ଆସନ୍ତା ୨୬ ତାରିଖରେ ଭାରତ ବନ୍ଦ ଡାକରା ଦେଲା ସର୍ବଭାରତୀୟ ବ୍ୟବସାୟୀ ସଂଘ । କେନ୍ଦ୍ର ସରକାରଙ୍କ ବିଭିନ୍ନ ପଦକ୍ଷେପ ବିରୋଧରେ ବନ୍ଦ ଡାକରା ।

671

କନକ ବ୍ୟୁରୋ : ଆସନ୍ତା ୨୬ ତାରିଖରେ ଭାରତ ବନ୍ଦ ଡାକରା ଦେଲା ସର୍ବଭାରତୀୟ ବ୍ୟବସାୟୀ ସଂଘ । କେନ୍ଦ୍ର ସରକାରଙ୍କ ବିଭିନ୍ନ ପଦକ୍ଷେପକୁ ବିରୋଧ କରି ଏହି ବନ୍ଦ ଡାକରା ଦେଇଛି ବ୍ୟବସାୟୀ ସଂଘ । ତେବେ ଏହାର ପ୍ରଭାବ ଓଡିଶାରେ ମଧ୍ୟ ପଡିବ । ଏଥିରେ ଓଡିଶାର ୨୦ ଲକ୍ଷ ବ୍ୟବସାୟ ପ୍ରତିଷ୍ଠାନ ଓ ଦେଶର ୮ କୋଟି ବ୍ୟବସାୟୀ ସାମିଲ ହେବେ । ଏହି ଆନ୍ଦୋଳନ ବେଳେ ଗମନାଗମନ ପ୍ରଭାବିତ ହେବନାହିଁ ବୋଲି କହିଛନ୍ତି ଓଡିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା ।

୨୦୧୭ରେ କେନ୍ଦ୍ର ସରକାର ଆଣିଥିବା ଜିଏସଟିକୁ ବିରୋଧ କରିଛନ୍ତି ବ୍ୟବସାୟୀ ସଂଘ । ବ୍ୟବସାୟୀ ସଂଘର କହିବାନୁସାରେ ବାରମ୍ବାର କେନ୍ଦ୍ର ସରକାର ଜିଏସଟି ପରିବର୍ତ୍ତନ କରୁଛନ୍ତି, ଯାହା ଦ୍ୱାରା ଏହି ଜିଏସଟି ବ୍ୟବସାୟୀ ବିରୋଧୀ ଆଇନ ହୋଇଛି । ଏହାସହ ଏଭଳି ଆଇନ ଯୋଗୁଁ ବ୍ୟବସାୟୀଙ୍କୁ ଦୁଇଥର ଜିଏସଟି ଦେବାକୁ ପଡୁଛି ବୋଲି କହିଛି ବ୍ୟବସାୟୀ ସଂଘର ।

ସେହିପରି ଅନଲାଇନ ବ୍ୟବସାୟ ପାଇଁ ସରକାର କୌଣସି ନିର୍ଦ୍ଦିଷ୍ଟ ଆଇନ ପ୍ରଣୟନ କରିନାହାନ୍ତି । ଫଳରେ ଅନଲାଇନ ବ୍ୟବସାୟ ପାଇଁ ଅଫଲାଇନ ବ୍ୟବସାୟୀମାନେ କ୍ଷତି ସହୁଛନ୍ତି ବୋଲି ବ୍ୟବସାୟୀ ସଂଘ ଅଭିଯୋଗ କରିଛି । ଏହାସହ ଖାଦ୍ୟ ନିରାପତ୍ତା ଆଇନରେ ପ୍ରତ୍ୟେକ ବର୍ଷ ନୂତନ ଭାବେ ଅନୁମତି ନେବା ଓ ନିର୍ଦ୍ଦିଷ୍ଟ ତାରିଖରୁ ବିଳମ୍ବ ହେଲେ ୧୦୦ ଟଙ୍କା ଜରିମାନାକୁ ବିରୋଧ କରି ଭାରତ ବନ୍ଦ ଡାକରା ଦିଆଯାଇଥିବା କହିଛି ବ୍ୟବସାୟୀ ମହାସଂଘ ।