ଚେନ୍ନାଇ ବିମାନବନ୍ଦରରୁ କରିନେଲେ ଅପହରଣ । ପାଲଘରର ବେବାଜୀ ଜଙ୍ଗଲରେ ହାତ ଗୋଡ ବାନ୍ଧି ଜିଅନ୍ତା ଜାଳିଦେଲେ । ପଢନ୍ତୁ ଏମିତି କାହିଁକି କଲେ ଦୁର୍ବୃତ୍ତ

2,022

କନକ ବ୍ୟୁରୋ : ସେ ଜଣେ ଯବାନ ଥିଲେ । ଜୀବନକୁ ବାଜି ଲଗାଇ ଦେଶବାସୀଙ୍କ ସୁରକ୍ଷା ପାଇଁ ଶତୃପକ୍ଷ ସହିତ ଲଢୁଥିଲେ । ହେଲେ ମାତ୍ର କିଛି ଟଙ୍କା ପାଇଁ କିଛି ଦୁର୍ବୃତ୍ତ ତାଙ୍କୁ ଗୋଡ ହାତ ବାନ୍ଧି ଜିଅନ୍ତା ଜାଳିଦେଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ପାଲଘର ଠାରେ   ।
ସୂଚନା ମୁତାବକ ମୃତ୍ୟୁ ହୋଇଥିବା ଯବାନ ଜଣଙ୍କ ଭାରତୀୟ ନୌସେନାର ଜଣେ ଅଧିକାରୀ ।  ତାଙ୍କ ନାମ ସୁରଜ କୁମାର ଓ ତାଙ୍କ ଘର ଝାଡଖଣ୍ଡ ରାଜ୍ୟ ରାଞ୍ଚି ଅଞ୍ଚଳର । ସେ ତାମିଲନାଡୁର କୁଇମ୍ବାଟୁରରେ କାର୍ଯ୍ୟରତ ଥିଲେ । ସେ ଜାନୁଆରୀ ୩୦ ତାରିଖରେ ଘରୁ ନିଜର କାର୍ଯ୍ୟସ୍ଥଳୀ କୁଇମ୍ବାଟୁର ବାହାରିଥିଲେ । ଏହି ସମୟରେ ତାଙ୍କୁ ଦୁର୍ବୃତ୍ତ ମାନେ ଚେନ୍ନାଇ ବିମାନବନ୍ଦର ନିକଟରୁ ଅପହରଣ କରିନେଇଥିଲେ । ଦୁର୍ବୃତ୍ତ ମାନେ ତାଙ୍କୁ ସେଠାରୁ ଅପହରଣ କରି ପାଲଘରର ବେବାଜୀ ଜଙ୍ଗଲରେ ରଖି ସୁରଜଙ୍କ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କା ମାଗିଥିଲେ ।

ପରିବାର ଲୋକେ ଟଙ୍କା ଯୋଗାଡ କରିବାକୁ ସମୟ ମାଗିଥିଲେ । ହେଲେ ଦୁର୍ବୃର୍ତ୍ତ ମାନେ ସୁରଜଙ୍କ ପରିବାରକୁ ସମୟ ଦେଇ ନଥିଲେ । ଟଙ୍କା ନମିଳିବାରୁ ସେମାନେ ନୃଶଂସ ପାଲଟି ଯାଇଥିଲେ । ଜଙ୍ଗଲ ଭିତରେ ସୁରଜଙ୍କ ହାତଗୋଡ ବାନ୍ଧି ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ । ଏହାକୁ କିଛି ସ୍ଥାନୀୟ ଯୁବକ ଦେଖିଥିଲେ । ଦୁର୍ବୃତ୍ତ ମାନେ ସେଠାରୁ ପଳାଇବା ପରେ ଯୁବକ ମାନେ ପୋଲିସ ସହାୟତାରେ ସୁରଜଙ୍କୁ ଉଦ୍ଧାର କରିଥିଲେ । ହେଲେ ସେତେବେଳକୁ ସୁରଜଙ୍କ ଶରୀରର ୯୦ ପ୍ରତିଶତ ଜଳି ଯାଇଥିଲା ।

ତାଙ୍କୁ ପ୍ରଥମେ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ତାଙ୍କୁ ମୁମ୍ବାଇର ନେଭାଲ ହସ୍ପିଟାଲକୁ ନିଆଯାଇଥିଲା । ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ପୋଲିସ ଚେନ୍ନାଇ ବିମାନବନ୍ଦରର ସିସିଟିଭି ଫୁଟେଜ୍ ଆଧାରରେ ଦୁର୍ବୃତ୍ତ ମାନଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି ।