କନକ ବ୍ୟୁରୋ: ଅଢ଼େଇ ଶହ ବର୍ଷର କୀର୍ତ୍ତିରାଜିକୁ ଜୀବିତ ରଖିବାକୁ ପ୍ରୟାସ । ଜଗରେ ଉଠିଲା ଜଗନ୍ନାଥ ମନ୍ଦିର । ଗଞ୍ଜାମ ଜିଲ୍ଲା ରମ୍ଭା ବିଜ୍ଞାପିତ ଅଞ୍ଚଳରେ ଏହି ଜଗନ୍ନାଥ ମନ୍ଦିର ରହିଛି । ପ୍ରାୟ ଅଢ଼େଇ ଶହ ବର୍ଷ ତଳେ ଏହାକୁ ବିରୁଳି ଗଡ଼ର ରାଜା ନିର୍ମାଣ କରିଥିଲେ । ହେଲେ ସମୟ କ୍ରମେ ମନ୍ଦିର ଦବି ଚାଲିଛି । ଫଳରେ ମନ୍ଦିରର ସ୍ଥାୟିତ୍ୱ ପ୍ରତି ବିପଦ ସୃଷ୍ଟି ହୋଇଛି । ଫଳରେ ଏହି ପୁରୁଣା କୀର୍ତ୍ତିରାଜିକୁ ବଞ୍ଚାଇବାକୁ ଅଣ୍ଟା ଭିଡ଼ିଛନ୍ତି ଗାଁ ଲୋକ । ଗାଁ ଲୋକଙ୍କୁ ସହାୟତା ପାଇଁ ଆଗେଇ ଆସିଛି ରମ୍ଭାରେ ଥିବା ମନ୍ଦିର ଉନ୍ନୟନ କମିଟି । ଏବେ ଦବି ଯାଉଥିବା ମନ୍ଦିରକୁ ଉପରକୁ ଉଠାଯାଉଛି । ଏଥିପାଇଁ ଜଗର ବ୍ୟବହାର କରାଯାଉଛି । ମନ୍ଦିରକୁ ୬ ଫୁଟ ଉପରକୁ ଉଠାଯିବ । ଏହି କାମରେ ୪ ଶହ ଜଗ୍ ବ୍ୟବହାର କରାଯାଉଥିବା ବେଳେ ୮ ଜଣ କର୍ମଚାରୀ ଏଥିରେ ଲାଗିଛନ୍ତି । ହରିୟାଣାର ହାଉସ୍ ଟିଡିବିଡି ହାଉସ୍ ଲିଫ୍ଟିଙ୍ଗ କମ୍ପାନୀ ଏହି କାମର ଦାୟିତ୍ୱ ନେଇଛି । ୩ ମାସ ମଧ୍ୟରେ ମନ୍ଦିରକୁ ଉପରକୁ ଉଠାଯିବା କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଅତ୍ୟାଧୁନିକ କୌଶଳର ମଧ୍ୟ ପ୍ରୟୋଗ କରାଯାଉଛି ।