ରାହୁଲଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗ, ପ୍ରତିକ୍ରିୟା ରଖିଲା ଆମେରିକା। ଘର ଛାଡ଼ିଲେ କେଉଁଠି ରହିବେ ରାହୁଲ?

11,470

କନକ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ବିଦେଶୀ ମିଡିଆ ଓ ନେତାଙ୍କ ବୟାନ ଲଗାତର ସାମ୍ନାକୁ ଆସୁଛି । ଏହାରି ଭିତରେ ରାହୁଲଙ୍କ ଲୋକସଭା ସଦସ୍ୟତା ଯିବା ପରେ ପ୍ରଥମଥର ଆମେରିକା ପ୍ରତିକ୍ର୍ରିୟା ରଖିଛି । ଆମେରିକା ବୈଦେଶିକ ବିଭାଗର ମୁଖପାତ୍ର ବେଦାନ୍ତ ପଟେଲ କହିଛନ୍ତି, ଆଇନ୍ ଓ ନ୍ୟାୟିକ ସ୍ୱାଧୀନତାର ସମ୍ମାନ ଯେକୌଣସି ଗଣତନ୍ତ୍ରର ମୂଳ ଆଧାର । ଗଣତାନ୍ତ୍ରିକ ମୂଲ୍ୟବୋଧ ସହିତ ବାକ୍ ସ୍ୱାଧୀନତା ଜରୁରୀ । ଆମେରିକା ଭାରତ ସରକାର ସହ ଯୋଗାଯୋଗରେ ଅଛନ୍ତିି । ରାହୁଲ ଗାନ୍ଧୀଙ୍କ ବହିଷ୍କାର ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ବେଦାନ୍ତ ପଟେଲ ଏହା କହିଛନ୍ତି ।

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସରକାରୀ ଘର ଖାଲିବାକୁ ଦିଆଯାଇଥିବା ନୋଟିସର ଜବାବ ଦେଇଛନ୍ତି । ଲୋକସଭା ସଚିବାଳୟର ଉପସଚିବ ମୋହିତ ରଞ୍ଜନଙ୍କୁ ଚିଠି ଲେଖିଛନ୍ତି ରାହୁଲ । ଲେଖିଛନ୍ତି, ଜନାଦେଶ ବଳରେ ବିଗତ ବର୍ଷ ଗୁଡ଼ିକରେ ୧୨ ତୁଗଲକ ଲେନରେ ବିତାଇଥିବା ସମୟ ମୋର ସବୁବେଳେ ସ୍ମୃତି ହୋଇ ରହିବ । ଲୋକସଭାର ସଦସ୍ୟ ଭାବେ ୪ଥର ନିର୍ବାଚିତ ହୋଇଛି । ମୋର ଅଧିକାରକୁ ପକ୍ଷଭୁକ୍ତ ନକରି, ମୁଁ ନିଶ୍ଚିତ ଭାବେ ଆପଣଙ୍କ ଆଦେଶକୁ ପାଳନ କରି ନୋଟିସରେ କୁହାଯାଇଥିବା ସବୁ ପଦକ୍ଷେପ ଗ୍ରହଣ କରିବି । ସେପଟେ ବଙ୍ଗଳା ଖାଲି କରିବା ପାଇଁ ରାହୁଲଙ୍କୁ ମିଳିଥିବା ନୋଟିସକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । କହିଛନ୍ତି, ଯଦି ରାହୁଲ ଗାନ୍ଧୀ ଘର ଖାଲି କରନ୍ତି, ତେବେ ନିଜ ମା’ ସୋନିଆ ଗାନ୍ଧୀ ସହ ରହିପାରିବେ । ନଚେତ୍ ମୋ ପାଖରେ ଆସି ମଧ୍ୟ ରହିପାରିବେ ।

ଲୋକସଭାରୁ ଅଯୋଗ୍ୟ ଘୋଷିତ ହେବା ପରେ ଲୋକସଭା ହାଉସିଂ କମିଟି ରାହୁଲ ଗାନ୍ଧୀଙ୍କୁ ସରକାରୀ ଘର ଖାଲି କରିବାକୁ ନୋଟିସ୍ ପଠାଇଥିଲା । ନୋଟିସ୍ ଅନୁସାରେ, ରାହୁଲଙ୍କୁ ଏପ୍ରିଲ ୨୨ ତାରିଖ ଭିତରେ ଘର ଛାଡ଼ିବାକୁ ପଡ଼ିବ ।