୧୭ ଓ ୨୨ରେ ଜଳିବ ଦୀପ: ମୋଦି, ନବୀନଙ୍କ ଆହ୍ୱାନରେ ଲାଗିଲା ରାଜନୀତିର ରଙ୍ଗ

937

କନକ ବ୍ୟୁରୋ: ରାଜନୀତିରେ ଦୀପ ଉତ୍ସବ । ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଲୋକଙ୍କ ଧାର୍ମିକ ଭାବନାକୁ ନେଇ ଧ୍ରୁବୀକରଣ ଉଦ୍ୟମ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମଲଲା ମନ୍ଦିର ପ୍ରତିଷ୍ଠାରେ ସାରା ଦେଶରେ ଦୀପ ଜଳାଇ ଦୀପାବଳି ପାଳିବାକୁ ଆହ୍ୱାନ କରିଥିଲେ । ଆଉ ଏବେ ମୁଖ୍ୟମନ୍ତ୍ରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣର ଦୀପ ଜାଳିବାକୁ ଓଡିଶାବାସୀଙ୍କୁ କହିଛନ୍ତି ।

ବୁଧବାର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଦିନ ଦୀପ ଜାଳିବାକୁ ଇଏ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ । ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ କାର୍ତିକ ଅବାବାସ୍ୟାରେ ପାଳିତ ହୁଏ ଦୀପାବଳି । କିନ୍ତୁ ରାଜନୀତିର ଦୀପଉତ୍ସବ ପାଇଁ କୌଣସି ନିର୍ଦ୍ଧିଷ୍ଟ ତାରିଖ କିମ୍ବା ତିଥି ନାହିଁ । ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଦିନରେ ବିଜେପି ଦୀପାବଳି ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ଜନତାଙ୍କୁ ଆହ୍ୱାନ ଦେଇଛନ୍ତି । ଏହା ପୂର୍ବରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପ୍ରତିଷ୍ଠା ଦିନ ସାରା ଓଡ଼ିଶାବାସୀଙ୍କୁ ଦୀପ ଜାଳିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଭକ୍ତି ଓ ଭଗବାନ ଭଳି ପ୍ରସଙ୍ଗ ଭାବପ୍ରବଣତାର ବିଷୟ । ଆଉ ରାଜନୀତିରେ ଭାବପ୍ରଣତାର ଏକ ସ୍ଥାନ ଅଛି । ଯାହା ଭୋଟ୍ ରାଜନୀତିକୁ ପ୍ରଭାବିତ କରିବାର ସାମର୍ଥ୍ୟ ରଖେ । ଉଭୟ ବିଜେପି ଓ ବିଜେଡି ଏହି ଭାବପ୍ରବଣତାକୁ ନିଜ ଆଡକୁ ଆଣିବାକୁ ଉଦ୍ୟମ କରିଛନ୍ତି । ଆଉ ପ୍ରଧାନମନ୍ତ୍ରୀ, ମୁଖମନ୍ତ୍ରୀଙ୍କ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ୨୨ ତାରିଖରେ ଦୀପ ଜାଳିବାକୁ ଆହ୍ୱାନ ଦେଇଛନ୍ତି ।

ଭାରତର ରାଜନୀତିରେ ଦୀପ ଜଳାଇବା ପ୍ରସଙ୍ଗ ଅନେକ ଦିନରୁ ରହିଆସିଛି । ଆଉ ୨୦୧୪ ପରେ ଏହି ପ୍ରସଙ୍ଗ ବ୍ୟାପକ ହୋଇଛି । ପ୍ରତିଟି ଶୁଭକାର୍ଯ୍ୟରେ ଦୀପର ଆବଶ୍ୟକତାକୁ ଆମେ ଅନୁଭବ କରିଛନ୍ତି । ଯେକୌଣସି କାମର ଶୁଭ ଦେବାବେଳେ ଭଗବାନ ରାମ କିମ୍ବା ଜଗନ୍ନାଥଙ୍କୁ ସ୍ମରଣ କରାଯାଇଥାଏ । କିନ୍ତୁ ବିଜେଡି ଓ ବିଜେପିର ଦୀପ ଜାଳିବା ଆହ୍ୱାନକୁ ନେଇ ପ୍ରତିକ୍ରିୟା ରଖିଛି କଂଗ୍ରେସ । ଦଳ କହିଛି, ଦୀପ ଜଳାଇବା ସମସ୍ତଙ୍କ ବ୍ୟକ୍ତିଗତ କାମ । ପ୍ରତିଘରେ ଦୀପ ଜଳେ । ତେବେ କିଏ ଓ କେଉଁଠି ଦୀପ ଜଳାଇବ ତାହା କହିବାର ଅଧିକାର ସରକାରଙ୍କ ନାହିଁ ।

ଭଗବାନଙ୍କ ଉପରେ ଆସ୍ଥା ରଖୁଥିବା ଏମିତି କେହି ନଥିବେ, ଯିଏ ଅଯୋଧ୍ୟ ରାମ ମନ୍ଦିର ଓ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପକୁ ନେଇ ଭିନ୍ନ ଭିନ୍ନ ମତ ରଖୁଥିବେ । କିନ୍ତୁ ଏହାକୁ ନେଇ ଯେଉଁ ରାଜନୀତି ହେଉଛି, ତାକୁ ନେଇ ଭିନ୍ନମତ ରଖିବା ସ୍ୱାଭାବିକ୍ । ଆଉ ରାଜନୀତିର ଦିପୋତ୍ସାବ ବୋଧେ ଏହାକୁ ହିଁ ସୂଚାଉଛି ।