ସେନା ନେଲା ୫ ଯବାନଙ୍କ ବଳିଦାନର ପ୍ରତିଶୋଧ: ୨୪ ଘଂଟାରେ ଏନକାଉଣ୍ଟର କରି ୬ ଆତଙ୍କବାଦୀଙ୍କୁ କଲେ ନିପାତ

194

କନକ ବ୍ୟୁରୋ: ସେନା ନେଲା ସହିଦ ଯବାନଙ୍କ ବଳିଦାନର ବଦଲା । ଜାମ୍ମୁ କାଶ୍ମୀରର ଭିନ୍ନ ଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀ ଏନ୍କାଉଂଟର କରି ୬ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି । ମୃତକଙ୍କ ମଧ୍ୟରୁ କିଛି ଆତଙ୍କୀ ନିକଟରେ ଶ୍ରୀନଗରେ ହୋଇଥିବା ହତ୍ୟାକାଣ୍ଡରେ ସାମିଲ ହୋଇଥିଲେ । ସୋମବାର ଜମ୍ମୁକଶ୍ମୀର ପୁଂଚ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଜେସିଓଙ୍କ ସମେତ ୫ ଯବାନ ସହିଦ ହୋଇଥିଲେ ।

ଜମ୍ମୁ- କାଶ୍ମୀରରେ ଆତଙ୍କବାଦୀଙ୍କୁ ନିପାତ କରିବାର ସେନାର ଅଭିଯାନ ଜାରି ରହିଛି । ଗତ ୨୪ଘଂଟା ଭିତରେ ସୁରକ୍ଷାକର୍ମୀ ୬ ଆତଙ୍କୀଙ୍କୁ ନିପାତ କରିଛନ୍ତି । ଅନନ୍ତନାଗ, ବାନ୍ଦିପୋରା ଏବଂ ସୋପିଆନ୍ରେ ଏନକାଉଂଟର କରି ୬ ଆତଙ୍କବାଦୀଙ୍କୁ ନିହତ କରିଛି ଭାରତୀୟ ସେନା । କେବଳ ସୋପିଆନ୍ ଏନକାଉଂଟରରେ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି । ସେ ଗାନ୍ଦରବଲର ମୁଖତାର ଶାହ ବୋଲି ଜଣାପଡ଼ିଛି । ସେ ନିକଟରେ ଶ୍ରୀନଗରରେ ବିହାର ନାଗରୀକଙ୍କ ହତ୍ୟାକାଣ୍ଡରେ ସଂପୃକ୍ତ ଥିଲା । ପୋଲିସର ସୂଚନା ଅନୁସାରେ ଆତଙ୍କବାଦୀଙ୍କ ନିକଟରୁ ମାରଣାସ୍ତ୍ର ଜବତ କରାଯାଇଛି । ଘଟଣାସ୍ଥଳରେ ଏବେ ବି ସର୍ଚ୍ଚ ଅପରେସନ୍ ଜୋରଦାର କରାଯାଇଛି ।

ସୋମବାର ଜମ୍ମୁକଶ୍ମୀର ପୁଂଚ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଜେସିଓଙ୍କ ସମେତ ୫ ଯବାନ ସହିଦ ହୋଇଥିଲେ । ପୁଂଚଜିଲ୍ଲାର ସୁରନକୋଟ ଅଂଚଳରେ ଆତଙ୍କବାଦୀଙ୍କ ଗତିବିଧି ନେଇ ଗୁଇନ୍ଦା ସୂଚନା ପାଇବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା । ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଅଚାନକ୍ ଗୁଳିମାଡ଼ କରିଥିଲେ । ସହିଦ ଯବାନ ହେଲେ ଜେସିଓ ସଜବିନ୍ଦର ସିଂହ, ନାୟକ ମନଦୀପ ସିଂହ, ସିପାହି ଗଜ୍ଜନ ସିଂହ, ସରଜ ସିଂହ ଏବଂ ବୈଶାଖ ଏଚ୍ । ପଂଜାବ ମୁଖ୍ୟମନ୍ତ୍ରୀ ସହିଦଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।

ଗତ ୩୦ ଘଂଟା ଧରି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ୫ ଥର ଗୁଳିବିନିମୟ ହୋଇ ସାରିଲାଣି । ସେପଟେ ଆତଙ୍କବାଦୀ ଗତିବିଧିକୁ ରୋକିବା ପାଇଁ ଶ୍ରୀନଗରରେ ବିଭିନ୍ନ ଅନୁଷ୍ଠାନର ପ୍ରତିବାଦ ଜାରି ରହିଛି ।