ବଦଳିଲା କ୍ୟାମ୍ପସ ରାଜନୀତିର ରୂପରେଖ। ନିର୍ବାଚନ ନୁହେଁ ଏଥର ‘କ୍ୟାମ୍ପସ କମିଟି’

102

କନକ ବ୍ୟୁରୋ: ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜରେ କ୍ୟାମ୍ପସ କମିଟି ଗଠନ କରିବାକୁ ଘୋଷଣା କରିଛି ବିଜୁ ଛାତ୍ର ଜନତା ଦଳ । ସବୁ କ୍ୟାମ୍ପସରେ ରହିବେ ୨୬ ଜଣିଆ କମିଟି । ଏଥିରେ ବିଭିନ୍ନ ପଦରେ ଛାତ୍ରଛାତ୍ରୀଙ୍କୁ ରଖାଯାଉଛି । ଜଣେ ନିର୍ବାଚିତ ପ୍ରତିନିଧି ଯେଉଁ କାମ କରୁଥିଲେ, ବିସିଜେଡିର କ୍ୟାମ୍ପସ କମିଟିରେ ରହିଥିବା ଛାତ୍ରଛାତ୍ରୀ ଏହି କାମ କରିବେ ।  ଅର୍ଥାତ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ପିଲାଙ୍କ ନିକଟରେ ପହଞ୍ଚାଇବା ସହ ଛାତ୍ରଛାତ୍ରୀଙ୍କ  ବିଭିନ୍ନ ସମସ୍ୟା ବୁଝିବ ଏହି କ୍ୟାମ୍ପସ କମଟି ।

ସେପଟେ  ପଛରେ ପଡିନାହାନ୍ତି ଛାତ୍ର କଂଗ୍ରେସ ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ।  ଉଭୟ ସଙ୍ଗଠନ  କ୍ୟାମ୍ପସ ୟୁନିଟ ଗଠନ କରି ଛାତ୍ରଛାତ୍ରୀଙ୍କ ସମସ୍ୟାରେ ଭାଗିଦାର ହୋଇ ସମସ୍ୟାର ସମାଧାନ ପାଇଁ  ଯୋଜନା  ପ୍ରସୁତ କରିଛନ୍ତି । ଛାତ୍ର କଂଗ୍ରେସ କହିଛି, କ୍ୟାମ୍ପସରେ ଶିକ୍ଷକ ପଦ ପୂରଣ , ନିଶାମୁକ୍ତ କ୍ୟାମ୍ପସ ଓ ଶିକ୍ଷାର ବାତବାରଣ ସୃଷ୍ଟି କରିବା ପାଇଁ ଏହି କ୍ୟାମ୍ପସ କମିଟି କାମ କରିବ । ସେପଟେ ଏବିଭିପି ସଦସ୍ୟ ସଂଗ୍ରହ ଅଭିଯାନ ଜାରିରଖିଛି । ଆଉ ଖୁବଶୀଘ୍ର କ୍ୟାମ୍ପସ ୟୁନିଟ ଗଠନ କରି ଛାତ୍ରଛାତ୍ରୀଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଜାରି ରଖିବ । ତେବେ ନିର୍ବାଚନ ବନ୍ଦକୁ ଉଭୟ ଛାତ୍ର ସଙ୍ଗଠନ ବିରୋଧ କରିଛନ୍ତି । ବିଜୁ ଜନତା ଦଳ ନିର୍ବାଚନ ହାରିବା ଭୟରେ କ୍ୟାମ୍ପସ ଇଲେକ୍ସନ କରୁନାହିଁ ବୋଲି ଅଭିଯୋଗ କରିଛନ୍ତି । ଆଉ ଏହାର ଉତ୍ତର ରଖିଛି ବିଜୁ ଛାତ୍ର ଜନତା ଦଳ ।

ଏବେ ନିର୍ବାଚନ ବିକଳ୍ପ ହୋଇଛି କ୍ୟାମ୍ପସ କମିଟି । ଆଉ ଏଥିପାଇଁ ପୂଜାପୂର୍ବରୁ ଶିକ୍ଷାନୁଷ୍ଠାନଗୁଡିକରେ ବାତାବରଣ ବି ସରଗରମ ହୋଇଛି । ତେବେ ଆଗକୁ ଆଉ ଛାତ୍ର ସଂସଦ ନିର୍ବାଚନ ହେଉଛି କି ନାହିଁ ତା ଉପରେ ସମସ୍ତଙ୍କ ନଜର ରହିଛି ।