କୋର୍ଟ ଛାଡି ଗାଁ ପାଳଗଦାରେ ବସି ନ୍ୟାୟ ଦେଲେ ବିଚାରପତି: ୪ ବେସାହାରା ଶିଶୁଙ୍କ ସମସ୍ୟା ପଚାରି ବୁଝିଲେ

569

କନକ ବ୍ୟୁରୋ: ସମସ୍ୟାର ସମାଧାନ ପାଇଁ ସମସ୍ତେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥାନ୍ତି । କିନ୍ତୁ କେବେ ଆପଣ ଶୁଣିଛନ୍ତି ଯେ ଖୋଦ୍ ବିଚାରପତିଙ୍କୁ କୋର୍ଟ ବାହାରେ ମାମଲାର ଶୁଣାଣି ବା କୌଣସି ସମସ୍ୟାର ସମାଧାନ କରିବା କଥା । ବାସ୍ତବରେ ଏମିତି କିଛି ଘଟିଛି କେନ୍ଦ୍ରାପଡ଼ାରେ । ଖୋଦ୍ ବିଚାରପତି ଗାଁରେ ପହଂଚି ସମସ୍ୟା କଥା ବୁଝିଛନ୍ତି । ପିଲାଙ୍କୁ ପାଖରେ ବସାଇ ସେମାନଙ୍କ ସମସ୍ୟାର ସମାଧାନ କରିଛନ୍ତି । ରାଜନଗର ଜିଲ୍ଲା ଚାରିପୋଖରିଆ ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗାଁର ଅମର ବାରିକଙ୍କ ଅକାଳ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ତାଙ୍କର ଚାରି ପିଲାଙ୍କୁ ଛାଡ଼ି କୁଆଡ଼େ ପଳାଇଲେ । ବାପାଙ୍କ ମୃତ୍ୟୁ ଏବଂ ମା’ କୁଆଡ଼େ ଚାଲିଯିବା ପରେ ସେହି ୪ ଶିଶୁ ଏକା ହୋଇଯାଇଥିଲେ । ପ୍ର୍ରଥମେ କନକ ନ୍ୟୁଜରେ ଏହି ଖବର ପ୍ରସାରିତ ହୋଇଥିଲା ।

ଏହି ଖବର କେନ୍ଦ୍ରାପଡ଼ା ଜିଲ୍ଲା ଆଇନ୍ ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଜଜ୍ ବିଶ୍ୱଜିତ୍ ମହାନ୍ତିଙ୍କୁ ବେଶ୍ ପ୍ରଭାବିତ କରିଥିଲା । ଆଉ ତୁରନ୍ତ ଏହି ଛୁଆ କେମିତି ସହାୟତା ପାଇବେ, ସେଥିପାଇଁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ତଥା ଜଜ୍ ସୁମିତ୍ରା ସାହୁଙ୍କୁ ଚାରିପୋଖରିଆ ଗାଁକୁ ପଠାଇଥିଲେ । ଜଜ୍ ସୁମିତ୍ରା ଗାଁରେ ପହଂଚି ପ୍ରତିଟି ସମସ୍ୟା ପଚାରି ବୁଝିଥିଲେ । ୪ ଶିଶୁଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ଶିଶୁ ସୁରକ୍ଷା ଅଧିକାରୀ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଘଟଣାସ୍ଥଳକୁ ଡକାଇ ନିର୍ଦ୍ଦେଶ ଦେଇଥିଲେ ଜଜ୍ ।

ଶିଶୁଙ୍କ ପରିବାରକୁ ତୁରନ୍ତ ଜାଗା ଓ ଘର ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜଜ୍ । ଏହାସହ ସେହି ସ୍ଥାନରେ ଶିଶୁମାନଙ୍କ ପାଇଁ ବ୍ୟାଙ୍କ ଆକାଉଂଟ ମଧ୍ୟ ଖୋଲାଯାଇଛି ।

ବାପା, ମାଆ ଛେଉଣ୍ଡ ହୋଇ ବେସାହାରା ହୋଇଯାଇଛନ୍ତି ଏହି ୪ ଶିଶୁ । ବାପା ମାଆଙ୍କ ପରେ ୩ ପିଲାଙ୍କ ବୋଝ ଏବେ ୮ ବର୍ଷର ଲକ୍ଷ୍ମୀପ୍ରିୟା କାନ୍ଧରେ । ଜେଜେ ମୁଲ ଲାଗି ଯାହା ଆଣୁଛନ୍ତି ପରିବାର ଚଳୁଛି । ଏଭଳି ସ୍ଥଳରେ ଏକା ପଡିଯାଇଛନ୍ତି ଚାରି ଶିଶୁ ।
ସାଧାରଣତଃ କୋର୍ଟରେ ବିଚାରପତି ସବୁ ସମସ୍ୟାର ସମାଧାନ କରିଥାନ୍ତି । କିନ୍ତୁ ଖୋଦ୍ ଜଣେ ବିଚାରପତି କୋର୍ଟ ବାହାରେ ମାମଲାର ଶୁଣାଣି କରି ସମାଧାନ କରିବା ଭଳି ମହତକାମକୁ ପ୍ରଶଂସା କରାଯାଇଛି ।