କନକ ବ୍ୟୁରୋ: ମଦ ବ୍ୟବସାୟୀଙ୍କ ଘରୁ ଟଙ୍କାର ପାହାଡ ଜବତ ହୋଇଛି । ମଦ ବ୍ୟବସାୟୀ ରାଜକିଶୋର ସାହୁ ଓ ଦେବରାଜ ସାହୁଙ୍କ ଘରୁ ଏତେ ଟଙ୍କା ଜବତ ହୋଇଛି ଯେ ଜବତ ଟଙ୍କାକୁ ଟ୍ରକରେ ଆଣିବାକୁ ପଡିଛି । ସୁନ୍ଦରଗଡ ଓ ସମ୍ବଲପୁରରେ ରେଡ୍ ବେଳେ ପୁଳା ପୁଳା ନୋଟ ବିଡା ଜବତ ହୋଇଛି ମଦ ବ୍ୟବସାୟୀଙ୍କ ଘରୁ । ବିଡା ବିଡା ଟଙ୍କାରେ ଆଲମିରା ଭର୍ତି ହୋଇଛି । ୧୦୦ ଟଙ୍କିଆରୁ ୫୦୦ ଟଙ୍କିଆ ନୋଟ ବିଡା ଦେଖି ତାଜୁବ ହୋଇଯାଇଛନ୍ତିି ଆୟକର ଅଧିକାରୀ । ଘରର ଯୋଉଠି ହାତ ମାରିଲେ ସେଠାରୁ ବାହାରୁଛି ପୁଳା ପୁଳା ଟଙ୍କା । ଏତେ ପରିମାଣର ଟଙ୍କା ଦେଖି ଆୟକର ଅଧିକାରୀ ତାଜୁବ ହୋଇଯାଇଛନ୍ତି । ଭୁବନେଶ୍ୱର, ସୁନ୍ଦରଗଡ, ରାୟଗଡା, ବୌଦ୍ଧ ଏବଂ ଟିଟଲାଗଡରେ ଏକା ସଙ୍ଗରେ ଆୟକର ବିଭାଗର ରେଡ୍ ଚାଲିଛି । ଟଙ୍କା ଗଣି ଗଣି ମେସିନ୍ ବି ହାଲିଆ ହୋଇଗଲାଣି । ସୂଚନା ଅନୁସାରେ ଟଙ୍କା ଗଣା ପାଇଁ ୧୨ଟି ମେସିନ୍ ଲାଗିଛି । ବହୁ ଦିନ ଧରି ବିଡା ବନ୍ଧା ହୋଇ ରହିଥିବାରୁ ଟଙ୍କା ଗଣିବାରେ ସମସ୍ୟା ଉପୁଜୁଥିବା ଜଣାପଡିଛି ।

Advertisment

ମଦ ବ୍ୟବସାୟୀଙ୍କ ଅମାପ ସମ୍ପତି । ଟଙ୍କା ଗଣି ଗଣି ହାଲିଆ ଆୟକର ବିଭାଗ । କୋଟିଏ କି ଦୁଇ କୋଟି ନୁହେଁ ତାଙ୍କ ଠାରୁ ୨୦୦ କୋଟିରୁ ଅଧିକ ଟଙ୍କା ଠାବ କରାଯାଇଛି । ଘର ଚଟାଣ ହେଉ କି ପଲଙ୍କ, ରୋଷେଇ ଘର ହେଉ ଅବା ଡ୍ରଇଂ ରୁମ, ଯେଉଁଠି ଖୋଜିଲେ ସେଇଠୁ ମିଳୁଛି ଟଙ୍କା । ଆୟକର ଫାଙ୍କିବା ଅଭିଯୋଗରେ ରାଜ୍ୟର ମଦ ବ୍ୟବସାୟୀ ରାଜକିଶୋର ସାହୁ ଏବଂ ଦେବରାଜ ସାହୁଙ୍କ ମଦ ପ୍ରସ୍ତୁତ କାରଖାନାରେ ଚଢାଉ ପରେ ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଗତକାଲି ଠାରୁ ବୌଦ୍ଧ, ରାଉରକେଲା, ଭୁବନେଶ୍ୱର ସୁନ୍ଦରଗଡ଼, ବଲାଙ୍ଗୀର, ରାୟଗଡ଼ା ସମେତ ବିଭିନ୍ନ ସ୍ଥାନରେ ଆୟକର ବିଭାଗ ଚଢାଉ ଜାରି ରଖିଛି । ଏବେ ସୁଦ୍ଧା ୨୦୦ କୋଟିରୁ ଅଧିକ ଟଙ୍କା ଅଧିକାରୀମାନେ ଗଣିସାରିଲେଣି । ଆହୁରି ନୋଟ ଗଣିବା ବାକି ରହିଥିବା ସୂଚନା ମିଳିଛି । ଜବତ ନଗଦ ଟଙ୍କାର ପରିମାଣ ୩୦୦ କୋଟି ଟପିଯାଇପାରେ ବୋଲି ଆକଳନ କରାଯାଉଛି । କିନ୍ତୁ ଆୟକର ବିଭାଗର ଅଧିକାରୀ ଏନେଇ ମୁହଁ ଖୋଲୁନାହାଁନ୍ତି । କେବଳ ଓଡ଼ିଶା ନୁହେଁ ରାଜ୍ୟ ବାହାରେ କୋଲକତା ଏବ ରାଚିଂରେ ଥିବା ରାଜକିଶୋର ସାହୁଙ୍କ ସଂସ୍ଥାରେ ମଧ୍ୟ ଚଢାଉ କରାଯାଇଛି ।

