କନକ ବ୍ୟୁରୋ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ମେ ୧୦ ତାରିଖରେ କର୍ଣ୍ଣାଟକର ୨୨୪ ବିଧାନସଭା ଆସନ ପାଇଁ ଭୋଟଗ୍ରହଣ କରାଯିବ । ମେ’ ୧୩ ତାରିଖରେ ଭୋଟ୍ ଗଣତି ହେବ । ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାର ଏହି ଘୋଷଣା କରିଛନ୍ତି । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ସେମିଫାଇନାଲ କୁହାଯାଉଛି । ନିର୍ବାଚନ ତାରିଖ ଘୋଷଣା ସହ କର୍ଣ୍ଣାଟକରେ ବୁଧବାରଠାରୁ ଆଚରଣ ବିଧି ଲାଗୁ ହୋଇଚି । ରାଜ୍ୟରେ ନିରପେକ୍ଷ ନିର୍ବାଚନ କରିବାକୁ ମୁଖ୍ୟ ନିର୍ବାଚନ କମିଶନ ଲକ୍ଷ୍ୟ ରଖିଛନ୍ତି ।

Advertisment

କର୍ଣ୍ଣାଟକ ବିଧାନସଭା ନିର୍ବାଚନ-୨୦୨୩ର କାର୍ଯ୍ୟକ୍ରମ
- ଏପ୍ରିଲ ୧୩ ତାରିଖରେ ଜାରି ହେବ ବିଜ୍ଞପ୍ତି
- ଏପ୍ରିଲ ୨୦ ତାରିଖରେ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ
- ଅପ୍ରେଲ ୨୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ
- ଏପ୍ରିଲ ୨୪ରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷଦିନ
- ରାଜ୍ୟରେ ନିର୍ବାଚନ ସମୟରେ ୨୪୦ଟି ମଡେଲ୍ ମତଦାନ କେନ୍ଦ୍ର ଖୋଲିବ
- ୮୦ ବର୍ଷରୁ ଅଧିକ ବୟସର ଲୋକେ ଘରେ ବସି ମତଦାନ ଦେଇପାରିବେ
- ଭୋଟରଙ୍କୁ ସଚେତନ କରାଇବା ଆରମ୍ଭ ହେବ ଅଭିଯାନ
- ଏପ୍ରିଲ ୧ ତାରିଖ ସୁଦ୍ଧା ଯାହାର ବୟସ ୧୮ ହୋଇଥିବ, ସେମାନେ ମତଦାନ ଦେଇପାରିବେ
- ନୂଆ ମତଦାତାଙ୍କୁ ଯୋଡ଼ିବା ଉପରେ ଗୁରୁତ୍ୱ ଦିଆଯିବ
- ୨୨୪ ବିଧାନସଭା ଆସନ ପାଇଁ ମୋଟ ୨,୫୮,୨୨୮ କେନ୍ଦ୍ର ପ୍ରସ୍ତୁତ କରାଯିବ

୨୦୧୮ରେ କର୍ଣ୍ଣାଟକରେ ହୋଇଥିବା ବିଧାନସଭା ନିର୍ବାଚନରେ ସରକାର ଗଠନ କଂଗ୍ରେସ ମେଣ୍ଟ ଦଳ । ତେବେ ଏହି ସରକାର ୨୦୧୯ରେ ଭାଙ୍ଗିଯାଇଥିଲା । ଯାହା ପରେ ବିଜେପି କ୍ଷମତାକୁ ଫେରିଥିଲା । ଜେଡିଏସ ଓ କଂଗ୍ରେସ ମେଣ୍ଟର କିଛି ବିଦ୍ରୋହୀ ବିଧାୟକଙ୍କ ସମର୍ଥନରେ ବିଜେପି ଏହି ସରକାର ଗଠନ କରିଥିଲା । ତେବେ ପରେ ବିଧାୟକ ବିଜେପିରେ ସାମିଲ ହୋଇଥିଲେ ଏବଂ ଉପନିର୍ବାଚନ ଲଢ଼ି ବିଜୟ ଲାଭ କରିଥିଲେ । ବର୍ତ୍ତମାନ ବିଧାନସଭାରେ ବିଜେପିର ୧୨୧ ବିଧାୟକ ଅଛନ୍ତି । କଂଗ୍ରେସ ପାଖରେ ୭୦ ଏବଂ ଜେଡିଏସର ୩୦ ବିଧାୟକ ରହିଛନ୍ତି । ବିଜେପି ତା’ର କାର୍ଯ୍ୟକାଳରେ ମୁଖ୍ୟମନ୍ତ୍ରୀ ମଧ୍ୟ ପରିବର୍ତ୍ତନ କରିଛି । ୨୦୨୧, ଜୁଲାଇ ମାସରେ ବିଏସ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ସ୍ଥାନରେ ବାସବରାଜ ବୋମ୍ମଇ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏଥର କଂଗ୍ରେସ ମିଶନ-ସାଉଥ ଅଭିଯାନରେ କର୍ଣ୍ଣାଟକରେ କ୍ଷମତାକୁ ଫେରିବା ପାଇଁ ନୂଆ ରଣନୀତି ଆପଣେଇଛି । ସେପଟେ ଜେଡିଏସ କିଙ୍ଗମେକର ସାଜିବାକୁ ତୃଣମୂଳସ୍ତରରୁ ଚେଷ୍ଟା ଚଲାଇଛି ।

ଏଥର କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ୫. ୨୧ କୋଟି ଭୋଟର ଭୋଟ ଦେଇ ସରକାର ବାଛିବେ । ସେଥି ମଧ୍ୟରେ ଅଛନ୍ତି ୨.୫୯ କୋଟି ମହିଳା ଭୋଟର । ତେବେ ଏଥର ୯ଲକ୍ଷରୁ ଅଧିକ ନୂଆ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ ।