କନକ ବ୍ୟୁରୋ: ବିଧାନସଭାରେ ଉଠିଲା ରଥଯାତ୍ରା ବିଭ୍ରାଟ ପ୍ରସଙ୍ଗ। ମୁଲତବୀ ଆଲୋଚନା ଅଧାରୁ ବିଜେଡି ସଦସ୍ୟଙ୍କ କକ୍ଷତ୍ୟାଗ । ରାଜ୍ୟ ସରକାର ରଥଯାତ୍ରା ବିଭ୍ରାଟ ମାନିବାକୁ ନାରାଜ ହେବାରୁ ବିଜେଡି ବିଧାୟକ କକ୍ଷତ୍ୟାଗ କରିଥିବା କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଏଥିସହ ସରକାର କୌଣସି କଥା ନ ମାନିଲେ ସହଯୋଗ କରାଯିବ ନାହିଁ ବୋଲି ସେ କହିଛନ୍ତି । ସେହିପରି ରଥ ଉପରୁ ବଡ଼ ଠାକୁର ଖସିପଡ଼ିବା, ଦଳାଚକଟାରେ ଜଣଙ୍କ ମୃତ୍ୟୁ, ଟ୍ରାଫିକ ଅବ୍ୟବସ୍ଥା, ଅଣ ସେବାୟତ ରଥ ଉପରେ ଚଢ଼ିବା ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ । ଆଇନମନ୍ତ୍ରୀ ବିଭ୍ରାଟ କଥା ମାନିବା ସହ କଣ ପଦକ୍ଷେପ ନେଇଛନ୍ତି ଜଣାଇବାକୁ ସେ ଦାବି କରିଛନ୍ତି।

Advertisment

ଅନ୍ୟପଟେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉତ୍ତରରେ କହିଛନ୍ତି, ବିରୋଧୀଙ୍କ ଆରୋପ ଅସତ୍ୟ ଉପରେ ଆଧାରିତ ଏବଂ କପୋଳକଳ୍ପିତ । ଦଳାଚକଟାରେ କେହି ମରିନାହାନ୍ତି । ବିରୋଧୀ ମିଥ୍ୟା ଅବତାରଣା କରିଛନ୍ତି । ଏଥିସହ ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ଅସୁବିଧା ହୋଇନାହିଁ, ସଠିକ ଭାବେ କାର୍ଯ୍ୟ କରାଯାଇଛି । ଦଳାଚକଟା ହୋଇନାହିଁ, ହୃଦଘାତରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ସେପଟେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କଡାମ କହିଛନ୍ତି, ରଥଯାତ୍ରା ସଫଳ ହୋଇନାହିଁ । ମହାବିଭ୍ରାଟ ଘଟିଛି, ବଡ଼ ଅଘଟଣ ଘଟିଛି । କେବେ ବି ଏଭଳି ଦେଖିବାକୁ ମିଳିନଥିଲା । ମହାପ୍ରଭୁ ବଳଭଦ୍ର ତଳେ ପଡିଲେ, ମହାବିଭ୍ରାଟ ହେଲା । ସରକାର ଭଗବାନଙ୍କ ନାମ ନେଇ ଆସିଛନ୍ତି । ମହାବିଭ୍ରାଟ ପରେ କହୁଛନ୍ତି ଅଭିଯୋଗ ନିରାଧାର । ବିଭ୍ରାଟ କିଛି ହୋଇନି, ସମସ୍ୟା ଲୁଚାଇବା ଦୁଃଖ ଓ ପରିତାପର ବିଷୟ ବୋଲି ସେ କହିଛନ୍ତି।