ଦିଲ୍ଲୀରେ କଟକଣା କୋହଳ କଲେ କେଜ୍ରିୱାଲ ସରକାର: ହଟିଲା ସପ୍ତାହାନ୍ତ କର୍ଫ୍ୟୁ, ୫୦ ପ୍ରତିଶତ କ୍ଷମତାରେ ଖୋଲିବ ହଲ

88

କନକ ବ୍ୟୁରୋ: କରୋନା ସଂକ୍ରମଣ ପାଇଁ ରାଜଧାନୀ ଦିଲ୍ଲୀରେ ଲାଗୁ ହୋଇଥିବା କଟକଣାକୁ କୋହଳ କରାଯାଇଛି । ଦିଲ୍ଲୀରେ ସଂକ୍ରମଣ ହାର କମୁଥିବାରୁ କଟକଣାକୁ କୋହଳ କରିବାକୁ ନିଷ୍ପତି ନେଇଛନ୍ତି ଦିଲ୍ଲୀ ସରକାର । ବୁଧବାର ଦିଲ୍ଲୀ ଡିଜାଷ୍ଟର ମାନେଜମେଂଟ୍ର ହୋଇଥିବା ବୈଠକରେ ଏହି ନିଷ୍ପତି ହୋଇଛି । ସେପଟେ ଦେଶରେ ଦୈନିକ ସଂକ୍ରମଣ ଗୁରୁବାର ତୁଳନାରେ ସାମାନ୍ୟ ବୃଦ୍ଧି ପାଇଛି । ଗତ ୨୪ ଘଂଟାରେ ୨ ଲକ୍ଷ ୮୬ ହଜାର ୩୮୪ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଦିଲ୍ଲୀରେ କରୋନା ସଂକ୍ରମଣ ସାମାନ୍ୟ କମିବା ପରେ କୋଭିଡ କଟକଣା କୋହଳ କରିଛନ୍ତି କେଜ୍ରିୱାଲ ସରକାର । ଗତ ୨୪ଘଂଟାରେ ଦିଲ୍ଲୀରେ ୭ହଜାର ୪୯୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏହାସହ ୨୯ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ବୁଧବାର ଦିନ ୫ହଜାର ୭୬୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୦ଜଣଙ୍କର ମୃତ୍ୟୁ ହୋଇଥିଲା । ସଂକ୍ରମଣ ସାମାନ୍ୟ କମିବା ପରେ କୋଭିଡ କଟକଣା ସାମାନ୍ୟ କୋହଳ କରାଯାଇଛି ।

– ସପ୍ତାହାନ୍ତ କର୍ଫ୍ୟୁ ହଟାଇଛନ୍ତି କେଜ୍ରିୱାଲ ସରକାର
– ୫୦% କ୍ଷମତାରେ ସିନେମା ହଲ ଖୋଲିବାକୁ ନିଷ୍ପତି
– ୫୦% କ୍ଷମତାରେ ରେଷ୍ଟୁରାଂଟ୍ ଖୋଲିବାକୁ ବି ନିଷ୍ପତି ନିଆଯାଇଛି
– ରାତି ୧୦ଟାରୁ ସକାଳ ୫ଯାଏଁ ବଳବତ୍ତର ରହିବ ନାଇଟ କର୍ଫ୍ୟୁ
– ଦୋକାନ ବଜାର ଖୋଲିବାରେ ଲାଗୁ ହୋଇଥିବା ଯୁଗ୍ମ-ଅଯୁଗ୍ମ କଟକଣା ବି ହଟାଯାଇଛି
– ବିବାହ ସମାରୋହ ପାଇଁ ଲୋକସଂଖ୍ୟା ୧୫ରୁ ବଢାଯାଇ ୨୦୦ ସ୍ଥିର କରାଯାଇଛି
ସେପଟେ ଦେଶରେ ପୁଣି ବଢିଲା କରୋନାର ଦୈନିକ ସଂକ୍ରମଣ । ଗତ ଦୁଇ ଦିନ ଧରି ସଂକ୍ରମଣରେ ସାମାନ୍ୟ ବୃଦ୍ଧି ପରିଲକ୍ଷିତ ହେଉଛି । ଗତ ୨୪ ଘଂଟାରେ ଦେଶରେ

– ୨,୮୬,୩୮୪ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି
– ନୂଆ ମାମଲା ଆସିବା ପରେ ଦେଶରେ କରୋନା ସକ୍ରିୟ ମାମଲା ବୃଦ୍ଧି ପାଇ ୨୨,୦୨,୪୭୨ରେ ପହଂଚିଛି
– କରୋନା ପଜିଟିଭିଟି ରେଟ୍ ୧୬%ରୁ ବଢି ୧୯.୫୯% ହୋଇଛି
– ଗତ ୨୪ ଘଂଟାରେ ୫୭୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି
– ଗତ ୨୪ ଘଂଟାରେ ୩,୦୬,୩୫୭ କରୋନାରୁ ସୁସ୍ଥ ହୋଇଛନ୍ତି
– ଦେଶରେ ସୁସ୍ଥତା ହାର ୯୩.୩୩% ରହିଛି

ଦେଶରେ ଓମିକ୍ରନ୍ ଆତଙ୍କ ଭିତରେ ହାଇଦ୍ରାବାଦରେ ଡେଲ୍ଟା ଭାରିଆଂଟ୍ରେ ସଂକ୍ରମଣ ବଢିବାରେ ଲାଗିଛି । କରୋନାର ଡେଲ୍ଟା ଭାରିଆଂଟ୍ରେ ସଂକ୍ରମିତ ହୋଇ ଅନେକ ରୋଗୀ ଡାକ୍ତରଖାନାରେ ଭର୍ତି ହେଉଛନ୍ତି । ଏହାରି ଭିତରେ ଭାରତରେ ତୃତୀୟ ଲହର ପିକ୍ ଛୁଇଁବାର ଆଶଙ୍କାକୁ ଏଡାଇ ଦିଆଯାଇପାରିବନି ।