କନକ ବ୍ୟୁରୋ : ଶୁଭ ମୁହୁର୍ତ୍ତ ଦେଖି ନଡ଼ିଆ ଭାଙ୍ଗି ଆରମ୍ଭ ହୋଇଛି ଧାନ କିଣା । ବରଗଡ଼ ଜିଲ୍ଲାରେ ଚଳିତବର୍ଷ ଖରିଫ ଋତୁର ପ୍ରଥମ ଧାନ ସଂଗ୍ରହ ଆରମ୍ଭ ହୋଇଛି । ଜିଲ୍ଲାର ଅତାବିରା, ପଦ୍ମପୁର ଏବଂ ବରଗଡ଼ ଆରଏମ୍ସି ଅଧିନରେ ୧୮୫ଟି କ୍ରୟ କେନ୍ଦ୍ରରେ ଧାନ ସଂଗ୍ରହର ବ୍ୟବସ୍ଥା ହୋଇଛି । ଚଳିତ ବର୍ଷ ବରଗଡ଼ ଜିଲ୍ଲାରେ ୧ ଲକ୍ଷ ୩୩ ହଜାର ୯୩ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଛନ୍ତି । ଆଉ ଚାଷୀଙ୍କୁ ମୋଟ୍ ୧ ଲକ୍ଷ ୪୪ ହଜାର ୪୧ଟି ଟୋକନ୍ ଦିଆଯାଇଛି ।
ରାଜ୍ୟରେ ଧାନ ସଂଗ୍ରହ ଆରମ୍ଭ ହୋଇଥିବା ବେଳେ ନୂଆ କୃଷି ଆଇନ୍ରେ ହୋଇଥିବା ବ୍ୟବସ୍ଥାକୁ ନେଇ ଚାଷୀଙ୍କ ଭିତରେ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି । କାରଣ, ସରକାରୀ ବ୍ୟବସ୍ଥା ବାହାରେ ଧାନ ବିକ୍ରି କରିବାର ଯେଉଁ ବ୍ୟବସ୍ଥା ନୂଆ ଆଇନ୍ରେ ହୋଇଛି, ତାକୁ ନେଇ ଚାଷୀଙ୍କ ଦ୍ୱନ୍ଦ୍ୱ ବଢ଼ାଇଛି । କେଉଁଠି ଧାନ ବିକ୍ରି କରିବେ ଚାଷୀ? କିନ୍ତୁ କୃଷି ବିଭାଗର ସୂଚନା ଅନୁସାରେ, ଚାଷୀ ମଣ୍ଡି ବାହାରେ ଧାନ ବିକ୍ରି କରିପାରିବେ । କିନ୍ତୁ ଧାନ କିଣୁଥିବା ବ୍ୟକ୍ତି ବା ସଂସ୍ଥା, ସର୍ବନିମ୍ନ ମୁଲ୍ୟ ନିଶ୍ଚିତ କରିବା ଆବଶ୍ୟକ ।
ଚଳିତବର୍ଷ ଓଡ଼ିଶାରେ ବିପୁଳ ପରିମାଣରେ ଧାନ ଉତ୍ପାଦନ ହୋଇଛି । ହେଲେ ସାଧାରଣତଃ, ଜଳ ସେଚିତ ଜମିରୁ ଏକର ପିଛା ୧୯ କ୍ୱିଂଟାଲ ଏବଂ ଅଣ ଜଳସେଚିତ ଜମିରୁ ଏକର ପିଛା ୧୩ କ୍ୱିଂଟାଲ ଧାନ ସଂଗ୍ରହର ବ୍ୟବସ୍ଥା ରହିଛି । ଯାହା ଚାଷୀଙ୍କ ଦ୍ୱନ୍ଦ୍ୱ୍ୱ ବଢ଼ାଇଛି । କିନ୍ତୁ ସମବାୟ ବିଭାଗର ସୂଚନା ଅନୁସାରେ, କେଉଁ ଜିଲ୍ଲାରେ ଏକର ପିଛା କେତେ ଧାନ କିଣା ହେବ ତାହା ଜିଲ୍ଳା ସ୍ତରୀୟ ଧାନ ସଂଗ୍ରହ କମିଟି ଡିପିସି ନିଷ୍ପତି ନିଏ । ତେଣୁ ଭିନ୍ନ ଭିନ୍ନ ଜିଲ୍ଲାରେ ଏହା ଭିନ୍ନ ଭିନ୍ନ ଅନୁପାତରେ ଏହା ନିର୍ଦ୍ଧାରଣ ହେବ ।
ନୂଆ କୃଷି ଆଇନ୍ ଅନୁସାରେ ଧାନର ବିକ୍ରି ମୂଲ୍ୟ ସବୁଠି ସମାନ । ହେଲେ ପଡ଼ୋଶୀ ରାଜ୍ୟ ଗୁଡ଼ିକରେ ଧାନ ସଂଗ୍ରହ ଉପରେ ବୋନସ୍ ବ୍ୟବସ୍ଥା ରହିଛି । ତେଣୁ ଚାଷୀ ଓଡ଼ିଶା, ଓଡ଼ିଶା ବାହରେ ଧାନ ବିକ୍ରି କରିବାର ଆଶଙ୍କା ରହିଛି । ତେବେ ଏଦିଗରେ କିଛି ଚୁଡ଼ାନ୍ତ ନିଷ୍ପତି ହୋଇନଥିବା ସମବାୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ବରଗଡ଼ରେ ସୋମବାରଠାରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ୧୨ ତାରିଖରୁ ସମ୍ବଲପୁର ଜିଲ୍ଲାରେ ଧାନ ସଂଗ୍ରହ ହେବ । ସମ୍ବଲପୁର ଜିଲ୍ଲାରେ ୫୩ ହଜାର ୧୪୭ ଚାଷୀ ଧାନ ବିକ୍ରି ପାଇଁ ପଂଜିକୃତ କରିଛନ୍ତି । ଆଉ ବର୍ତମାନ ସୁଦ୍ଧ ୪୨ ହଜାର ୪୨୩ ଟୋକନ୍ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2020/11/4-16.jpg)