କନକ ବ୍ୟୁରୋ : ପାଣି ପାଇଁ ଚିନ୍ତାରେ ଚାଷୀ । କମ ବର୍ଷା ଯୋଗୁ ଜମି ଫାଟି ଆଁ । ରାଜ୍ୟର ବିଭିନ୍ନ ସ୍ଥାନରୁ ଚାଷର ବିକଳ ଚିତ୍ର ଏବେ ସାମ୍ନାକୁ ଆସିଛି । କମ ବର୍ଷା ଯୋଗୁ ଯାଜପୁର ଦଶରଥପୁର ଅଞ୍ଚଳରେ ମରୁଡି ସମସ୍ୟା ସୃଷ୍ଟି ହୋଇଛି । ରୁଆ ଯାଇଥିବା ଧାନ ତଳି ପାଣି ଅଭାବରୁ ଅଧା ଜଳିଗଲାଣି । ସ୍ଥାନୀୟ ପାଲଟପୁର ପଞ୍ଚାୟତରେ ଶହ ଶହ ହେକ୍ଟର ଧାନ ଚାଷ ଜମି ଫାଟି ଆଁ କଲାଣି । ଡ୍ରେନେଜ୍ ନାଳ ରହିଛି ହେଲେ ଜମିକୁ ପାଣି ମାଡୁନାହିଁ ।

Advertisment

ଉଠାଜଳ ସେଚନ ବିଭାଭର ମେସିନ ଲାଗିଛି ହେଲା ତାହା ମଧ୍ୟ ୧୫ ବର୍ଷ ହେଲା ଅଚଳ ହୋଇପଡିଛି । ଏଭଳି ସ୍ଥିତିରେ କିଛି ଚାଷୀ ପାଣି ପମ୍ପରେ ଚାଷ ଜମିକୁ ପାଣି ମଡାଉଥିବା ଦେଖିବାକୁ ମିଳିଛି । ସେପଟେ, ନିଅଣ୍ଟିଆ ବର୍ଷା ଯୋଗୁଁ ଚିନ୍ତାରେ କଳାହାଣ୍ଡି ଜିଲ୍ଲା, ଜୟପାଟଣା ଚାଷୀ । ପାଣି ଅଭାବରୁ ଜମି ଫାଟି ଆଁ କରିଛି । ଯେଉଁ ଜମିରେ ସୁନାର ଫସଲ ଫଳେ ସେଠାରେ ଏବେ ଗଜା ମରୁଡ଼ି ଆଶଙ୍କା ଦେଖାଦେଇଛି ।

ବିଲରେ ତଳି ଶୁଖି ନଷ୍ଟ ହେବାକୁ ବସିଥିବାବେଳେ ଚାଷ ବଂଚାଇ ରଖିବାକୁ ସଂଘର୍ଷ କରୁଛି ଚାଷୀ । ଏପଟେ କୃଷ୍ଣପ୍ରସଦାରୁ ଆସିଛି ଧାନ ଚାଷର ବିକଳ ଚିତ୍ର । ବର୍ଷା ଅଭାବରୁ ପ୍ରଭାବିତ ହୋଇଛି ଧାନ ଚାଷ । ଜମିରେ ଧାନ ତଳି ପୋଡିବାକୁ ବସିଲାଣି । ଚଳିତବର୍ଷ ୩ ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା । ହେଲେ ବର୍ଷା ଅଭାବ ଏବେ ଚାଷୀକୂଳଙ୍କ ଚିନ୍ତା ବାଢାଇ ଦେଇଛି ।

ମାଡ଼ି ଆସୁଛି ମରୁଡ଼ି ?

- ନିଅଣ୍ଟିଆ ବର୍ଷାରେ ପ୍ରଭାବିତ ସାରା ରାଜ୍ୟ
- ୧୨୦ ବର୍ଷରେ ସବୁଠୁ ଶୁଖିଲା ପାଲଟିଛି ଅଗଷ୍ଟ
- ଅଗଷ୍ଟ ମାସରେ ସ୍ୱାଭାବିକ ଠାରୁ ୩୩% କମ୍ ବର୍ଷା ରେକର୍ଡ
- ଅଗଷ୍ଟର ୨୯ ଦିନରେ ୨୫ ଦିନ ସ୍ୱାଭାବିକ ଠାରୁ କମ୍ ବର୍ଷା ରେକର୍ଡ
- କମ୍ ବର୍ଷା ପାଇଁ ଧାନ ଫସଲ ନଷ୍ଟ ହେଉଥିବା ଅଭିଯୋଗ
- ୧୧ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା
- ନବରଂଗପୁରରେ ସର୍ବାଧିକ ୪୧% ନିଅଂଟିଆ ବର୍ଷା
- କେନ୍ଦ୍ରାପଡାରେ ୩୭%, କଳାହାଣ୍ଡିରେ ୩୬%, ଗଞ୍ଜାମରେ ୩୫% କମ୍ ବର୍ଷା ରେକର୍ଡ
- ରାୟଗଡା, କୋରାପୁଟ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, କଟକରେ ବି ନିଅଣ୍ଟିଆ ବର୍ଷା

