ବେସରକାରୀ ସ୍କୁଲ ଫି ଛାଡ କରିବା ପ୍ରସଙ୍ଗ : ଆସନ୍ତା ୨୩ ତାରିଖରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି

1,420

କନକ ବ୍ୟୁରୋ : କରୋନା ସଂକଟ ସମୟରେ ବେସରକାରୀ ସ୍କୁଲ ଫି ଛାଡ କରିବା ପ୍ରସଙ୍ଗକୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ସରକାରଙ୍କୁ କହିଥିଲେ ହାଇକୋର୍ଟ । ଏ ନେଇ ସ୍ପଷ୍ଟ ଆଭିମୁଖ୍ୟ ରଖିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ଆଜି ଏ ନେଇ ହାଇକୋର୍ଟରେ ଜବାବ ଦାଖଲ କରିଛନ୍ତି ରାଜ୍ୟ ସରକାର । ବେସରକାରୀ ସ୍କୁଲ ଫି ଛାଡ କରିବା ପ୍ରସଙ୍ଗକୁ ନେଇ ହାଇକୋର୍ଟଙ୍କ ଉପରେ ନିଷ୍ପତ୍ତି ନେବା ଦାୟିତ୍ୱ ଛାଡ଼ିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ଜବାବ ଦାଖଲ ପରେ ଆସନ୍ତା ୨୩ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡ଼ିଛି ।

କରୋନା ମହାମାରୀ ସମୟରେ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ପିଲା ସ୍କୁଲ ଯାଉନାହାନ୍ତି କି ଶିକ୍ଷକ ସ୍କୁଲକୁ ଆସୁନାହାନ୍ତି । ଏଭଳି ସ୍ଥଳେ ବେସରକାରୀ ବିଦ୍ୟାଳୟମାନେ ପିଲାମାନଙ୍କଠାରୁ ମାସିକ ଦେୟ ଆଦାୟ କରିବାରେ ଲାଗିଛନ୍ତି । ଏହାକୁ ବିରୋଧ କରି ଅବିଭାବକ ସଂଘ ସ୍କୁଲ ଫି ଛାଡ କରିବାକୁ ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେମାନେ ଅଭିଯୋଗ କରିଥିଲେ କି, ପିଲା ଯେତେବେଳେ ସ୍କୁଲ ଯାଉ ନାହାନ୍ତି ତ ଅବିଭାବକମାନେ କାହିଁକି ମାସିକ ଦେୟ ଦେବେ । ଏ ନେଇ ରାଜ୍ୟସରକାରଙ୍କର କିଛି ସ୍ୱତନ୍ତ୍ର ଗାଇଡଲାଇନ ନ ଥିବା ବେଳେ ବେସରକାରୀ ସ୍କୁଲ ସଂଘ କହିଥିଲା ଯେ, ପିଲା ସ୍କୁଲକୁ ନଆସିଲେ ବି କର୍ମଚାରୀମାନେ ଦରମା ନେଉଛନ୍ତି । ଆନୁସଙ୍ଗିକ ଖର୍ଚ୍ଚ ବି ବନ୍ଦ ହୋଇ ନାହିଁ। ଏହା ସହ ଆମେ ପିଲାମାନଙ୍କୁ ଅନଲାଇନ୍ ମାଧ୍ୟମରେ ଶିକ୍ଷାଦାନ ଦେଇ ଚାଲିଛୁ । ତେଣୁ ଅବିଭାବକମାନେ ମାସିକ ଦେୟ ଦେବାକୁ ବାଧ୍ୟ ।