ବିବାଦ ଭିତରେ ବଡ଼ ପରଦାକୁ ଆସିଲା ଚର୍ଚ୍ଚିତ ବଲିଉଡ ଫିଲ୍ମ ଦ କେରଳ ଷ୍ଟୋରୀ । ବିବାଦୀୟ ଫିଲ୍ମ ଦେଖିବାକୁ ହଲରେ ଲାଗିଲା ଭିଡ

207

କନକ ବ୍ୟୁରୋ : ଟ୍ରେଲର ରିଲିଜ ପରଠୁ ବିବାଦ ଭିତରେ ରହିଥିବା ଫିଲ୍ମ ଦ କେରଳ ଷ୍ଟୋରୀ ଶେଷରେ ରିଲିଜ ହୋଇଛି । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ, ବାଧା ଓ ବିବାଦକୁ ଅତିକ୍ରମ କରି ବଡ ପରଦାରେ ରିଲିଜ ହୋଇଛି ଏହି ବହୁ ଚର୍ଚ୍ଚିତ ତଥା ବିବାଦୀୟ ସିନେମା । ଉଭୟ ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ରିଲିଜ ରୋକିବା ପାଇଁ ଆବେଦନ ହୋଇଥିଲା କିନ୍ତୁ ଶେଷରେ ବାଜିମାତ୍ କରିଛନ୍ତି ଫିଲ୍ମର ନିର୍ମାତା । କେରଳ ସମେତ ଦେଶର ବିଭିନ୍ନ ଥିଏଟରରେ ରିଲିଜ ହୋଇଛି ଦ କେରଳ ଷ୍ଟୋରୀ । ଶୁକ୍ରବାର ଥିଏଟରରେ ପହଁଚି ଫିଲ୍ମର ଭରପୁର ମଜା ଉଠାଇଥିବା ଦର୍ଶକଙ୍କ ନିକଟରୁୁ ଆସନ୍ତୁ ଜାଣିବା କଣ ରହିଛି ସେମାନଙ୍କ ଅନୁଭୂତି ।

ସେପଟେ କିଛି ଥିଏଟରେ ରିଲିଜକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଭିନ୍ନ ଇସଲାମିକ ସଂଗଠନ କିଛି ଥିଏଟର ନିକଟରେ ପହଁଚି ଭଙ୍ଗାରୁଜା କରିବା ସହ ସ୍କ୍ରିନିଂ ବନ୍ଦ ପାଇଁ ନାରା ଦେଇଛନ୍ତି । ଅନେକ ଜିଲ୍ଲାରେ ଏହାର ସ୍କ୍ରିନିଙ୍ଗ କରାଯାଇନାହିଁ । ପୂର୍ବରୁ କେରଳର ୫୦ଟି ସ୍ଥାନରେ ରିଲିଜ କରାଯିବା ନେଇ ପ୍ରଯୋଜନା ସଂସ୍ଥା ଓ ଥିଏଟର ମାଲିକଙ୍କ ମଧ୍ୟରେ ବୁଝାମଣା ହୋଇଥିଲା । ହେଲେ ଶୁକ୍ରବାର ରିଲିଜ ପୂର୍ବରୁ ଅନେକ ପଛଘୁଂଚା ଦେଇଛନ୍ତି । ସେପଟେ ଏହି ଫିଲ୍ମକୁ କଂଗ୍ରେସ ବିଜେପି ପ୍ରାୟୋଜିତ ଫିଲ୍ମ କହିଥିବାବେଳେ ବିଜେପି ମଧ୍ୟ ପାଲଟା ଜବାବ ରଖିଛି   ।

ଫିଲ୍ମ ସେନସରବୋର୍ଡ କିଛି ସିନକୁ କାଟ କରି ଏ-ସାଟିଫିକେଟ ଦେବା ପରେ ରିଲିଜ ରାସ୍ତା ସଫା ହୋଇଥିଲା । ତେବେ କେରଳ ଓ ଛତିଶଗଡ ସରକାର ଫିଲ୍ମ ଉପରେ ବ୍ୟାନ ଲଗାଇବାକୁ ବିଚାର କରୁଥିବା ଜଣାପଡିଛି । କାରଣ ଏମାନଙ୍କ ଅଭିଯୋଗ କାହାଣୀରେ ରହିଛି ଧର୍ମାନ୍ତୀକରଣ ଓ କେରଳର ୩୨ହଜାର ଝିଅ ଆତଙ୍କୀ ସଂଗଠନ ଆଇଏସଆଇଏସରେ ସାମିଲର ମିଛ କଥା ଫିଲ୍ମରେ ସ୍ଥାନ ଦିଆଯାଇଛି । ସୁଦିପ୍ତୋ ସେନଙ୍କ ନିର୍ଦ୍ଦେଶିତ ଏବଂ ବିପୁଲ ଅମୃତଲାଲାଙ୍କ ପ୍ରଯୋଜିତ ସିନେମା ‘ଦି କେରଲା ଷ୍ଟାରୀ’ରେ ଅଦା ଶର୍ମା, ଯୋଗିତା ବିହାନୀ, ସିଦ୍ଧି ଇଦାନି, ଓ ସୋନିଆ ବାଲାନୀଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି । ଏବେ ଦେଖିବାକୁ ବାକି ରହିଲା, ଫିଲ୍ମ ‘ଦି କେରଲା ଷ୍ଟୋରୀ’ ବକ୍ସଅଫିସରେ କେତେ ମାତ୍ରାରେ ବାଜି ମାରୁଛି ।