ଆହୁରି ରୋମାଂଚକର ହେବ ଆଇପିଏଲ ମୁକାବିଲା : ଆଜି ଦୁବାଇରେ ଖେଳାଯିବ ପ୍ରଥମ କ୍ୱାଲିଫାୟାର; ଦୁଇ ଶ୍ରେଷ୍ଠଦଳ ମୁମ୍ବାଇ ଓ ଦିଲ୍ଲୀ ମଧ୍ୟରେ ହେବ ଟକ୍କର

ଜିତିଲେ ଫିଟିବ ଫାଇନାଲ ବାଟ

166

କନକ ବ୍ୟୁରୋ : ଦୁବାଇରେ ଆୟୋଜିତ ଆଇପିଏଲ ଏବେ ତାହାର ଅନ୍ତିମ ପର୍ଯ୍ୟାୟରେ ସଫଳତାର ସହ ପାଦ ଥାପିଛି । ଦୀର୍ଘ ୪୬ ଦିନ ଓ ୫୬ ମ୍ୟାଚ ପରେ ଏହାର ପ୍ଲେଅଫ୍ ଲାଇନ୍ ଚୂଡାନ୍ତ ହୋଇଛି । ଆଇପିଏଲ ନିୟମ ଅନୁସାରେ ପ୍ରଥମ କ୍ୱାଲିଫାୟରରେ ଶ୍ରେଷ୍ଠ ଦୁଇ ଦଳ ମୁହାଁମୁହିଁ ହେବେ । ତେଣୁ ଆଜିର ପ୍ରଥମ କ୍ୱାଲିଫାୟରରେ ପଏଂଟ ଟେବୁଲର ପ୍ରଥମ ଦୁଇଟି ସ୍ଥାନରେ ଥିବା ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ହେବ । ଏହି ମ୍ୟାଚର ବିଜେତା ସିଧାସଳଖ ଫାଇନାଲରେ ପ୍ରବେଶ କରିବ । ତେବେ ପରାଜିତ ଦଳକୁ ମଧ୍ୟ ଆଉ ଏକ ସୁଯୋଗ ମିଳିବ । ଏହି ଦଳ ତୃତୀୟ ଓ ଚତୁର୍ଥ ଦଳ ମଧ୍ୟରେ ହୋଇଥିବା ପ୍ରଥମ ଏଲିମିନେଟର ମ୍ୟାଚ ବିଜେତା ସହ ଖେଳିବ ।

ନଭେମ୍ୱର ୬ ତାରିଖ ଶୁକ୍ରବାର ଏଲିମିନେଟର ମୁକାବିଲା ହେବ । ମୁହାଁମୁହିଁ ହେବେ ରୟାଲ ଚାଲେଂଜର୍ସ ବାଙ୍ଗାଲୋର-ଏବଂ ସନରାଇଜର୍ସ ହାଇଦ୍ରାବାଦ୍ । ଏହା ପରେ ନଭେମ୍ୱର ୮ ରେ ଦ୍ୱିତୀୟ କ୍ୱାଲିଫାୟର ଖେଳାଯିବ । ପ୍ରଥମ କ୍ୱାଲିଫାୟରର ପରାଜିତ ଦଳ ସହିତ ଏଲିମିନେଟର ମ୍ୟାଚର ବିଜେତା ଦଳ ଖେଳିବ ମ୍ୟାଚ୍ । ଏହି ମ୍ୟାଚର ବିଜେତା ଦଳ , କ୍ୱାଲିଫାୟର ୧ର ବିଜେତା ଦଳ ସହିତ ନଭେମ୍ୱର ୧୦ ତାରିଖରେ , ଫାଇନାଲ ମ୍ୟାଚ୍ ଖେଳିିବ । ଦୁବାଇରେ ନଭେମ୍ୱର ୧୦ ତାରିଖ ରାତି ୭ଟା ୩୦ ମିନିଟରେ ଏହି ମୁକାବିଲା ଖେଳାଯିବ ।