କନକ ବ୍ୟୁରୋ: ଇନସପେକ୍ଟର ଦୀପକ ଜେନା। ଜେନା ବାବୁଙ୍କ ଉପରେ ପଡିଛି ରାଜ୍ୟ ମାନବାଧିକାର କମିଶନଙ୍କ ଛାଟ । ଜେନା ବାବୁଙ୍କ କାରନାମାକୁ ନେଇ ଏବେ ପୁଲିସ ବିଭାଗ ଉଠୁଛି ପଡୁଛି । ୨୦୨୦ ମସିହା ଜାନୁୟାରୀ ୨୨ ତାରିଖ ସାଢେ ୫ଟା ସମୟରେ ଚଣ୍ଡିଖୋଲର ଶାନ୍ତିଲତା ପେଟ୍ରୋଲ ପମ୍ପ ନିକଟରେ ଗାଳି ଗୁଲଜ କରିବା ସହ ଲୁହା ରଡରେ ମାଡ ମାରିବା ଏବଂ ଧମକ ଦେଇଥିବା ଲିଖିତ ରହିଛି। ଯେଉଁଠି ଏମ.ରାଜନ.ରାଜୁ ନାମକ ଜଣେ ବ୍ୟବସାୟୀଙ୍କୁ ଅଭିଯୁକ୍ତ ଦର୍ଶାଯାଇବା ସହ ସାକ୍ଷ୍ୟ ପ୍ରମାଣ ଏକାଠି କରି ତାଙ୍କୁ ଜେଲ ପଠାଇ ଦେଇଥିଲା।
ରାଜୁ ୫ ମାସ ୭ ଦିନ ଜେଲ ଯାଇଥିଲେ। ଜେଲରୁ ବାହାରିବା ପରେ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେବା ପରେ ଖୋଲିଥିଲା ବଡଚଣା ପୁଲିସ ଆଇଆଇସି ଦୀପକ ଜେନାଙ୍କ ଅସଲ ମୁଖା। ଯେଉଁ ୨୨ ଜାନୁୟାରୀ ୨୦୨୦ରେ ରାଜୁଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା ସେହି ସମୟରେ ସେ ଚଣ୍ଡିଖୋଲରେ ନଥିଲେ। ଜାଣି ଆଶ୍ଚର୍ଯ୍ୟ ହେବେ ସେ ଭାରତ ବାହାରେ ଅର୍ଥାତ ଦୁବାଇରେ ଥିଲେ। ଦୁବାଇ ଭିସା,୨୧ ଜାନୁୟାରୀରୁ ୨୫ ଜାନୁୟାରୀ ପର୍ଯ୍ୟନ୍ତ ହୋଇଥିବା ଫ୍ଲାଇଟ ଟିକେଟ ଏବଂ ପାସପୋର୍ଟରୁ ସ୍ପଷ୍ଟ ହୋଇଥିଲା।
ଜାଣି ଆଶ୍ଚର୍ଯ୍ୟ ହେବେ ଦୁବାଇରକୁ ଭୁବନେଶ୍ୱର ଫେରିବା ପରେ, ଲକ୍ଷ୍ମୀସାଗର ସ୍ଥିତ ତାଙ୍କ ଘରୁ ପୁଲିସ ରାଜୁକୁ ଗିରଫ କରିଥିଲେ। କିନ୍ତୁ ୨୪ ଘଣ୍ଟା ପର୍ଯ୍ୟନ୍ତ ବେଆଇନ ଭାବେ ଅଟକ ରଖଥିଲେ। ଆଉ ପୁଲିସ ହେପାଜତରେ ଥିବା ସମୟରେ ରାଜୁଙ୍କ ଆକାଉଣ୍ଟରୁ ଟଙ୍କା ନେଣ ଦେଣ ମଧ୍ୟ ହୋଇଥିଲା।
କୁହାଯାଏ ପୁଲିସ ହେଉଛି ଅଖଣ୍ଡ କ୍ଷମତାର ଅଧିକାରୀ। ଜନତାଙ୍କୁ ନ୍ୟାୟ ଦେବା ପାଇଁ ଥାନାର ମୁଖିଆ ଭାବେ ଆଇଆଇସିଙ୍କୁ ଚୌକି ମିଳିଥାଏ। ପୂର୍ବରୁ କୋଭିଡ ନିୟମ ଉଲ୍ଲଘଂନ କରି ଏକ ଜବତ ଚୋରା ଗାଡିରେ ଶ୍ରୀ ମନ୍ଦିର ଯାଇଥିବାରୁ ଆଇଆଇସିଙ୍କ ନାମରେ ସିଂହଦ୍ୱାର ଥାନାରେ ମାମଲା ରୁଜୁ ହୋଇଥିଲା। ହେଲେ ଦୀପକ ଜେନା ତାଙ୍କ ଅଖଣ୍ଡ କ୍ଷମତାର ଏମିତି ଦୁରୁପଯୋଗ କରିଛନ୍ତି ଯେ, ଯାହାକୁ ନେଇ ସାରା ରାଜ୍ୟ ପୁଲିସର ମୁଣ୍ଡ ତଳକୁ ହୋଇଯାଇଛି। ଜଣେ ନିର୍ଦୋଷକୁ ଜେଲ ପଠାଇ ତାଙ୍କୁ ସାରା ଜୀବନ ପାଇଁ ଦାଗୀ ବନାଇ ଦେଇଛନ୍ତି ଆଇଆଇସି। ଆଉ ଏହିସବୁ କାରନାମା ପାଇଁ କମିଶନ ୨ ମାସ ଭିତରେ ରାଜୁଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୁରଣ ପାଇଁ ନିର୍ଦେଶ ଦେଇଛନ୍ତି।
Follow Us