ଆଇଟି ରେଡରେ ଲାଗିଲା ରାଜନୀତିର ରଙ୍ଗ । ମୁହାଁମୁହିଁ ହେଲେ ବିଜେଡି ଓ ବିଜେପି ନେତା । ସୁନ୍ଦରଗଡ, ରାଉରକେଲା ସମେତ ବିଭିନ୍ନ ସ୍ଥାନରେ ଆଇଟି ରେଡ୍ କରି ନଗଦ ୨୦୦ କୋଟି ଟଙ୍କା ଜବତ କରିଥିବା ଜଣାପଡିଛି । ବିଡା ବିଡା ନୋଟ ଜବତର ଦୃଶ୍ୟ ସମସ୍ତଙ୍କୁ ଜଳକା କରିଛି । ଏହାରି ଭିତରେ ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ ଏକ ସାଂଘାତିତ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ଯେଉଁ ମଦ କଂପାନୀ ଉପରେ ଆୟକର ଫାଙ୍କି ଥିବା ଅଭିଯୋଗରେ ରେଡ୍ ଚାଲିଛି ତାର ଜମିର ମାଲିକାନା ଯୋଗେଶ ସିଂହଙ୍କ ମା’ ଓ ଭାଇଙ୍କ ନାଁରେ ଥିଲା । ତେଣୁ ଏବେ କଂପାନୀର ମାଲିକାନା କେମିତି ଆଉ ଜଣଙ୍କ ନାଁକୁ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ନିର୍ବାଚନ ବେଳେ ଏଠାରେ ବଢୁଥିବା ମଦ କାରବାରକୁ ବିରୋଧ କରି ସେ ଭୋଟ୍ ମାଗିଥିଲେ ବୋଲି କହିଛନ୍ତି । ଜବାବରେ ପୂର୍ବତନ ବିଧାୟକ ତଥା ବିଜେଡି ନେତା ଯୋଗେଶ ସିଂହ କହିଛନ୍ତି, ସେ ବିଧାୟିକା ହେବା ପୂର୍ବରୁ ଦେଶୀ ମଦ ବ୍ୟବସାୟରେ ଲିପ୍ତ ଥିଲେ । ତେବେ ରେଡ୍ ଚାଲିଥିବା ବ୍ୟବସାୟୀଙ୍କ ସହ ପାରିବାରିକ ସମ୍ପର୍କ ଥିବା କଥା ସ୍ୱୀକାର କରିଛନ୍ତି ବିଜେଡି ବିଧାୟକ । ହେଲେ କୌଣସି ବ୍ୟବସାୟିକ ସମ୍ପର୍କ ନଥିବା ସେ ସ୍ପଷ୍ଟ କରିଛନ୍ତି ।

ଟଙ୍କା ଦେଖିବ ତ ଓଡ଼ିିଶା ଆସ!
ମଦ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗର ଚଢଉ
ନଗଦ ୨୦୦ କୋଟିରୁ ଅଧି ଟଙ୍କା ଜବତ ସୂଚନା
ରାଜକିଶୋର ସାହୁ ଓ ଦେବରାଜ ସାହୁଙ୍କ ବିଭିନ୍ନ ଠିକଣାରେ ଚଢଉ
ଭୁବନେଶ୍ୱର, ସମ୍ବଲପୁର, ବଲାଙ୍ଗୀର, ବୌଦ୍ଧର ବଡ ଧରଣର ଚଢାଉ
ଟଙ୍କା ଗଣି ମେସିନ ହାଲିଆ
ଟ୍ରକରେ ବ୍ୟାଙ୍କକୁ ବୁହାହେଲା ଟଙ୍କା
ଆଲମିରା, ବେଡରୁ ମିଳିଲା ବସ୍ତା ବସ୍ତା ଟଙ୍କା
ଜବତ ଟଙ୍କା ମଦ ବ୍ୟବସାୟିଙ୍କର ନା ଆଉ କାହାର?