କନକ ବ୍ୟୁରୋ: ଆମ ଓଡିଶା ନବୀନ ଓଡିଶା ଯୋଜନା ନିର୍ବାଚନରେ ଜନସାଧାରଣଙ୍କୁ ପ୍ରଭାବିତ କରିବା ପାଇଁ କରାଯାଇଥିଲା । କର୍ମୀଙ୍କୁ ପଇସା ଦେଇ ନିର୍ବାଚନ ଜିତିବା ପାଇଁ ହେଇଥିଲା । ଏହି ଯୋଜନା ଦ୍ୱାରା ଗାଁ ଭୋଟ୍ କିଣିବାକୁ ଯୋଜନା ହେଇଥିଲା । ବିଧାନସଭା ଶୂନ୍ୟକାଳରେ ବିରୋଧୀଙ୍କ ଉପରେ ବର୍ଷିବା ସହ ଏପରି କିଛି କଥା କହିଛନ୍ତି ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ । ସେ କହିଛନ୍ତି ନୀତି ଭ୍ରଷ୍ଟ ଓ ଦୁର୍ନୀତି ପାଇଁ ଏହି ଯୋଜନା କରିଥିଲା ବିଜେଡି । ଜେଇଙ୍କ ମାଧ୍ୟମରେ କୋଟି କୋଟି ଟଙ୍କା ଲୁଟ୍ କରାଯାଇଛି ।

ତେବେ ପୂର୍ବ ସରକାରଙ୍କ ଯୋଜନାର ନା ବଦଳିବାକୁ ନେଇ ଆଜି ବିଧାନସଭାରେ ଉଦବେଗ ପ୍ରକାଶ ପାଇଥିଲା । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଥିଲେ ବିଜେଡି ବିଧାୟକ ଗଣେଶ୍ୱର ବେହେରା । ସେ କହିଥିଲେ, ସରକାର ବଦଳିବା ପରେ ୩୧୪ ବ୍ଲକରେ ବିକାଶ କାର୍ଯ୍ୟ ଠପ୍ ହେଇଯାଇଛି । ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ବିକାଶ ମୂଳକ କାମ ପାଇଁ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଦିଆଯିବ ନେଇ ଘୋଷଣା କରାଯାଇଥିଲା। ସରକାର ବଦଳିବା ପରେ ଏହି ଯୋଜନାରେ କୌଣସି କାର୍ୟ୍ୟ ହେଉନି। ଖାଲି ସେତିକି ନୁହେଁ, କାର୍ୟ୍ୟାଦେଶ ମିଳିବା ପରେ ବି କାମ ହେଉନି। ଯେଉଁଠି କାମ ସରିଛି ବିଲ୍ ବି ହେଉନି । ଏବେ ନୂଆ ସରକାର ବିକଶିତ ଗାଁ ବିକଶିତ ଓଡ଼ିଶା କରିଛନ୍ତି,ତେଣୁ ଏ ସଂକ୍ରାନ୍ତରେ ସରକାରଙ୍କ ସ୍ପଷ୍ଟୀକରଣ ଦାବି କରିଛନ୍ତି ବିଜେଡି ବିଧାୟକ। କେବଳ ନାଁ ପରିବର୍ତ୍ତନ କରିଦେଲେ ଗୋଲାପ ଫୁଲ ଦୁଦୁରା ଫୁଲ ହୋଇଯିବନି ବୋଲି କହିଛନ୍ତି ଗଣେଶ୍ୱର ବେହେରା।

ଅନ୍ୟପଟେ ବିଧାନସଭା ଭିତରେ ବିଜେଡି ବିଧାୟକଙ୍କ ଏପରି ମନ୍ତବ୍ୟ ପରେ ଏହାକୁ କାଉଣ୍ଟର କରିଥିଲେ ବିଜେପି ବିଧାୟକ ଆଶ୍ରିତ ପଟ୍ଟନାୟକ। ଆମ ଓଡ଼ିଶା ନବୀନ ଓଡ଼ିଶା ନିର୍ବାଚନ ଜିତିବା ପାଇଁ ଯୋଜନା ହୋଇଥିଲା। ନିର୍ବାଚନ ପୂର୍ବରୁ କର୍ମୀଙ୍କୁ ପଇସା ଦେଇ ନିର୍ବାଚନ ଜିତିବାକୁ ଯୋଜନା ହୋଇଥିଲା ବୋଲି ସେ କହିଛନ୍ତି ।