କରୋନା ଓ ଚୀନର ମୁକାବିଲା ପାଇଁ ପ୍ରସ୍ତୁତ ଭାରତୀୟ ସେନା । ଏଲଏସିରେ ଏବେବି ଉତ୍ତେଜନାମୂଳକ ସ୍ଥିତି । ନୌସେନା ମୁଖ୍ୟ କହିଲେ, ସୀମାରେ ଜବାବ ଦେବାକୁ ସଜାଗ ସେନା

92

କନକ ବ୍ୟୁରୋ : ଲାଇନ ଅଫ ଆକଚୁଏଲ କଂଟ୍ରୋଲ ବା ପ୍ରକୃତ ନିୟନ୍ତ୍ରଣ ରେଖାରେ ଏବେବି ସ୍ଥିତି ଉତେଜନାପୂର୍ଣ୍ଣ ରହିଛି । ତେବେ ପିପୁଲ୍ସ ଲିବରେସନ ଆର୍ମିର ମୁକାବିଲା କରିବାକୁ ଭାରତ ସବୁବେଳେ ପ୍ରସ୍ତୁତ ବୋଲି ବୟାନ ଦେଇଛନ୍ତି ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂ । ଚୀନ୍ ସେନାର ସମସ୍ତ ଗତିବିଧି ଉପରେ ଭାରତ ନଜର ରଖିଥିବା କହିଛନ୍ତି ନୌସେନା ମୁଖ୍ୟ । ଏଲଏସିରେ ଚୀନ୍ ସେନା ସହ ଓ କରୋନା ମହାମାରୀ ପରି ଉଭୟ ସ୍ଥିତି ସହ ଲଢେଇ ଜାରି ଥିବା କହିଛନ୍ତି ନୌସେନା ମୁଖ୍ୟ ।

ଏହାସହ ତିନି ସେନା ପାଇଁ ପ୍ରସ୍ତାବିତ ୩୦ଟି ପ୍ରିଡେଟର ଡ୍ରୋନ୍ ଅଣାଯିବା ନେଇ ପ୍ରକ୍ରିୟା ଜାରି ରହିଥିବା ସୂଚନା ଦେଇଛନ୍ତି । ଏହି ଡ୍ରୋନ୍ ଆସିଲେ ସେନା ଅଧିକ ଶକ୍ତି ମିଳିବ ବୋଲି କହିଛନ୍ତି ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂ । ଏହାସହ ନୌସେନା ମୁଖ୍ୟ କହିଛନ୍ତି ଯେ, ଏୟାରକ୍ରାଫ୍ଟ କ୍ୟାରିୟର ବେଶ୍ ଗୁରୁତ୍ୱପୂର୍ଣ୍ଣ । ତାଙ୍କର ଏହି ମନ୍ତବ୍ୟ ବେଶ୍ ଗୁରୁତ୍ୱ ବହନ କରୁଛି ।
କାରଣ ତୃତୀୟ ଏୟାରକ୍ରାଫ୍ଟ କ୍ୟାରିୟର ଆଇଏନଏସ୍ ବିଶାଲ ନେଇ ନୌସେନା ପକ୍ଷରୁ ପ୍ରସ୍ତାବ ପୂର୍ବରୁ ଦିଆଯାଇଥିବା ବେଳେ ଏନେଇ କୌଣସି ନିଷ୍ପତି ନିଆଯାଇ ପାରି ନାହିଁ । ସେହିପରି ଡ୍ରୋନ୍ ମୁକାବିଲା କରିବା ପାଇଁ ନୌସେନା ସ୍ମାଶ୍-୨ ହଜାର ରାଇଫଲ କିଣୁଛି । ଚୀନ୍ ଆଡ଼ୁ କୌଣସି ପ୍ରକାର ବିପଦର ମୁକାବିଲା କରିବା ପାଇଁ ନୌସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଆଡମିରାଲ କରିଛନ୍ତି ।