ହାତୀ ଉଦ୍ଧାର ବେଳେ ଚାଲିଗଲା ସାମ୍ବାଦିକଙ୍କ ଜୀବନ । ପଢନ୍ତୁ, କେମିତି ଘଟିଲା ଏମିତି ଅଘଟଣ…

211

କନକ ବ୍ୟୁରୋ: ଦିନ ପ୍ରାୟ ଗୋଟାଏ ସମୟରେ କଟକର ମୁଣ୍ଡଳିରେ ଚାଲିଥିଲା ହାତୀ ଉଦ୍ଧାର । ଓଡ୍ରାଫ ଟିମର ବୋଟ, ହାତୀକୁ କୂଳକୁ ଆଣିବା ପାଇଁ ଉଦ୍ୟମ କରୁଥିଲା । ବୋଟ ଭିତରେ ୮ ଜଣ ଥିଲେ । ସେଥିରେ ଥିଲେ ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସ ଓ କ୍ୟାମେରାମ୍ୟାନ ପ୍ରଭାତ ସିହ୍ନା । ବୋଟ ହାତୀର ଯେତିକି ପାଖକୁ ପାଖକୁ ଯାଉଥିଲା, ହାତୀ ସେତିକି ପାଣି ଭିତରକୁ ପଶି ଯାଉଥିଲା । ଆଉ ଏତିକି ବେଳେ ମୁଣ୍ଡଳି ବ୍ୟାରେଜର ପିଲର୍ ତଳେ ଥିବା ଭଉଁରି ଭିତରକୁ ପଶି ଯାଇଥିଲା ବୋଟ୍ । ପାଣିର ସୁଅ ଏତେ ପ୍ରଖର ଥିଲା ଯେ କିଛି ମିଟର ଦୂରରୁ ବୋଟକୁ ଭଉଁରି ଭିତରକୁ ଟାଣି ନେଇଥିଲା । ହାତୀ ସୁଅ କାଟି ଯାଉଥିବା ବେଳେ ପଛୁଆ ପାଣି ମାଡ ବି ହୋଇଥିଲା ବୋଟରେ । ଆଉ ଏହାରି ସହ ମାଡି ଆସିଥିଲା ଦୁର୍ଭାଗ୍ୟ । ହଠାତ୍ ବୋଟର ଇଞ୍ଜିନ ବନ୍ଦ ହୋଇ ଯାଇଥିଲା, ଓଲଟି ପଡିଥିଲା ବୋଟ ।

ପାଣିର ପ୍ରଖର ସୁଅ ଭିତରେ ଢେଉ ଖେଳୁଥିଲା ବୋଟ । ଓଡ୍ରାଫ୍ ଟିମ୍ ସହ ସାମ୍ବାଦିକ ଅରିନ୍ଦମ ଦାସ ଓ ପ୍ରଭାତ ସିହ୍ନା ବଞ୍ଚିବା ପାଇଁ ଜୋରଦାର ପ୍ରୟାସ କରିଥିଲେ । ବ୍ୟାରେଜ୍ ଉପରେ ଜମିଥିଲା ଲୋକଙ୍କ ପ୍ରବଳ ଭିଡ଼ । ଉତ୍କଣ୍ଠା, ଆଶଙ୍କା ଥିଲା ସମସ୍ତଙ୍କ ମନରେ । ହଠାତ୍ ଏଭଳି ଏକ ଅଘଟଣ ଘଟିବ, କେହି କେବେ କଳ୍ପନା କରିନଥିଲେ । ଉପରେ ଥିବା ଓଡ୍ରାଫ୍ ଟିମର ସହକର୍ମୀ, ପାଣି ଭିତରେ ଫସିଥିବା ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର ଉଦ୍ୟମ କରିଥିଲେ । ବ୍ୟାରେଜ୍ ଉପରୁ ରେସ୍କ୍ୟୁ ଦଉଡି ଓ ସିଡି ପକାଇଥିଲେ । ତାହାରି ସାହାଯ୍ୟରେ ଉଠିବାକୁ ଚେଷ୍ଟା କରିଥିଲେ ସମସ୍ତେ । ସାମ୍ବାଦିକ ଅରିନ୍ଦମ ଦାସ ମଧ୍ୟ ଦଉଡ଼ି ଧରି ବାହାରି ଆସିବାକୁ କିଛି ସମୟ ସଂଘର୍ଷ କରିଥିଲେ । ହେଲେ ଶେଷ ମୁହୁର୍ତ୍ତରେ ସଫଳ ହୋଇ ପାରିନଥିଲେ । ହାତରୁ ଦଉଡ଼ି ଖସିଯିବା ପରେ ପ୍ରଖର ପାଣି ସୁଅରେ ଭାସି ଯାଇଥିଲେ ଅରିନ୍ଦମ ।

ତେବେ କ୍ୟାମେରାମ୍ୟାନ ପ୍ରଭାତ ସିହ୍ନା ଦଉଡ଼ି ସାହାଯ୍ୟରେ ଅତି ଗୁରୁତର ଅବସ୍ଥାରେ ବ୍ୟାରେଜ୍ ଉପରକୁ ଆସିଥିଲେ । ଓଡ୍ରାଫ ଟିମର ୫ ଜଣଙ୍କୁ ଉଦ୍ଧାର କରାଯାଇଥିଲା, ହେଲେ ଜଣଙ୍କର ପତ୍ତା ମିଳିନଥିଲା । ସେପଟେ ପ୍ରାୟ ୨୫-୩୦ ମିନିଟ ପରେ ୪-୫ କିଲୋମିଟରରୁ ଅରିନ୍ଦମଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ବିଧିର ବିଧାନ ଥିଲା ଅଲଗା, ଅରିନ୍ଦମଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।