କନକ ବ୍ୟୁରୋ : ଗୋଟେ ସିନ୍ଦୁରାଫଟା ଆକାଶ, ଗୋଟେ ଉଇଁ ଆସୁଥିବା ସୂର୍ଯ୍ୟ, ଗୋଟେ କାକରଭିଜା ରୋମାଣ୍ଟିକ ସକାଳ, ସେ ଶୀତୁଆ ସକାଳରେ ସୁନେଲି କିରଣ ପହୁଁଥିବା ଗୋଟେ ଫୁଲେଇ ଝିଅ, ପ୍ରେମର ପଣକିଆ ଡାକୁଥିବା ମାଳମାଳ ପାଇନ ଗଛ, ଆଉ ଦୂରରୁ ଆ କହୁଥିବା ସବୁଜ ପାହାଡ ମାନେ ତ ଦାରିଙ୍ଗିବାଡି... ହଁ ଦାରିଙ୍ଗିବାଡି ଗୋଟେ ପ୍ରକୃତିର ଡାକ, ଓଡିଶାର ଭୂସ୍ୱର୍ଗ ।
Advertisment
ଶୀତର ଚାଦର ଘୋଡି କାକରର କବିତା ଲେଖୁଥିବା ଗୋଟେ କୁଆଁରୀ ଝିଅର ନାଁ ଦାରିଙ୍ଗିବାଡି... କୁହାଯାଏ ଜୀବନକୁ ଭୋଗିବାର ଅଛି ତ ଦାରିଙ୍ଗିବାଡି ଚାଲ, ଶାନ୍ତି ପାଇବାର ଅଛି ତ ଦାରିଙ୍ଗିବାଡି ଚାଲ । ପ୍ରେମ, ପ୍ରତାରଣ, ବିରହର ଗୀତ ଗାଇବାର ଅଛି ଦାରିଙ୍ଗିବାଡି ଚାଲ... ତେବେ ଡେରି କାହିଁକି ଚାଲନ୍ତୁ ନା ଥରେ ବୁଲି ଆସିବା କୁହୁଡିଆ ସକାଳରେ କେମିତି ଦିଶୁଛି ଓଡିଶାର କାଶ୍ମୀର...
ଦି କପ ଚା ପିଇ ନିଦରୁ ଉଠେ ଦାରିଙ୍ଗିବାଡି । ଢୋକେ ଉଷୁମ ଚାରେ ଆରମ୍ଭ ହୁଏ ଦାରିଙ୍ଗିବାଡିର ସକାଳ । ଏଠି କାକର ଗାଏ ଶୀତର ରାଗିଣୀ, ଘାସ ଗାଲିଚାର ଟୋପା ଟୋପା ବରଫ ବୁନ୍ଦା କହେ କାଶ୍ମୀରର କାହାଣୀ । ହଁ ଦାରିଙ୍ଗିବାଡି ଭିଡ ବାହାରର ଭୁସ୍ୱର୍ଗ, ପାହାଡ ଆକାଶ ମଝିରେ ନିସଙ୍ଗତାର ନିଶୁଣୀ, ନିରବତାର ଉପତ୍ୟାକା ।
ଅଙ୍କାବଙ୍କା ରାସ୍ତା, ଘଞ୍ଚ ଜଙ୍ଗଲ ଆଉ ପ୍ରକୃତିର ନୈସର୍ଗୀକ ସୌନ୍ଦର୍ଯ୍ୟରେ ଭରପୁର ଦାରିଙ୍ଗିବାଡି କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରୁ ୮୦ କିଲୋମିଟର ଦୂରରେ ଅବସ୍ଥିତ । ସମୁଦ୍ରପତନ ଠାରୁ ପ୍ରାୟ ୩ ହଜାର ଫୁଟ ଉଚ୍ଚରେ ଥିବା ଓଡିଶାର କାଶ୍ମୀର ଶୀତ ଦିନେ ବେଶ ସଜେଇ ହୁଏ । ଶୀତ ଆସିଲେ ତ ଏଠାରେ ଲାଗେ ପର୍ଯ୍ୟଟକଙ୍କ ଭିଡ । ଏକାନ୍ତରେ ହେଉ କି ପରିବାର ସହ ଦାରିଙ୍ଗିବାଡିରେ ଶୀତକୁ ଭୋଗିବାକୁ ଧାଆଁନ୍ତି ସମସ୍ତେ । କିଏ ଶୀତ ସହ ସେଲ୍ଫି ନିଏ ତ କିଏ ବରଫ ଗୋଟାଉ ଥାଏ । ପୁଣି କିଏ କଫି ବଗିଚାରେ ଖରାଛାଇର ଖେଳ ଖେଳୁଥାଏ ।
ଖାଲି ପ୍ରାକୃତିକ ମନୋରମ ଦୃଶ୍ୟକୁ ଉପଭୋଗ ପାଇଁ ନୁହେଁ ବରଂ ପିକନିକର ମଜା ନିଅନ୍ତି ପର୍ଯ୍ୟଟକ । ଜଳ ପ୍ରପାତରେ ଗାଧୋଇବାର ମଜା, ଝରଣା ସହ ଝୁମିବା ବେଳେ ଫଟୋ ଉଠାଇବାର ନିଶା, ଏମୁ ପକ୍ଷୀଠୁ ପ୍ରଜାପତି ଦେଖିବା ଆଉ ଆଦିବାସୀ ଜୀବନ ଶୈଳୀ ସହ ପରିଚିତ ହେବା ବେଳେ ପ୍ରତିଟି ମୁହୂର୍ତ୍ତକୁ କ୍ୟାମେରାରେ କଏଦ କରିବାକୁ ଭୁଲନ୍ତିନି ପର୍ଯ୍ୟଟକ ।
ଦାରିଙ୍ଗିବାଡିରେ ହୃଦୟ ଜିଣିନିଏ ହିଲଟପ । ଏଠି ଚହଲି ଯାଏ ହୃଦୟ, ଚୋରି ହୋଇଯାଏ ମନ । ଦୀର୍ଘ ନିଶ୍ୱାସଟେ ନେଇ ଆଖି ଖୋଲି ଆଗକୁ ଚାହିଁଲେ ଖାଲି ଦିଶେ ପାହାଡ ହି ପାହାଡ... ସବୁଜ ବାନାନୀର ସେ ଶୀତଳ ଶାନ୍ତି ଯେତେ ଟଙ୍କା ଦେଲେ ବି କେଉଁଠିି ମିଳିବନି... କି ଆଖି, ଛାତି ଛଡା କେଉଁ କ୍ୟାମେରାରେ କଏଦ କରିହେବନି...
ରାତିହେଲେ ଆଉ ଟିକେ ରୋମାଣ୍ଟିକ ଲାଗେ ଦାରିଙ୍ଗିବାଡି । ଦିନରେ ପାଇନ ଗଛଠୁ ପ୍ରେମର ପଣକିଆ ଶୁଣିଥିବା ମଣିଷ, ସଞ୍ଜ ବାଜିଲେ ଶୀତଠୁ ଶୁଣନ୍ତି ସାହିତ୍ୟ । ହାଡଭଙ୍ଗା ଜାଡ ଦେହ ଥରେଇ ଦେଲେ ନିଆଁ ଖୋଜେ ହାତ । ଆଉ ତାପରେ ଆରମ୍ଭ ହୁଏ କ୍ୟାମ୍ପ ଫାୟାର... ସତରେ ସକାଳଠୁ ରାତି ଦାରିଙ୍ଗିବାଡିର ପ୍ରତିଟି ଚିତ୍ର, ପ୍ରତିଟି ଛବି ଗୋଟେ ଗୋଟେ ମିଠା ସ୍ମୃତି...