କନକ ବ୍ୟୁରୋ: ଗାଁ ଓ ବିକାଶ ମଝିରେ ବାଧକ ସାଜିଛି ଚିରସ୍ରୋତା ଝଞ୍ଜାବତୀ ନଦୀ । ନଦୀ ଏପଟେ ଜୀବିକା ସେପଟେ ଜୀବନ । ତେଣୁ ପ୍ରତିଦିନ ପାଣିରେ ପଶି ଯାତାୟାତ କରୁଛନ୍ତି ରାୟଗଡା ଜିଲ୍ଲା ରାୟଗଡା ବ୍ଲକ ହାଲୁଆ ପଞ୍ଚାୟତ କୋଡିଙ୍ଗଗୁଡା ଗ୍ରାମବାସୀ । ପାହାଡ ପାଦଦେଶରେ ଥିବା ଗାଁଟି ୩୨୬ ନମ୍ବର ଜାତୀୟ ରାଜପଠଠାରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ରହିଛି । ହେଲେ ଏହି ଗାଁକୁ ଯିବା ପାଇଁ ଝଞ୍ଜାବତୀ ନଦୀ ବାଧକ ସାଜିଛି । ନଦୀର ଆରପଟେ ଥିବା ଗାଁରେ ୩୫ଟି ପରିବାର ରହୁଛନ୍ତି । ଗମନାଗମନ ସୁବିଧା ନଥିବାରୁ ନଦୀରେ ପଶି ପିଲାମାନେ ସ୍କୁଲକୁ ଯିବା ଆସିବା କରୁଛନ୍ତି । ବିଭିନ୍ନ ପ୍ରକାର କାମ, ଭତା ଓ ପିଡିଏସ ସାମଗ୍ରୀ ପାଇଁ ଲୋକେ ସବୁ ବେଳେ ପାଣିରେ ପଶି ନଦୀ ପାରି ହେଉଛନ୍ତି ।

Advertisment

ଗମନାଗମନରେ ବାଧକ ସାଜିଥିବା ଝଞ୍ଜାବତୀ କିନ୍ତୁ ଗାଁ ଲୋକଙ୍କ ଶୋଷ ମେଣ୍ଟାଉଛି । ଦଶନ୍ଧି ଦଶନ୍ଧି ଧରି ଗାଁ ଲୋକେ ଏହି ଚିରସ୍ରୋତା ନଦୀ ପାର ହୋଇ ଯିବା ଆସିବା କରୁଛନ୍ତି । ବର୍ଷାଦିନେ ଗାଁଟି ବାହ୍ୟ ଜଗତରୁ ଏକ ପ୍ରକାର ବିଛିନ୍ନ ହୋଇଯାଏ । ସମସ୍ୟା ସମ୍ପର୍କରେ ଲୋକେ ଅନେକ ଥର ବ୍ଳକ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଜଣାଇଛନ୍ତି । ନଦୀରେ ପୋଲ ନିର୍ମାଣ କରିବାକୁ ଦାବି କରିଛନ୍ତି । ହେଲେ କୌଣସି ସୁଫଳ ମିଳୁନାହିଁ ।