ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ ସଂକ୍ରାନ୍ତିୟ ଖବର ପ୍ରସାରଣ ପ୍ରସଙ୍ଗ । ସରକାର ରଖିଲେ ସ୍ପଷ୍ଟୀକରଣ । କହିଲେ, ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତି ନଷ୍ଟ ପାଇଁ ଜାଣିଶୁଣି ହୋଇଛି ଉଦ୍ୟମ । ଓଟିଭି ପକ୍ଷରୁ ପ୍ରସାରିତ ହୋଇଛି ମିଛ ଖବର ।

532

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଂଚଳ ପରିଦର୍ଶନ ସଂକ୍ରାନ୍ତରେ ପ୍ରସାରିତ ହୋଇଥିବା ଖବର ସଂକ୍ରାନ୍ତରେ ସ୍ପଷ୍ଟୀକରଣ ସାମ୍ନାକୁ ଆସିଛି । ଏଥିରେ କୁହାଯାଇଛି, ଓଟିଭି ପକ୍ଷରୁ ମିଛ ଖବର ପ୍ରସାରିତ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତି ନଷ୍ଟ ପାଇଁ ହୋଇଥିବା ଉଦ୍ୟମ ଫସର ଫାଟିଯାଇଛି । ୩୧ ଅଗଷ୍ଟ ୨୦୨୦ରେ କୈାଣସି ଭିଭିଆଇପି ମୁଭମେଂଟ ହୋଇନଥିବା ଓଟିଭିର ରିପୋର୍ଟରେ ଦର୍ଶାଯାଇଥିଲା । ହେଲେ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର ନିୟମ ଅନୁସାରେ, କୈାଣସି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଉଡାଣ ଭିଭିଆଇପି କାଟାଗୋରୀରେ ଆସେନାହିଁ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଏଥିରେ ସ୍ଥାନିତ ହୋଇନଥିଲା ।

ପ୍ରସାରିତ ହୋଇଥିବା ରିପୋର୍ଟରେ କୁହାଯାଇଥିଲା, ମୁଖ୍ୟମନ୍ତ୍ରୀଙ୍କ ମୋଟ ଗସ୍ତ ସମୟ ଥିଲା ୧୯ ମିନିଟ, ଯେଉଁଥିରେ ଉଭୟ ଉଡାଣ ଓ ଅବତରଣ ସମୟ ସାମିଲ ଥିଲା । ତେବେ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର ଚିଠିରୁ ସ୍ପଷ୍ଟ ଜଣାପଡୁଥିଲା, ଯେ ମୁଖ୍ୟମନ୍ତ୍ରୀଙ୍କ ମୋଟ ଗସ୍ତ ସମୟ ଥିଲା ୧୯ ମିନିଟ । ଯେଉଁଥିରେ ଉଡାଣ ଏବଂ ଅବତରଣ ସମୟ ସାମିଲ ନଥିଲା ।

ସ୍ପଷ୍ଟୀକରଣରେ କୁହାଯାଇଛି, ମୁଖ୍ୟମନ୍ତ୍ରୀଙ୍କ ମୋଟ ଗସ୍ତ ସମୟ ୩୦ ମିନିଟର ଥିଲା । ଯେଉଁଥିରୁ ୧୯ ମିନିଟ ଏୟାର ଟାଇମ ଥିଲା । ଓଟିଭି ତାର ରିପୋର୍ଟରେ ଦର୍ଶାଇଥିଲା, ୧୯ ମିନିଟ ଭିତରେ ବନ୍ୟାଂଚଳ ଗସ୍ତ କରି ଫେରିବା ସମ୍ଭବ ନୁହେଁ । ସ୍ପଷ୍ଟୀକରଣରେ କୁହାଯାଇଛି, ମୁଖ୍ୟମନ୍ତ୍ରୀ ବ୍ୟବହାର କରୁଥିବା ହେଲିକପଟର ଅତ୍ୟାଧୁନିକ ଏବଂ ଏଥିରେ ଦୁଇଟି ଇଂଜିନ ରହିଛି । ଭୁବନେଶ୍ୱରରୁ ସର୍ବାଧିକ ପ୍ରଭାବିତ ଅଂଚଳରେ ପହଂଚିବାକୁ ଏଭଳି ହେଲିକପଟରକୁ ୫ ରୁ ୬ ମିନିଟ ସମୟ ଲାଗିଥାଏ । ବନ୍ୟାଂଚଳ ଗସ୍ତ କରି ଆସିବା ପରେ ଫଟୋ ଏବଂ ଭିଡିଓକୁ ସେହି ସମାନ ଦିନ ଗଣମାଧ୍ୟମକୁ ଦିଆଯାଇଥିଲା ।

ଓଟିଭି ତାର ରିପୋର୍ଟରେ ଦର୍ଶାଇଥିଲା ମୁଖ୍ୟମନ୍ତ୍ରୀ ବ୍ୟବହାର କରିଥିବା ହେଲିକପଟର ୧୦ ଟା ୧୨ ସମୟରେ ଛାଡିଥିଲା ଆଉ ୧୦ଟା ୩୧ ମିନିଟ ସମୟରେ ମୂଳ ସ୍ଥାନରେ ପହଂଚି ଯାଇଥିଲା । ସ୍ପଷ୍ଟୀକରଣରେ କୁହାଯାଇଛି, ବିନା ଅନୁସନ୍ଧାନରେ ଏଭଳି ତଥ୍ୟକୁ ପରିବେଷଣ କରାଯାଇଛି । ହେଲିକପଟରର ଏୟାର ଟାଇମ ଅପରାହ୍ନ ୩ଟା୪୨ ରୁ ଅପରାହ୍ନ ୪ଟା ୧ ପର୍ଯ୍ୟନ୍ତ ଥିଲା । ମୋଟ ଗସ୍ତ ସମୟ ଥିଲା ୩୦ ମିନିଟ । ଓଟିଭି ପକ୍ଷରୁ ଯେଉଁ ଖବର ପ୍ରସାରଣ କରାଯାଇଥିଲା ତାହା ମିଛ ଓ ଭୁଲ ଖବର ବୋଲି ସ୍ପଷ୍ଟୀକରଣରେ କୁହାଯାଇଛି । ଯାହା ଦୁର୍ଭାଗ୍ୟଜନକ ବୋଲି ଉଲ୍ଲେଖ ରହିଛି । ତେବେ ଖବର ପ୍ରସାରଣ କରିଥିବା ସଂସ୍ଥା ଓଟିଭିର ଏହା ଉପରେ କିଛି ପ୍ରତିକ୍ରିୟା ମିଳିପାରିନାହିଁ ।