ଚଳିତବର୍ଷ ମୌସୁମୀ ଆସିବା ପୂର୍ବରୁ ସ୍ୱାଭାବିକ ବର୍ଷା ହେବା ନେଇ ଆକଳନ କରିଥିଲା ପାଣିପାଗ ବିଭାଗ । ହେଲେ ଏବେ କିନ୍ତୁ ଅନିୟମିତତା ବର୍ଷା ପଛରେ ଏଲ୍-ନିନୋ ପ୍ରଭାବ ବୋଲି ପାଣିପାଗ ବିଜ୍ଞାନୀ ମତ ଦେଇଛନ୍ତି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମା ଶଙ୍କର ଦାସ କହିଛନ୍ତି - ନିଅଣ୍ଟିଆ ବର୍ଷାର ମୂଳ କାରଣ ହେଉଛି ଏଲ୍-ନିନୋ । ଦକ୍ଷିଣ ଆମେରିକା ନିକଟସ୍ଥ ପ୍ରଶାନ୍ତ ମହାସାଗରରେ ସମୁଦ୍ର ପୃଷ୍ଠର ତାପମାତ୍ରା ବୃଦ୍ଧି ହୋଇଥିବାବେଳେ ବିଷୁବରେଖା ନିକଟସ୍ଥ ମହାସାଗର ଅଞ୍ଚଳରେ ପଶ୍ଚିମ-ପୂର୍ବ ଦିଗକୁ ଗତି କରୁଥିବା ମ୍ୟାଡେନ୍-ଜୁଲିଆନ୍ ତରଙ୍ଗ ପ୍ରତିକୂଳ ପର୍ଯ୍ୟାୟ ଏହି ଏଲ୍-ନିନୋ ପାଇଁ ଦାୟୀ । ଆସନ୍ତୁ ଜାଣିବା କଣ ଏହି ଏଲ୍-ନିନୋ । ଆଉ ଏହା କିପରି ଭାବେ ବର୍ଷାକୁ ପ୍ରଭାବିତ କରିଥାଏ ।

କ’ଣ ଏହି ଏଲ୍-ନିନୋ ?

- ଏଲ୍-ନିନୋ ଏକ ସ୍ପାନିସ୍ ଶବ୍ଦ
- ଏହାର ଅର୍ଥ ଏକ ଛୋଟ ପିଲା
- ଡିସେମ୍ବରରେ ଆସୁଥିବାରୁ ଏହାକୁ ଛୋଟ ଯିଶୁଖ୍ରୀଷ୍ଟଙ୍କ ସହ ତୁଳନା ହୁଏ
- ସାଧାରଣ ସମୟରେ ବିଷୁବରେଖାରେ ପଶ୍ଚିମ ଦିଗରେ ପବନ ବହେ
- ଏହା ଦକ୍ଷିଣ ଆମେରିକାରୁ ଏସିଆ ଆଡକୁ ପ୍ରବାହିତ ହୁଏ
- କିନ୍ତୁ ଏଲ୍-ନିନୋ ସୃଷ୍ଟି ହେଲେ ପଶ୍ଚିମରୁ ପୂର୍ବକୁ ପବନ ବହିଥାଏ
- ଫଳରେ ପ୍ରଶାନ୍ତ ମହାସାଗରର ତାପମାତ୍ରା ଅସ୍ୱାଭାବିକ ଭାବେ ବଢିଯାଏ
- ଏହାର ପ୍ରଭାବରେ ଅଷ୍ଟ୍ରେଲିଆ, ଏସିଆ ସମେତ ଅନେକ ସ୍ଥାନରେ ପ୍ରାକୃିତକ ଦୁର୍ବିପାକ ହୁଏ
- କେଉଁଠାରେ ଅତ୍ୟଧିକ ବର୍ଷା ହୁଏ, କେଉଁଠି ଭୟଙ୍କର ମରୁଡି଼ ପରିସ୍ଥିତି ଦେଖାଦିଏ
- ୭ ବର୍ଷ ପରେ ଏଲ୍-ନିନୋ ପ୍ରଭାବ ଦେଖାଦେଇଛି
- ଦକ୍ଷିଣ-ପଶ୍ଚିମ ମୌସୁମୀକୁ ପ୍ରଭାବିତ କରିଛି
- ଅଗଷ୍ଟରେ କମ୍ ବର୍ଷା ଏଲ୍-ନିନୋର ପ୍ରଭାବ