କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ପ୍ରମୁଖ ଦେବପୀଠକୁ ନିମନ୍ତ୍ରଣ ଦିଆଯିବ । ଦେଶର ସବୁ ଦେବାଦେବୀ ପୀଠ ଓ ଧର୍ମଗୁରୁଙ୍କୁ ଆସନ୍ତକାଲି ଠାରୁ ନିମନ୍ତ୍ରଣ ପତ୍ର ଦିଆଯିବ । ଏହିକ୍ରମରେ ପ୍ରଥମେ ମହାପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ ପତ୍ର ଦିଆଯିବ । ଏହା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯିବ ବୋଲି ସୂଚନା ମିଳିଛି । ଏଥିସହ ବିଭିନ୍ନ ଦଳଗୁଡିକ ନିଜ ଗନ୍ତବ୍ୟସ୍ଥଳ ଉଦ୍ଦେଶ୍ୟରେ ଯାତ୍ରା କରିବେ । ପୁରୀଠାରେ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀ, ଶ୍ରୀମନ୍ଦିର କର୍ତ୍ତୃପକ୍ଷ, ଛତିଶା ନିଯୋଗ ଓ ସେବାୟତଙ୍କ ଉପସ୍ଥିତିରେ ଏହି ନିଷ୍ପତି ନିଆଯାଇଛି ।
ସୂଚନା ଅନୁସାରେ ଆସନ୍ତା ୨୮ ତାରିଖରେ ସକାଳୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନିକଟରୁ ୨୩ଟି ଗାଡିରେ ନିମନ୍ତ୍ରଣର ବାର୍ତ୍ତା ନେଇ ପ୍ରତିନିଧିମାନେ ଯାତ୍ରା ଆରମ୍ଭ କରିବେ । ୧୩ଟି ଗାଡି ରାଜ୍ୟ ମଧ୍ୟରେ ବିଭିନ୍ନ ଦେବାଦେବୀ ମନ୍ଦିର, ଜଗନ୍ନାଥ ମନ୍ଦିରକୁ ଯାଇ ନିମନ୍ତ୍ରଣ କରିବେ । ସେହିପରି ଅନ୍ୟ ୧୭ଟି ଗାଡି ରାଜ୍ୟ ବାହାରକୁ ଯାତ୍ରା କରିବ । ରାଜ୍ୟ ମଧ୍ୟରେ ଚିଲିକା, ଖଲ୍ଲିକୋଟ ଓ କୋଦଳା ଅଞ୍ଚଳକୁ ପ୍ରଥମ ଦଳ ଯାତ୍ରା କରିବ । ଏହାପରେ ଅନ୍ୟ ଦଳ ବି ଯିବେ । ରାଜ୍ୟ ବାହାରେ ନୂଆଦିଲ୍ଲୀର ହଜଖାସ ଶ୍ରୀଜଗନ୍ନାଥ ମନ୍ଦିର. ମଥୁରା, ବୃନ୍ଦାବନ, ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିର ସହ ଅନ୍ୟ ପ୍ରମୁଖ ମନ୍ଦିରକୁ ନିମନ୍ତ୍ରଣ କରାଯିବ ।