ଆସନ୍ତାକାଲି ଅନ୍ତରୀଣ ବଜେଟ୍ । ଆଗକୁ ନିର୍ବାଚନ ଥିବାରୁ ହୋଇପାରେ ବଡ ଘୋଷଣା । ଅର୍ଥମନ୍ତ୍ରୀଙ୍କ ଉପରେ ନଜର ।

162

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ସରକାର ଗୁରୁବାର ଶେଷ ବଜେଟ୍ ଉପସ୍ଥାପନ କରିବେ । ବଜେଟ୍ ଅଧିବେସନ ପୂର୍ବରୁ ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି ଯେ, ଅନ୍ତରୀଣ ବଜେଟରେ କୌଣସି ବଡ଼ ଘୋଷଣା ହେବନାହିଁ । ଏଥିସହ ସଂକେତ ଦେଇଛନ୍ତି, ଆଗାମୀ ଲୋକସଭା ନିର୍ବାଚନରେ ଲଗାତର ତୃତୀୟଥର ବିଜୟ ପରେ ଜୁଲାଇରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ ମୋଦୀ ସରକାର । ସାଧାରଣ ନିର୍ବାଚନ ପୂର୍ବରୁ ଛୋଟ ଅବଧି ପାଇଁ ବଜେଟ୍ ଉପସ୍ଥାପନ ହେଉଥିବାରୁ, ଏଥିରେ ବଡ଼ ଅର୍ଥନୈତିକ ସଂସ୍କାର କରିନପାରନ୍ତି ମୋଦୀ ସରକାର । କିନ୍ତୁ ନିର୍ବାଚନୀ ବର୍ଷ ହୋଇଥିବାରୁ ଜନକଲ୍ୟାଣକାରୀ ଯୋଜନାରେ ଅଧିକ ବ୍ୟୟବରାଦ କରିପାରନ୍ତି ।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବଡ ଘୋଷଣା କରିଥିଲେ ଅର୍ଥମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱରେ ଥିବା ପୀୟୂଷ ଗୋଏଲ । ଅନ୍ତରୀଣ ବଜେଟ୍ ହୋଇଥିଲେ ମଧ୍ୟ ଚାଷୀଙ୍କ ପାଇଁ ‘ପିଏମ୍ କିଷାନ ସମ୍ମାନ ନିଧି’ ଓ ଶ୍ରମିକଙ୍କ ପାଇଁ ‘ପିଏମ ଶ୍ରମ ଯୋଗୀ ମାନଧନ ଯୋଜନା’ ଘୋଷଣା କରିଥିଲେ । ତେଣୁ ଏଥର ମଧ୍ୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବହିଖାତାକୁ ଅନାଇ ବସିଛନ୍ତି ସବୁବର୍ଗ । ଚର୍ଚ୍ଚା ହେଉଛି
ବଜେଟରୁ ବଡ଼ ଆଶା
– ପିଏମ କିଷାନ ଯୋଜନାରେ ବଢ଼ିପାରେ ସହାୟତା ରାଶି
– ଆୟୁଷମାନ ଭାରତରେ ବୀମା ରାଶି ବଢାଇବା ସମ୍ଭାବନା
– ଜୀବନବୀମା ଓ ସ୍ୱାସ୍ଥ୍ୟବୀମା ପଲିସିକୁ ଜିଏସଟିମୁକ୍ତ କରିପାରନ୍ତି
– ଆୟକରଦାତାଙ୍କ ପାଇଁ ଷ୍ଟାଣ୍ଡାର୍ଡ ଡିଡକ୍ସନ ୧ ଲକ୍ଷକୁ ବୃଦ୍ଧି ହୋଇପାରେ
– ବିତ୍ତୀୟ ନିଅଂଟ ହ୍ରାସ ଓ ଦ୍ରୁତ ଅଭିବୃଦ୍ଧି ହାସଲ ଲକ୍ଷ୍ୟରେ ଭିତ୍ତିଭୂମିରେ ବଢିପାରେ ବ୍ୟୟବରାଦ

ମୋଦୀଙ୍କ ନିର୍ବାଚନୀ ବଜେଟରେ ସବୁ ବର୍ଗକୁ ଗୁରୁତ୍ୱ ଦିଆଯିବ ବୋଲି ବିଜେପି ଦାବି କରିଥିବାବେଳେ, ଓଡିଶାକୁ ଅବହେଳା କଥା ଉଠାଇଛି ବିଜେଡି । ସେପଟେ ବିଜେପି ସରକାରଙ୍କ ବଜେଟ୍ ସବୁବେଳେ ପୁଞ୍ଜିପତିଙ୍କ ପାଇଁ ବୋଲି କହି ସମାଲୋଚନା କରିଛି କଂଗ୍ରେସ । ଗୁରୁବାର ଦିନ ୧୧ଟାରେ ଲୋକସଭାରେ ଷଷ୍ଠଥର ପାଇଁ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।