ଦେବ ଦୀପାବଳୀ ପାଇଁ ବାରଣାସୀରେ ଜଳିଲା ଲକ୍ଷ ଲକ୍ଷ ଦୀପ । ଅନ୍ଧାର ଚିରି ଆଲୋକିତ ହେଲା ଚତୁର୍ଦ୍ଦିଗ

543

କନକ ବ୍ୟୁରୋ : ଆଜି ଅପରାହ୍ନରେ ବାରଣାସୀ ଗସ୍ତରେ ‌ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଠାରେ ଦେବ ଦୀପାବଳି ପାଳନ କରିଛନ୍ତି। ସ୍ଥାନୀୟ ରାଜଘାଟରେ ପହଞ୍ଚି ପ୍ରଥମ ଦୀପ ଜାଳିଛନ୍ତି ପ୍ରଧାନମନ୍ତ୍ରୀ। ରାଜଘାଟରେ ପ୍ରଧାନମନ୍ତ୍ରୀଙ୍କ ସହ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଅଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରି ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ସେହି ସମୟରେ କାଶୀକୁ ଆସିଛନ୍ତି, ଯେତେବେଳେ ଭାରତ ନୂତନ ଉଚ୍ଚତା ହାସଲ କରୁଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୀପ ଜାଳି ଦେବ ଦୀପାବଳି ମହୋତ୍ସବର ଆରମ୍ଭ କରିବା ସହ ଏହି ଅବସରରେ ମନ୍ଦିର ୱେବସାଇଟକୁ ମଧ୍ୟ ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ପ୍ରଥମେ କାଶୀ ବିଶ୍ୱନାଥ ମନ୍ଦିର କରିଡର ପ୍ରକଳ୍ପ ବିଷୟରେ ପଚାରି ବୁଝିବା ପରେ ଦୀପ ଜାଳିଥିବା ଜଣାପଡ଼ିଛି।

ସୂଚନା ମୁତାବକ, ବାରଣାସୀରେ ପହଞ୍ଚି ପ୍ରଥମେ ପ୍ରଧାନମନ୍ତ୍ରୀ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ନୂତନ କୃଷି ଆଇନକୁ ନେଇ ହେଉଥିବାନ ବିରୋଧ ବିଷୟରେ କହିଥିଲେ। କୃଷି ଆଇନକୁ ନେଇ ବିରୋଧୀ ଗୁଜବ ପ୍ରଚାର କରିବା ସହ ଚାଷୀଙ୍କୁ ବାଟବଣା କରୁଥିବା କହିଥିଲେ ପ୍ରଧାନମନ୍ତ୍ରୀ। ଏହା ପରେ ସେ କାଶୀ ବିଶ୍ୱନାଥ ମନ୍ଦିରରେ ପହଞ୍ଚି ଦର୍ଶନ କରିଥିଲେ। ମନ୍ଦିରରୁ ଦର୍ଶନ ଶେଷ କରିବା ପରେ ରାଜଘାଟରେ ଦୀପ ଜାଳି ଦେବ ଦୀପାବଳୀର ମହୋତ୍ସବର ଶୁଭାରମ୍ଭ କରିଥିବା ଜଣାପଡ଼ିଛି।