ସଂକ୍ରମଣ ଚେନ ଭାଙ୍ଗିବ ସଟଡାଉନ । ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ୪୮ ଘଂଟିଆ ସଟଡାଉନ ହେଲା ଭଦ୍ରକ ଓ କୋରାପୁଟ

369

କନକ ବ୍ୟୁରୋ : ଆଜି ଠାରୁ କୋରାପୁଟ ଜିଲ୍ଲାରେ ୪୮ ଘଂଟିଆ ସଟଡାଉନ୍ । ଆଜିଠାରୁ ଆସନ୍ତାକାଲି ମଧ୍ୟରାତ୍ର ଯାଏଁ ବଳବତର ରହିବ କଟକଣା । ଜିଲ୍ଲାରେ କରୋନା ସଂକ୍ରମିତ ସଂଖ୍ୟା ୬୯୦ କୁ ବୃଦ୍ଧି ହୋଇଛି । ଏବେ ଜିଲ୍ଲାରେ ଆକ୍ଟିଭ୍ ମାମଲା ୪୬୯ ରହିଛି । ଗତକାଲି ଜିଲ୍ଲାରେ ୬୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏସବୁକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ୪୮ ଘଂଟିଆ ସଟଡାଉନ୍ ଜାରି କରିଛି ।

୪୮ ଘଂଟିଆ ସଂପୂର୍ଣ୍ଣ ସଟଡାଉନ୍ ହେବ ଭଦ୍ରକ ଜିଲ୍ଲା । ଆସନ୍ତାକାଲି ସକାଳ ୫ଟାରୁ ୩ ତାରିଖ ସକାଳ ୫ଟା ଯାଏଁ ସଟଡାଉନ୍ ରହିବ ପୁରା ଜିଲ୍ଲା । ଗତ କିଛି ଦିନ ଧରି ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ବଢୁଥିବାରୁ କଂଟାକ୍ଟ ଟ୍ରେସିଂ, କ୍ୱାରେଂଟାଇନ ଏବଂ ଆସୋଲେସନରେ ଥିବା ଲୋକଙ୍କ ଟେଷ୍ଟିଂ ଉପରେ ଅଧିକ ଫୋକସ୍ କରିବାକୁ ନିଷ୍ପତି ନେଇଛି ପ୍ରଶାସନ । ଏଥିପାଇଁ ଜିଲ୍ଲାକୁ ୪୮ ଘଂଟିଆ ସଟଡାଉନ୍ କରିବାକୁ ଘୋଷଣା କରିଛି ପ୍ରଶାସନ ।

ଏହି ସମୟରେ ଭଦ୍ରକ ଜିଲ୍ଲାରେ ସମସ୍ତ ସରକାରୀ ଓ ଅନ୍ୟ ସଂସ୍ଥା ବନ୍ଦ ରହିବ । କେବଳ ଜରୁରୀ କାଳୀନ ସେବାକୁ ଏଥିରୁ ବାଦ୍ ଦିଆଯାଇଛି । ମେଡିକାଲ, ଆଂବୁଲାନ୍ସ ସେବା, ଔଷଧ ଦୋକାନ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜରୁରୀ ସେବା ସଂସ୍ଥା, ଟେଲିଫୋନ୍, ପେଟ୍ରୋଲ ପମ୍ପ ଏବଂ ଗଣମାଧ୍ୟମ ଏହି କଟକଣାରୁ ବାଦ୍ ରହିବ ବୋଲି ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।