ହତ୍ୟାକାରୀଙ୍କ ହାତ ଖାଲି, ଛାତ୍ରନେତାଙ୍କ ହାତରେ ହ୍ୟାଣ୍ଡକପ୍ । ପୋଲିସର ଆଭିମୁଖ୍ୟ ସୃଷ୍ଟି କଲା ଉପରେ ପ୍ରଶ୍ନ

319

କନକ ବ୍ୟୁରୋ: ଆପଣ ଚର୍ଚ୍ଚିତ ଅପରାଧର ଅଭିଯୁକ୍ତଙ୍କୁ ଟିଭି ପରଦାରେ ଦେଖିଥିବେ । ଗୋପାଳ ଦାସ, ଗୋବିନ୍ଦ ସାହୁ ଓ ଅର୍ଚ୍ଚନା ନାଗଙ୍କୁ ଜେଲରୁ କୋର୍ଟ କିମ୍ବା କୋର୍ଟରୁ ଜେଲ ନେବା ବେଳେ ପୋଲିସ କେବେ ହାତକଡି ପକାଇଥିବା କେହି ଦେଖି ନାହାନ୍ତି । ହେଲେ ବାଣୀବିହାର ବିଶ୍ୱବିଦ୍ୟାଳୟରେ ହୋଇଥିବା ଗଣ୍ଡଗୋଳ ଘଟଣାରେ ଅଭିଯୁକ୍ତଙ୍କୁ ପୋଲିସ ହାତକଡି ପକାଇ ନେବା ପରେ ପୋଲିସର ଆଭିମୁଖ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

  • ଛାତ୍ର ନେତାଙ୍କ ହାତରେ କଡି
  • ହତ୍ୟା ଅଭିଯୁକ୍ତଙ୍କ ହାତ ଖାଲି

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସ ଗିରଫ ପରେ ହାତକଡି ପିନ୍ଧିନଥିଲା । ମମିତା ମେହେର ହତ୍ୟାକାଣ୍ଡର ଅଭିଯୁକ୍ତ ଗୋବିନ୍ଦ ସାହୁ ମଧ୍ୟ ଗିରଫ ପରେ ହାତକଡି ପିନ୍ଧିନଥିଲା । ସେହିପରି ହନିଟ୍ରାପ କେସରେ ଗିରଫ ହୋଇଥିବା ଅଭିଯୁକ୍ତ ଅର୍ଚ୍ଚନା ନାଗ ମଧ୍ୟ କେବେ ହାତକଡି ପିନ୍ଧିନଥିବା ଦେଖିବାକୁ ମିଳିଥିଲା । ଏହି ତିିନି ବ୍ୟକ୍ତି ହତ୍ୟା ଏବଂ ଠକେଇ ଅଭିଯୋଗରେ ଗିରଫ ହୋଇଥିଲେ । ତେବେ ତିନୋଟି ଜାକ ଘଟଣାରେ ପୋଲିସ ଅଭିଯୁକ୍ତର ହାତକୁ ଧରି ନେଉଥିଲା । କିନ୍ତୁ ଉକ୍ରଳ ବିଶ୍ୱବିଦ୍ୟାଳୟ ଗଣ୍ଡଗୋଳ ଘଟଣାରେ ଗିରଫ ଅଭିଯୁକ୍ତଙ୍କ ଗିରଫ ପରେ ଅଭିଯୁକ୍ତଙ୍କ ହାତରେ ପଡିଛି କଡି । ଯାହାକୁ ନେଇ ପୋଲିସର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠିଛି ।

ଉକ୍ରଳ ବିଶ୍ୱବିଦ୍ୟାଳୟ ପିଜି କାଉନସିଲ ଅଡିଟୋରିୟମରେ ସିଟିଜେନ ଫୋରମ ପକ୍ଷରୁ ଭାରତୀୟ ସମ୍ବିଧାନର ପ୍ରଭାବ ଶୀର୍ଷକ ଆଲୋଚନା ହେଉଥିଲା । ଜେଏନୟୁର ଅର୍ଥନୀତି ପ୍ରଫେସର ସୁରଜିତ ମଜୁମଦାରଙ୍କ ସମେତ ସେଠାରେ ଉପସ୍ଥିତ ଥିବା ଅତିଥିଙ୍କ ଉପରେ ଆକ୍ରମଣର ଅଭିଯୋଗ ହୋଇଥିଲା । ଦେଶବିରୋଧୀ ବୟାନ ଦେଉଥିବା ଅଭିଯୋଗ କରି କିଛି ଛାତ୍ର ନେତା ଏହି ଆକ୍ରମଣ କରିଥିଲେ । ଘଟଣା ଦିନ ରାତିରେ ଦୁଇ ଅଣ ଛାତ୍ରଙ୍କୁ ଗିରଫ କରିଥିଲା ପୋଲିସ । ଆଉ ତାଙ୍କୁ କୋର୍ଟ ଚାଲାଣ ବେଳେ ଉଭୟଙ୍କୁ ହାତକଡି ପକାଇବାକୁ ନେଇ ପ୍ରଶ୍ନ ଉଠିଛି ।

ପୋଲିସ ଏବେ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଦଫା ୧୧୦ ଲଗାଇଛି । ପୂର୍ବରୁ ଭିସିଙ୍କ ଗାଡି ପୋଡିବା, ରାଗିଂ, କ୍ୟାମ୍ପସରେ ବୋମା ଫିଙ୍ଗିବା ଭଳି କେସ ଅଭିଯୁକ୍ତଙ୍କ ନାମରେ ଥିବାରୁ ପୋଲିସ ଏହି ଦଫା ଲଗାଇଥିବା ସୂଚନା ରହିଛି ।