ଏମକେସିଜିରେ କ୍ରିକେଟ ମ୍ୟାଚ ଯୋଗୁଁ ଚିକିତ୍ସା ଅବହେଳା ପ୍ରସଙ୍ଗ । କମିଟି ଗଠନ କଲେ ମେଡିକାଲ କର୍ତ୍ତୃପକ୍ଷ । ପ୍ରଶ୍ନ : କ୍ରିକେଟ ବେଳେ ଜରୁରୀକାଳୀନ ଚିକିତ୍ସା ମନା କି? ।

198

କନକ ବ୍ୟୁରୋ: ରୋଗୀଙ୍କୁ ଉଚିତ ଚିକିତ୍ସା କ୍ରିକେଟ ଦେଖିବାରେ ବ୍ୟସ୍ତ ରହିଥିଲେ ଏମକେସିଜିର ଡାକ୍ତର । ତେଣୁ ରୋଗୀଙ୍କ ମୃତ୍ୟୁ ହୋଇଛି । ଏହି ଅଭିଯୋଗର ତଦନ୍ତ ପାଇଁ ଗଠନ ହୋଇଛି କମିଟି । ଯେଉଁ ଅଭିଯୋଗ ଆସିଛି, ସେଥିର ସତ୍ୟତା କେତେ ରହିଛି ତାର ତଦନ୍ତ କରିବ ଏହି ଟିମ୍ । ଏମକେସିଜି ଅଧ୍ୟକ୍ଷଙ୍କ ନିର୍ଦ୍ଦେଶରେ ଏହି ଟିମ୍ ଗଠନ ହୋଇଛି । ତେବେ ଯେଉଁ ଅଭିଯୋଗ ଆସିଛି ଏହାକୁ ଖଣ୍ଡନ କରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ଅଭିଯୋଗର ତଦନ୍ତ କରି ସତ୍ୟାସତ୍ୟ ସାମ୍ନାକୁ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମେଡିକାଲ ସୁପରିଟେଣ୍ଡେଂଟ କହିଛନ୍ତି ।

ଅଭିଯୋଗ ଅନୁସାରେ ଦିଗପହଣ୍ଡି ବ୍ଲକ କରାଡପଡାର ହିମାଂଶୁ ଶେଖର ପ୍ରଧାନଙ୍କ ୨ ମାସ ତଳେ ଗୋଡରେ ମାଡ ବାଜି ଆଘାତ ହୋଇଥିଲା । ସେହି ଆଘାତରେ ଏକ କଣ୍ଟା ବାଜି କ୍ଷତାକ୍ତ ହେବାରୁ ଗତ ବୁଧବାର ଏମକେସିଜିରେ ଭର୍ତ୍ତି କରିଥିଲେ ପରିବାର ଲୋକ । କିନ୍ତୁ କାର୍ଯ୍ୟରତ ଡାକ୍ତର ସେହି ସମୟରେ ରୋଗୀଙ୍କୁ ଚିକିତ୍ସା କରିବା ବଦଳରେ ମୋବାଇଲରେ କ୍ରିକେଟ ମ୍ୟାଚ୍ ଦେଖିବାରେ ବ୍ୟସ୍ତ ଥିଲେ । ହିଂମାଶୁଙ୍କ କଥା ଠିକରେ ନଶୁଣି, ଠିକରେ ରୋଗୀଙ୍କୁ ନଦେଖି ୨ ମାସର ଔଷଧ ଖାଇଦିଅ ଏବଂ ନିୟମିତ ଡ୍ରେସିଂ କଲେ ଭଲ ହୋଇଯିବ ବୋଲି ଡାକ୍ତର କହିଥିଲେ । ଏହାପରେ ୨ ମାସର ଔଷଧ କିଣି ହିମାଂଶୁଙ୍କୁ ସାଙ୍ଗରେ ଧରି ପରିବାର ଲୋକେ ଘରକୁ ଫେରି ଆସିଥିଲେ । କିନ୍ତୁ ଗୁରୁବାର ସକାଳୁ ପୁଣି ହିମାଂଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଯାଇଥିଲା । ତୁରନ୍ତ ତାଙ୍କୁ ପ୍ରଥମେ ବମକେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ହିମାଂଶୁ ପ୍ରଧାନଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଏହାପରେ ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ ଆଣିଥିଲେ ପରିବାର ଲୋକେ ।