କନକ ବ୍ୟୁରୋ: ବଲାଙ୍ଗୀର ନକଲି ସାର୍ଟିଫିକେଟ୍ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଆଉ ଶୂନ୍ୟକାଳରେ ବଲାଙ୍ଗିର ଜାଲ ସାର୍ଟିଫିକେଟ ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ନରସିଂହ କହିଥିଲେ, ବର୍ତ୍ତମାନ ସୁଦ୍ଧା ୧୯ ଜଣ ଗିରଫ ହେଲେଣି । ଏଥିରେ ଆଉ କେତେଜଣ ଗିରଫ ହେବେ ତାହା ଆକଳନ ବାହାରେ । ବାହାର ଜିଲ୍ଲା ଓ ରାଜ୍ୟରେ ତଦନ୍ତ କରିବାକୁ ପୋଲିସର କ୍ଷମତା ଅଛି କି ନାହିଁ । ଏହି ଘଟଣାରେ ପୁଲିସ ଓ ଗୁଇନ୍ଦା ବିଫଳ ହୋଇଛି । ଏ ନେଇ ଆଲୋଚନା କରାଯାଇ ନିର୍ଯାସ ବାହାର କରାଯାଉ । ନହେଲେ ସ୍ଥିତି ଆଗକୁ ଅଧିକ ସଙ୍ଗୀନ ହେବ । ଗୃହରେ ଅଭିଯୋଗ ଆଣିଥିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ସେ କହିଥିଲେ, ଗିରଫ ଅଭିଯୁକ୍ତଙ୍କ ସହ ବିଜେଡି ନେତା ସୁଶାନ୍ତ ସିଂଙ୍କ ଲିଙ୍କ୍ ରହିଛି । ଏହି ପ୍ରସଙ୍ଗରେ କଂଗ୍ରେସ ଗୃହରେ ପ୍ରତିବାଦ କରିଥିଲା ।

Advertisment

ଜାଲ ସାର୍ଟିଫିକେଟ ନେଇ କଂଗ୍ରେସ ପରେ ବିଜେପି ବି ବିଧାନସଭା ବାହାରେ ପ୍ରତିବାଦ କରିଛି । ଗୃହ ବାହାରେ ଶାସକ ଦଳ ନେତା ସୁଶାନ୍ତ ସିଂଙ୍କ ସହ ଗିରଫ ଅଭିଯୁକ୍ତ ମନୋଜ ମିଶ୍ରଙ୍କ ଲିଙ୍କ ଥିବା ଦର୍ଶାଇ ପ୍ରତିବାଦ କରିଥିଲେ ବିଜେପି ବିଧାୟକ । ସୁଶାନ୍ତ ସିଂଙ୍କ ଫଟୋ ବି ଦେଖାଇଥିଲେ ବିଜେପି ସଦସ୍ୟ । ଜବାବରେ ବିଜେଡି କହିଛି, ଘଟଣାର ତଦନ୍ତ ଚାଲିଛି । ଦୋଷୀଙ୍କୁ ଦଣ୍ଡବିଧାନ ହେବ । ବିଜେଡି ନେତାଙ୍କ କୌଣସି ଲିଙ୍କ୍ ନାହିଁ । ବିରୋଧୀଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ ।

ବଲାଙ୍ଗୀର ଜାଲ ସାର୍ଟିଫିକେଟ ରାକେଟର ଚେର ରାଜ୍ୟ ବାହାରକୁ ବି ଲମ୍ବିଛି । ଏହା ପଛରେ କିଏ ଅଛି ? କିଏ ଚଳାଉଥିଲା ଜାଲ ସାର୍ଟିଫିକେଟ ର୍ୟାକେଟ ? ଏହି ର୍ୟାକେଟ କେଉଁ ନେତାଙ୍କ ଛତ୍ରଛାୟା ତଳେ ଚାଲିଥିଲା କି? ଜାଲ ସାର୍ଟିଫିକେଟ ନେଇ କିଛି ଏଭଳି ପ୍ରଶ୍ନ ଉଠିଛି, ଯାହା ଆଗାମୀ ଦିନରେ ସ୍ପ୍ଷ୍ଟ ହେବା ଆଶା କରାଯାଉଛି ।