ମନ୍ଦିର ନହେଉଣୁ ଜମି ବିବାଦ । ବଢ଼ିବାରେ ଲାଗିଛି ରାମମନ୍ଦିରର ଜମି କିଣାରେ ଦୁର୍ନୀତି ଅଭିଯୋଗ ପ୍ରସଙ୍ଗ । ପ୍ରଧାନମନ୍ତ୍ରୀ ମୋଦିଙ୍କ ହସ୍ତକ୍ଷେପ ଦାବି କଲା ଶିବସେନା

166

କନକ ବ୍ୟୁରୋ: ରାମମନ୍ଦିର ଜମି କିଣାରେ ଦୁର୍ନୀତି ହୋଇଥିବା ନେଇ ଆପ୍ ଅଭିଯୋଗ ପରେ ଆରମ୍ଭ ହୋଇଥିବା ବିବାଦ ବଢ଼ିଚାଲିଛି । ବିରୋଧୀମାନେ ଏକାଠି ହୋଇ ସରକାରଙ୍କୁ ଘେରିଛନ୍ତି । ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀ ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛି ଶିବସେନା । କଂଗ୍ରେସ ମଧ୍ୟ ତଦନ୍ତ ଦାବି କରିଛି । କଂଗ୍ରେସ କର୍ମୀ କାନପୁରରେ ବିକ୍ଷୋଭ କରିଛନ୍ତି । ସେପଟେ ପ୍ରଥମେ ଅଭିଯୋଗ ଆଣିଥିବା ଆପ୍ ନେତା ସଂଜୟ ସିଂଙ୍କ ଘରେ ଭଙ୍ଗାରୁଜା ହୋଇଛି । ଏନେଇ ଦୁଇଜଣଙ୍କୁ ଗିରଫ କରାଯାଇଥିବା ପୋଲିସ୍ କହିଛି ।

ରାମମନ୍ଦିର ପାଇଁ ଜମିକିଣାରେ କୌଣସି ଦୁର୍ନୀତି ହୋଇ ନାହିଁ ବୋଲି ରାମମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ବୋର୍ଡର କହିବା କଥା ନୀତିଗତ ଭାବେ ଓ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ ଜମି କିଣାଯାଇଛି । ଆଉ ଯେଉଁ ଜମିର ଦାମ ବଢ଼ିବା କଥା କୁହାଯାଉଛି, ତାହାର ମଧ୍ୟ କାରଣ ରହିଛି । ଜମି ବେପାରୀ ବହୁ ବର୍ଷ ତଳେ ଏହି ଜମିକୁ ୨ କୋଟିରେ କିଣିଥିଲେ । ହେଲେ ରାମମନ୍ଦିର ରାୟ ପରେ ଅଯୋଧ୍ୟାରେ ଜମିର ମୂଲ୍ୟ ବହୁ ଗୁଣା ବଢ଼ିଯାଇଛି ଓ ତେଣୁ ଅଧିକ ଦାମରେ ଜମି କିଣିବାକୁ ହୋଇଛି ବୋଲି ଟ୍ରଷ୍ଟ କହିଛି ।

କେନ୍ଦ୍ର ସରକାର ମଧ୍ୟ ଜମି କିଣାରେ କୌଣସି ଦୁର୍ନୀତି ହୋଇନଥିବା କହିଛନ୍ତି । ରାମ ମନ୍ଦିର ନିର୍ମାଣରେ ବାଧା ପହଂଚାଇବା ପାଇଁ ବିରୋଧୀଙ୍କ ପକ୍ଷରୁ ଏହା ଏକପ୍ରକାର ଚେଷ୍ଟା ହେଉଥିବା ବିଜେପି ନେତା ଅଭିଯୋଗ ଆଣିଛନ୍ତି ।

ଗତବର୍ଷ ଫେବ୍ରୁଆରୀରେ ଶ୍ରୀ ରାମଜନ୍ମଭୂମି ଟ୍ରଷ୍ଟ ଗଠନ କରାଯିବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ରାମମନ୍ଦିର ନିର୍ମାଣ କାର୍ଯ୍ୟର ତତ୍ୱାବଧାନ କରିବା ଏହି ଟ୍ରଷ୍ଟର ଦାୟିତ୍ୱ । ୨୦୧୯ ନଭେମ୍ବର ମାସରେ ଐତିହାସିକ ରାମମନ୍ଦିର ରାୟ ଆସିଥିଲା ।

ସୁପ୍ରିମକୋର୍ଟର ୫ ଜଣିଆ ବେଂଚଙ୍କ ରାୟ ରାମ ଲାଲାଙ୍କ ପକ୍ଷରେ ଯାଇଥିଲା । ବିବାଦର ମଂଜି ପାଲଟିଥିବା ୨ ଦଶମିକ ୭ ଏକର ଜମି ମନ୍ଦିର ଟ୍ରଷ୍ଟକୁ ହସ୍ତାନ୍ତର କରାଯିବାକୁ କୋର୍ଟ ରାୟ ଦେଇଥିଲେ । ଏହାସହ ଅଯୋଧ୍ୟାରେ ସୁନ୍ନି ୱାକଫ ବୋର୍ଡକୁ ମସଜିଦ ନିର୍ମାଣ ପାଇଁ ୫ ଏକର ଜମି ଯୋଗାଇବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।