କରୋନା ଟିକାକୁ ନେଇ ଚମକାଇ ଦେଲା ଭଳି ଲ୍ୟାନସେଟ ରିପୋର୍ଟ । ସ୍ୱାସ୍ଥ୍ୟ ପତ୍ରିକା କହିଲା, ଭାରତ ପ୍ରଜାତି ଭୂତାଣୁ ବିରୋଧରେ ସୁରକ୍ଷା ଦେଇପାରିବ ତୃତୀୟ ଡୋଜ୍

768

କନକ ବ୍ୟୁରୋ : କରୋନା ବିରୋଧୀ ଟିକାର ଦୁଇଟି ଡୋଜ୍ ନେଇଥିବା ବୟସ୍କଙ୍କୁ ତୃତୀୟ ଡୋଜ୍ ଆବଶ୍ୟକ ହୋଇପାରେ । ସ୍ୱାସ୍ଥ୍ୟ ସଂପର୍କିତ ଅନ୍ତର୍ଜାତୀୟ ପତ୍ରିକା ‘ଲାନସେଟ୍’ରେ ଏଭଳି ରିପୋର୍ଟ ପ୍ରକାଶ ପାଇଛି । ବିଶେଷଜ୍ଞ ଡାକ୍ତରଙ୍କ କହିବା ହେଲା ଭାରତ ପ୍ରଜାତିର ଭୂତାଣୁ ‘ଡେଲଟା’ ବିରୋଧରେ ସୁରକ୍ଷା ପାଇଁ କରୋନା ଟିକାର ଏକ ତୃତୀୟ ଡୋଜ୍ ଆବଶ୍ୟକ ହେବ । ଯଦିଓ ଆମେରିକା ପ୍ରସ୍ତୁତ ଫାଇଜର ଟିକା ବାବଦରେ ଏହି ତଥ୍ୟ ଦିଆଯାଇଛି । ଅର୍ଥାତ ଯେଉଁ ବୟସ୍କମାନେ ଫାଇଜର ଟିକାର ଦୁଇଟି ଡୋଜ୍ ନେଇଛନ୍ତି, ସେମାନଙ୍କୁ ଭାରତ ପ୍ରଜାତିର ଡେଲଟା ଭୂତାଣୁ ବିରୋଧରେ ସୁରକ୍ଷା ପାଇଁ ଆଉ ଗୋଟିଏ ଡୋଜ୍ ନେବାକୁ ପଡିପାରେ ।

କାରଣ ଏକାଧିକ ବ୍ୟକ୍ତିଙ୍କ ଉପରେ ଗବେଷଣା କରି ଦେଖାଯାଇଛି ଯେ, ଫାଇଜର ଟିକାର ଦୁଇଟି ଡୋଜ୍ ନେଇଥିଲେ ମଧ୍ୟ ଡେଲଟା ଭୂତାଣୁ ବିରୋଧରେ ଏହା ଆବଶ୍ୟକ ପରିମାଣର ପ୍ରତିରୋଧ ଶକ୍ତି ତିଆରି କରିପାରୁ ନାହିଁ । ତେବେ ଅନ୍ୟ କରୋନା ଟିକା ବିରୋଧରେ ଏହି ପରୀକ୍ଷଣ କରାଯାଇ ନାହିଁ । ତେଣୁ ଆମ ଦେଶରେ ବ୍ୟବହାର ହେଉଥିବା କୋଭିସିଲ୍ଡ ଓ ଦେଶୀ ଟିକା କୋଭାକ୍ସିନର ତୃତୀୟ ଡୋଜ୍ ଆବଶ୍ୟକ ପଡିବ ନା ନାହିଁ, ତାହା ରିପୋର୍ଟରେ କୁହାଯାଇ ନାହିଁ । ପୂର୍ବରୁ କୋଭାକ୍ସିନ ଟିକା ଭାରତ ପ୍ରଜାତିର ଭୂତାଣୁ ବିରୋଧରେ ବେଶ ପ୍ରଭାବୀ ବୋଲି ଦାବି କରିଥିଲା ଏହାର ନିର୍ମାତା ଭାରତ ବାୟୋଟେକ୍ । ଏପରିକି ଦକ୍ଷିଣ ଆଫ୍ରିକା ଓ ବ୍ରିଟେନ ପ୍ରଜାତିର ଭୂତାଣୁ ବିରୋଧରେ ମଧ୍ୟ ଏହା ଆଂଟିବଡି ବା ପ୍ରତିରୋଧ ଶକ୍ତି ତିଆରି କରିବାରେ ସମର୍ଥ ବୋଲି ଦାବି କରାଯାଇଥିଲା ।