ମସ୍କୋ ବୈଠକରେ ଉଠିଲା ଭାରତ ଚୀନ୍ ସୀମା ବିବାଦ ପ୍ରସଙ୍ଗ । ଚୀନ୍ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ କଥା ହେଲେ ରାଜନାଥ , ଏଲଏସିରେ ବିବାଦ ଦେଖା ଦେବା ପରେ ପ୍ରତିରକ୍ଷା ମନ୍ତ୍ରୀ ସ୍ତରରେ ପ୍ରଥମ ବୈଠକ

203

କନକ ବ୍ୟୁରୋ : ଥମୁନି ଭାରତ ଚୀନ୍ ସୀମା ବିବାଦ ମାମଲା । ଲଦାଖରେ ଏବେ ବି ଭାରତ ଚୀନ ସୈନ୍ୟ ମୁହାଁମୁହିଁ ସ୍ଥିତିରେ ରହିଛନ୍ତି । ଲଦାଖରେ ଦୁଇ ଦେଶର ସେନା ମୁହାଁମୁହିଁ ସ୍ଥିତିରେ ରହିଥିବା ନେଇ ସ୍ଥଳସେନା ମୁଖ୍ୟ ଏମ୍ ଏମ୍ ନରବଣେ ସୂଚନା ଦେଇଛନ୍ତି । ସେପଟେ ସୀମା ବିବାଦ ଭିତରେ ଋଷ ରାଜଧାନୀ ମସ୍କୋରେ ସାଂଘାଇ କୋପରେସନ୍ ବୈଠକ ହୋଇଛି । ଏଠାରେ ସାମ୍ନାସାମ୍ମି କଥା ହୋଇଛନ୍ତି ଭାରତର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏବଂ ଚୀନ୍ ପ୍ରତିରକ୍ଷାମନ୍ତ୍ରୀ । ପ୍ରାୟ ୨ ଘଂଟା ୨୦ ଧରି ଏହି ବୈଠକ ଚାଲିଥିବା ସୂଚନା ମିଳିଛି । ସୀମା ବିବାଦ ପ୍ରସଙ୍ଗରେ ଏହି ଅବସରରେ ଦୁଇ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଆଲୋଚନା କରିଥିଲେ ।

ଗତ ଜୁନ୍ ମାସରୁ ଲଦାଖରେ ସୀମା ବିବାଦ ଦେଖା ଦେବା ପର ଠାରୁ ବ୍ରିଗେଡିୟର କମାଣ୍ଡର ସ୍ତରୀୟ ଆଲୋଚନା ହୋଇଛି । କିନ୍ତୁ ଦୁଇ ଦେଶର ପ୍ରତିରକ୍ଷା ମନ୍ତ୍ରୀ ସ୍ତରୀୟ ଆଲୋଚନା ହେବାରେ ଏହା ପ୍ରଥମ ଘଟଣା । ସୂଚନା ଅନୁସାରେ ଏଲଏସିକୁ ନେଇ ଦୁଇ ଦେଶ ମଧ୍ୟରେ ସୀମା ନିର୍ଦ୍ଦାରଣ ସମସ୍ୟା ଦୂର ହୋଇନଥିବାରୁ ଏପରି ସ୍ଥିତି ଉପୁଜିଥିବା ଆଲୋଚନା ସମୟରେ କହିଛନ୍ତି ଚୀନ ପ୍ରତିରକ୍ଷା ମନ୍ତ୍ରୀ ଫେଂଘେ । ସୀମାକୁ ନେଇ ଭାରତ ନିଜ ସ୍ଥିତିରେ ଅଟଳ ଥିବା ରାଜନାଥ ସ୍ପଷ୍ଟ କରିଛନ୍ତି ।

ଭାରତ ଏହାର ସାର୍ବଭୌମତ୍ୱ ଏବଂ ଅଖଣ୍ଡତା ବଜାୟ ରଖିବା ସହ ସୀମାରେ ସ୍ଥିରତା ଓ ଶାନ୍ତି ବଜାୟ ରଖିବା ଦିଗରେ ବି କାମ କରିବ ବୋଲି ଚୀନ୍ କୁ କହିଛନ୍ତି ରାଜନାଥ । ପ୍ରତିରକ୍ଷା ସଚିବ ଅଜୟ କୁମାର ଏବଂ ଋଷରେ ଚୀନ୍ ପାଇଁ ଥିବା ଭାରତୀୟ ରାଷ୍ଟ୍ରଦୂତ ଡି ବି ଭେଙ୍କଟେଶ ବର୍ମା ମସ୍କୋର ଏକ ପ୍ରମୁଖ ହୋଟେଲରେ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କିଛି ଦିନ ମଧ୍ୟରେ ଭାରତୀୟ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଋଷ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ସୀମା ବିବାଦକୁ ନେଇ ଭାରତ ଓ ଚୀନର ବୈଦେଶିକ ମନ୍ତ୍ରୀ ସ୍ତରୀୟ ଆଲୋଚନା ହେବା ସଂଭାବନା ଥିବା କୁହାଯାଉଛି ।

Comments are closed.