ଦିଲ୍ଲୀରେ ଉଠିବ ଓଡି଼ଆ ଅସ୍ମିତା ପ୍ରସଙ୍ଗ । ବିଜେପି ପ୍ରସ୍ତୁତ କରିଛି ଖସଡ଼ା

316

କନକ ବ୍ୟୁରୋ : ପ୍ରଥମ ଥର ପାଇଁ ଓଡିଶାରେ ସରକାର କରିଛି ଭାରତୀୟ ଜନତା ପାର୍ଟି । ଅପ୍ରତ୍ୟାଶିତ ଭାବେ ୨୧ରୁ ୨୦ ସାଂସଦ ଜିତି ବିଜେଡିକୁ ଲୋକସଭାରେ ମୁଳପୋଛ କରିଛି ଦଳ । ଓଡିଆ ଅସ୍ମିତା, ଭାଷା, ସାହିତ୍ୟ ଓ ସଂସ୍କୃତିକୁ ପ୍ରସଙ୍ଗ କରି ରାଜ୍ୟ ନିର୍ବାଚନ ବୈତରଣୀ ପାର କରିଥିଲା ବିଜେପି । ଆଉ ସେହି ପ୍ରସଙ୍ଗକୁ ଏବେ ଦିଲ୍ଲୀ ଦରବାରରେ ଉଠାଇବ ଦଳ । ସଂସଦର ମୌସୁମୀ ଅଧୀବେସନରେ ଓଡିଶାର ବିଭିନ୍ନ ପ୍ରସଙ୍ଗ ତଥା ସମସ୍ୟାକୁ ଦିଲ୍ଲୀରେ ଉଠାଇବାକୁ ଖସଡା ପ୍ରସ୍ତୁତ କରୁଛି ଦଳ ।

ଆସନ୍ତା ୨୪ ରେ ପାର୍ଲାମେଂଟ ଅଧିବେଶନରେ ନିର୍ବାଚିତ ସାଂସଦମାନେ ଶପଥ ଗ୍ରହଣ କରିବେ । ଆଉ ସାନ୍ତାଳୀ ଭାଷାରେ ଶପଥ ନେବେ ମୟୁରଭଞ୍ଜ ସାଂସଦ ନବ ଚରଣ ମାଝୀ । ଆଦିବାସୀ ଜମି ବିକ୍ରୟ ପ୍ରସଙ୍ଗକୁ ବିଧାନସଭାରେ ସାନ୍ତାଳୀ ଭାଷାରେ ଉଠାଇ ବିରୋଧ କରିଥିଲେ ନବ , ଯାହା ତତକାଳୀନ ସରକାରଙ୍କୁ ବ୍ୟାକଫୁଟକୁ ନେଇଥିଲା । ଆଉ ଏବେ ସେହି ସାନ୍ତାଳୀ ଭାଷାରେ ପାର୍ଲାମେଂଟରେ ଶପଥ ନେବେ ନବ ମାଝୀ । ସେହିଭଳି ପୁଣି ଥରେ ସଂସ୍କୃତରେ ଶପଥ ନେବେ ବାଲେଶ୍ୱର ସାଂସଦ । ସଂସ୍କୃତରେ ଶପଥ ନେବା ପାଇଁ ଆବେଦନ କରିଛନ୍ତି , ଅନୁମତି ମିଳିଲେ ସଂସ୍କୃତରେ ଶପଥ ନେବି ବୋଲି କହିଛନ୍ତି ପ୍ରତାପ ଷଡଙ୍ଗୀ ।

ଲୋକସଭାରେ କାମଚଳା ବାଚସ୍ପତି ହେଉଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ । ଓଡିଆ ସାଂସଦଙ୍କୁ ଆଉ ଜଣେ ଓଡିଆ ପଦ ଓ ଗୋପନୀୟତାର ଶପତପାଠ କରାଇବେ । ପୂର୍ବରୁ କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇ ବିଜେପିକୁ ଟାର୍ଗେଟ କରୁଥିଲା ବିଜେଡି । ଏବେ ଦିଲ୍ଲୀରେ ଓଡିଆ ଅସ୍ମିତା କଥା ଉଠାଇବ ବିଜେପି । ତେବେ ଭବିଷ୍ୟତରେ ଓଡିଆ ଭାଷା ଓ ସାହିତ୍ୟ ପାଇଁ ବିଜେପି କଣ କରୁଛି, ତା ଉପରେ ସମସ୍ତଙ୍କ ନଜର ରହିବ ।