରଂଜନ
ରାଜ୍ୟସ୍ତରୀୟ ପ୍ରତିଭା ଅନ୍ୱେଷଣ ପାଇଁ ଜାରି ରହିଛି ନିରନ୍ତର ଉଦ୍ୟମ
ମାଟ୍ରିକ ଓ +୨ ଛାତ୍ରଛାତ୍ରୀଙ୍କୁ ସମ୍ମାନ ଓ ବୃତ୍ତି ପ୍ରଦାନ
ଓଡ଼ିଶାର ସମ୍ବାଦପତ୍ରକୁ ଶିଳ୍ପର ମାନ୍ୟତା ଦେବାରେ ରହିଛି ପ୍ରମୁଖ ଭୂମିକା
ରାଜ୍ୟରେ ସାମ୍ବାଦିକଙ୍କ ସମ୍ମାନ ବୃଦ୍ଧି ପାଇଁ ତାଙ୍କର ଅବଦାନ ଅନନ୍ୟ
ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରାୟ ୧୦ ହଜାର ଲୋକଙ୍କୁ ଦେଇଛନ୍ତି ରୋଜଗାର
ସାମାଜିକ ସଂଗଠନ ଜରିଆରେ ଜନ ଜାଗରଣ କରି ଆସିଛନ୍ତି ସୌମ୍ୟରଂଜନ
ଓଡ଼ିଆ ଜାତି ପାଇଁ ସୌମ୍ୟରଂଜନଙ୍କ ଅବଦାନର ତାଲିକା ବେଶ ଲମ୍ବା । ହେଲେ ଦୁଇଟି ସଂପାଦକୀୟ ଆଲେଖ୍ୟରେ ରାଜ୍ୟର ବିଚିତ୍ର ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇବା ପରେ ପ୍ରତିଶୋଧ ପାଇଁ ରକ୍ତଚାଉଳ ଚୋବାଉଛି ବିଜେଡି । ସଚିବ ବଡ଼ କି ମନ୍ତ୍ରୀ ବଡ଼, ଲୋକଙ୍କ ମନରେ ଉଠୁଥିବା ଏହି ପ୍ରଶ୍ନ ପଚାରିବାରୁ ଦଳରୁ ବାହାର କରି ଦିଆଯାଇଛି । ଜଣେ ଜନସେବକଙ୍କୁ ଜନବିରୋଧୀର ଆଖ୍ୟା ଦେବାକୁ ବି ପଛାଇ ନାହିଁ ବିଜେଡି । ପ୍ରତ୍ୟେକ ସ୍ୱାଭିମାନୀ ଓଡ଼ିଆ, ଏଭଳି ଆକ୍ଷେପରେ ମର୍ମାହତ ।