‘ଗୁଲାବ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି । ପଢନ୍ତୁ, କେଉଁ କେଉଁ ଜିଲ୍ଲା ରହିବେ ସତର୍କ…

151

କନକ ବ୍ୟୁରୋ: ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଗୋପାଳପୁର ଓ ଆନ୍ଧ୍ରର କଳିଙ୍ଗପଟ୍ଟନମ ମଧ୍ୟରେ ବାତ୍ୟାର କେନ୍ଦ୍ର ବଳୟ ସ୍ଥଳ ଭାଗକୁ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ବାତ୍ୟାର କେନ୍ଦ୍ରସ୍ଥଳ, ଉପକୂଳ ଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ରହିଛି । ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଜୟ ମହାପାତ୍ର କହିଛନ୍ତି, ଲ୍ୟାଣ୍ଡଫଲ ପ୍ରକ୍ରିୟା ପ୍ରାୟ ୩ ଘଣ୍ଟା ଧରି ଜାରି ରହିବ । ଲ୍ୟାଣ୍ଡଫଲ ପ୍ରକ୍ରିୟା ରାତି ୯ଟାରୁ ୯ଟା ୩୦ ମଧ୍ୟରେ ଶେଷ ହେବ ବୋଲି ସୂଚନା ମିଳିଛି । ବାତ୍ୟାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର ପ୍ରଦେଶରେ ବର୍ଷା ଆରମ୍ଭ ହୋଇଯାଇଛି । ପବନର ଗତି ମଧ୍ୟ ଧୀରେ ଧୀରେ ବଢିବାରେ ଲାଗିଛି । ସର୍ବାଧିକ ୯୫ କିଲୋମିଟର ବେଗରେ ପବନର ଝଟକା ଅନୁଭୂତ ହୋଇପାରେ । ସମୁଦ୍ର ଆଶାନ୍ତ ହୋଇଉଠିଛି । ଗୋପାଳପୁର, ପୁରୀ, ପାରାଦୀପ ଓ ଧାମରାରେ ବିପଦ ସଙ୍କେତ ଦିଆଯାଇଛି । ଉପକୂଳ ଓଡ଼ିଶାରେ ମଧ୍ୟ ବର୍ଷା ଜାରି ରହିଛି ।

ତେବେ ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି ବାତ୍ୟା ଗୁଲାବର ବଡ ପ୍ରଭାବ ପଡି ନପାରେ । ଲ୍ୟାଣ୍ଡଫଲ ପ୍ରକ୍ରିୟା ୬ଟାରୁ ଆରମ୍ଭ ହୋଇଛି ଓ ଏହା ୯ଟା ୩୦ ମଧ୍ୟରେ ସରିବ । ବର୍ତ୍ତମାନ ସୁଦ୍ଧା ୧୬ ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ପ୍ରାୟ ୬ ଶହ ପ୍ରସ୍ତୁତି ଓ ବୃଦ୍ଧବୃଦ୍ଧାଙ୍କୁ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡିକରେ କମ ବର୍ଷା ହୋଇଛି ।  ବର୍ଷା ଓ ପବନ ଅଧିକ ହୋଇନଥିବାରୁ ଲୋକେ ନିରାପଦ ସ୍ଥାନକୁ ଯିବାକୁ ଇଛାପ୍ରକାଶ କରିନାହାନ୍ତି ।  ୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ଗଜପତି ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ପ୍ରଶାସନିକ ଅଧିକାରୀ ସଜାଗ ଅଛନ୍ତି ।

ପାଣିପାଗ ସଂସ୍ଥା ୱିଣ୍ଡିର ଆକଳନ ମଧ୍ୟ ଆଇଏମଡି ଆକଳନ ଭଳି ରହିଛି । ସଂଧ୍ୟା ୬ରୁ ୭ଟା ମଧ୍ୟରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଅର୍ଥାତ୍ ବାତ୍ୟାର କେନ୍ଦ୍ର ବଳୟ ସ୍ଥଳ ଭାଗ ଛୁଇଁବା ଆରମ୍ଭ କରିଛି । ଆନ୍ଧ୍ରପ୍ରଦେଶର କୋଟ୍ଟାପେଟା ନିକଟରେ ସ୍ଥଳ ଭାଗରେ ମାଡ଼ ହେଉଛି ବାତ୍ୟା । ଲ୍ୟାଣ୍ଡଫଲର ସଂପୂର୍ଣ୍ଣ ପ୍ରକ୍ରିୟା ୨ରୁ ୩ ଘଣ୍ଟା ପର୍ଯ୍ୟନ୍ତ ଚାଲିବ । ରାତି ୧୦ଟା ବେଳକୁ ଗଜପତି ସୀମାନ୍ତ ଆନ୍ଧ୍ରର ମୁଖାଲିଙ୍ଗମ ମଧ୍ୟ ଦେଇ ଗତି କରୁଥିବ । ରାତି ୧୧ଟା ପରୋ ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗିବ ବାତ୍ୟା ଗୁଲାବ । କିନ୍ତୁ ଏହାର ପ୍ରଭାବରେ ଗଜପତି ଓ ଗଂଜାମ ଜିଲ୍ଲାରେ ପବନ ସହ ପ୍ରବଳ ବର୍ଷା ହେବ ।

ବାତ୍ୟା ‘ଗୁଲାବ’ ପ୍ରଭାବରେ ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ର ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି ।  ଆସନ୍ତାକାଲି  ୨ଟା ଯାଏଁ  ୭ ଜିଲ୍ଲାରେ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ୭ ଜିଲ୍ଲା ହେଲା  ଗଞ୍ଜାମ, ଗଜପତି, କନ୍ଧମାଳ,ରାୟଗଡା,ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ।  ଏହି ଜିଲ୍ଲାଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି । ସେହିଭଳି  ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡିକ ହେଲା ପୁରୀ, ଖୋର୍ଦ୍ଧା, ନୟାଗଡ ଏବଂ କନ୍ଧମାଳ । ଏହି ଜିଲ୍ଲାଗୁଡିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ଚେତାବନୀ ଦେଇଛି ପାଣିପାଗ ବିଭାଗ । ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର କଟକ ବୌଦ୍ଧ, ସୋନପୁର, ବଲାଙ୍ଗୀର ଏବଂ ନୂଆପଡା । ୨୪ ଘଣ୍ଟା ପାଇଁ ଏହି ୱାର୍ଣ୍ଣିଂ ଜାରି ହୋଇଛି । ସେହିଭଳି ଆଜି ବିଳମ୍ବିତ ରାତି ସୁଦ୍ଧା ଦକ୍ଷିଣ ଓଡିଶାର ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପବନ ବେଗ ଘଣ୍ଟା ପ୍ରତି ୭୫ରୁ ୮୫ କିଲୋମିଟର ହୋଇପାରେ । ସମୟ ସମୟରେ ପବନର ବେଗ ୯୫ କିଲୋମିଟର ବି ଛୁଇଁପାରେ ।