ବନ୍ଦ ହୋଇଯିବ ‘କାଳିଆ’ ଯୋଜନା! ଦ୍ୱନ୍ଦ୍ୱ ବଢାଇଲା ମନ୍ତ୍ରୀଙ୍କ ଉତ୍ତର

Advertisment
ବନ୍ଦ ହୋଇଯିବ ‘କାଳିଆ’ ଯୋଜନା! ଦ୍ୱନ୍ଦ୍ୱ ବଢାଇଲା ମନ୍ତ୍ରୀଙ୍କ ଉତ୍ତର

କନକ ବ୍ୟୁରୋ: ବନ୍ଦ ହୋଇଯିବ କି କାଳିଆ ଯୋଜନା। ଏଭଳି ଏକ ଆଶଙ୍କା ଉପୁଜିଛି। କାରଣ ବିଧାନସଭାରେ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ଉଚ୍ଚସ୍ତରୀୟ କମିଟି ବିଚାର କରୁଛି। ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ବିଭାଗ ଦାୟିତ୍ୱରେ ଥିବା କେ.ଭି. ସିଂହଦେଓଙ୍କ ଏଭଳି ଉତ୍ତର, କାଳିଆ ଯୋଜନାର ଭବିଷ୍ୟତକୁ ନେଇ ବଡ଼ ଧରଣର ସନ୍ଦେହ ସୃଷ୍ଟି କରିଛି।

ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଏହି ୨ ଧାଡିଆ ଉତ୍ତର ରାଜ୍ୟର ଲକ୍ଷ ଲକ୍ଷ କାଳିଆ ହିତାଧିକାରୀଙ୍କ ମନରେ ଛନକା ଭରିଛି। ରାଜ୍ୟରେ ବିଜେପି ସରକାର ଆସିବା ପରେ କାଳିଆ ଯୋଜନାକୁ ସରକାର ଚାଲୁ ରଖିବେ ନା ବନ୍ଦ କରିବେ? ନା ପିଏମ କିଷାନ ସହ କାଳିଆ ଯୋଜନାର ମିଶ୍ରଣ ହେବ? ତାକୁ ନେଇ ହିତାଧିକାରୀ ଦ୍ବନ୍ଦ୍ବରେ ରହିଛନ୍ତି। କାଳିଆ ଯୋଜନାକୁ ବନ୍ଦ କରିବାକୁ ଯୋଜନା କରିଛନ୍ତି କି ସରକାର? ଯଦି ବନ୍ଦ ହେବ ତେବେ ହିତାଧିକରୀଙ୍କ ପାଇଁ କି ପ୍ରକାର ଯୋଜନା କରିବେ? ଆଗାମୀ ଦିନରେ କାଳିଆ ସହାୟତା ଜାରି ରହିବ ନା ବନ୍ଦ ହେବ? ବିଧାନସଭାରେ ଏନେଇ ପ୍ରଶ୍ନ କରିବା ସହ କୃଷିମନ୍ତ୍ରୀଙ୍କ ଠାରୁ ଉତ୍ତର ଜାଣିବାକୁ ଚାହିଁଥିଲେ ବିଜେଡିର ୨ ବିଧାୟକ ଅରୁଣ ସାହୁ ଓ ଗୌତମ ବୁଦ୍ଧ ଦାସ।

ଯାହାର ଲିଖିତ ଉତ୍ତରରେ କୃଷିମନ୍ତ୍ରୀ କହିଛନ୍ତି,
ରାଜ୍ୟରେ କାଳିଆ ଯୋଜନା ସମ୍ପର୍କରେ ଉଚ୍ଚସ୍ତରୀୟ ଆଲୋଚନା ଓ ବିଚାର ଚାଲିଛି
ଏହାର ନିଷ୍ପତ୍ତି ନେବା ପରେ ସମସ୍ତ ତଥ୍ୟ ବିଧାୟକଙ୍କୁ ଜଣାଇ ଦିଆଯିବ
ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି, କାଳିଆ ବାବଦରେ କିଛି ଠୋସ ନିଷ୍ପତ୍ତି ସରକାର ଖୁବଶୀଘ୍ର ନେବାକୁ ଯାଉଛନ୍ତି।
୨୦୧୯ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିଲା କାଳିଆ ଯୋଜନା। ଏହି ଯୋଜନାରେ :
ପ୍ରଥମେ ବାର୍ଷିକ ୨ଟି କିସ୍ତିରେ ୧୦ ହଜାର ଟଙ୍କା ମିଳୁଥିଲା
ଉଭୟ ଖରିଫ ଓ ରବି ଚାଷ ପାଇଁ ମିଳୁଥିଲା ଆର୍ଥିକ ସହାୟତା
ପରବର୍ତ୍ତୀ ପର୍ୟ୍ୟାୟରେ ସହାୟତା ଟଙ୍କା ହ୍ରାସ ପାଇ ୪ ହଜାର ହୋଇଛି
୪୫ ଲକ୍ଷ ୬୭ ହଜାର ୫୨୪ କ୍ଷୁଦ୍ର ଓ ନାମମାତ୍ର ଚାଷୀ ସହାୟତା ପାଉଥିଲେ
୧୯ ଲକ୍ଷ ୧୨ ହଜାର ୧୨୨ ଭୂମିହୀନ ଚାଷୀ ପରିବାର ହେଉଥିଲେ ଉପକୃତ

୬ ବର୍ଷ ଧରି ଚାଲି ଆସିଥିବା ଏହି ଯୋଜନାକୁ ନେଇ ନୂଆ ସରକାର ହଠାତ୍ କାହିଁକି ବିଚାର ବିମର୍ଷ କଲେ? ଏହି ଯୋଜନାରେ ଚାଷୀଙ୍କୁ ଆର୍ଥିକ ସ୍ତରରେ ସଶକ୍ତ କରିବାକୁ ଯେଉଁ ଉଦ୍ଦେଶ୍ୟ ରହିଥିଲା ତାହା ପୂରଣ ହେଲା ନାହିଁ କି? ଏସବୁ ଭିତରେ ଆସନ୍ତାକାଲି ଆସିବାକୁ ଯାଉଛି ପୂର୍ଣ୍ଣାଙ୍ଗ ବଜେଟ। ମୋହନ ସରକାରଙ୍କ ଏହି ପ୍ରଥମ ବଜେଟରେ ସ୍ପଷ୍ଟ ହୋଇଯିବ ଏହି ଚର୍ଚ୍ଚିତ କାଳିଆ ଯୋଜନାର ଭବିଷ୍ୟତ କଣ ହେବ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe