ବିଧାନସଭାରେ ଉଠିଲା ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ । ଗାଇଡଲାଇନରେ ପରିବର୍ତ୍ତନ ଆଣନ୍ତୁ ସରକାର

142

କନକ ବ୍ୟୁରୋ : ମୂର୍ତ୍ତି ଉଚ୍ଚତା ବୃଦ୍ଧି ଓ ତିନି ପାର୍ଶ୍ୱରୁ ପରଦା ଉଠାଇବା ନେଇ ଆଜି ଗୃହରେ ଉଦବେଗ ପ୍ରକାଶ ପାଇଛି । ପ୍ରଶ୍ନକାଳ ସରିବା ପରେ ପୂଜା କଟକଣା ନେଇ ଦାବି ଉଠାଇ କଂଗ୍ରେସ ବିଧାୟକଙ୍କ ଗୃହରେ ହୋହାଲ୍ଲା କରିଛନ୍ତି । ଗୃହର ମଧ୍ୟଭାଗକୁ ଆସି କଂଗ୍ରେସ ସଦସ୍ୟ ପ୍ରତିବାଦ କରିଛନ୍ତି । ଫଳରେ ୧୦ମିନିଟ ପାଇଁ ବିଧାନସଭା ମୂଲତବୀ ରଖିଥିଲେ ବାଚସ୍ପତି । ଗଣେଷ ପୂଜାକୁ ନେଇ ଜାରି କରାଯାଇଥିବା କଟକଣାକୁ ନେଇ ସବୁଠି ପ୍ରତିବାଦ କରାଯାଇଛି ।

କରୋନା କଟକଣାକୁ କୋହଳ କରାଯାଇଥିବା ବେଳେ କାହିଁକି ପୂଜା ବେଳେ ଏମିତି କଟକଣା ରଖାଯାଇଛି ବୋଲି ସମସ୍ତେ ଏହାକୁ ପ୍ରତିବାଦ କରିଛନ୍ତି । ଆଲୋଚନା କାଳରେ ଉଦବେଗ ପ୍ରକାଶ କଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ୧୦୦୦ ବର୍ଷର ସହର କଟକ। ସରକାରଙ୍କ ଗାଇଡ଼ଲାଇନ ରେ ଧର୍ମୀୟ ଭାବନାକୁ କୁଠାରଘାତ କରାଯାଇଛି। ପରଦା ହଟାଇବା ସହିତ ମୃଣ୍ମୟୀ ମୂର୍ତ୍ତିର ଉଚ୍ଚତା ବୃଦ୍ଧି ପାଇଁ ଦାବି । କଟକ ସହିତ ସାରା ଓଡିଶା ପାଇଁ କଟକଣା ହଟୁ। ବାଚସ୍ପତିଙ୍କ ରୁଲିଂ ଦାବି କଲେ ମୋକିମ । ସମାନ ଦାବି କଲେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ।

ତେବେ କରୋନା ସଂକ୍ରମଣ କମୁଥିବା ବେଳେ ପାର୍ବଣ କଟକଣା କାହିଁକି ? ମୂର୍ତ୍ତିର ଉଚ୍ଚତା ବଢିବା ସାଙ୍ଗରେ କରୋନା ସଂକ୍ରମଣର ସମ୍ପର୍କ କଣ ? ଯଦି ରାଜନୈତିକ ସମାବେଶ ପାଇଁ ୧୦୦୦ ଜଣଙ୍କୁ ଅନୁମତି ମିଳିପାରିବ, ତେବେ ପୂଜାରେ କେବଳ ୭ ଜଣଙ୍କୁ ଅନୁମତି କାହିଁକି ? କରୋନା ସଂକ୍ରମଣ କମ ହୋଇଥିବାରୁ ବିବାହ ଉତ୍ସବରେ ୨୫୦ ଜଣଙ୍କୁ ଅନୁମତି ମିଳୁଛି, କିନ୍ତୁ ପୂଜା ବେଳେ ଭକ୍ତଙ୍କୁ କାହିଁକି ଦର୍ଶନ ପାଇଁ ମିଳିବନି ଅନୁମତି ?