ଲଦାଖ ସୀମାରେ ଦମ ଦେଖାଇଲା ଭାରତୀୟ ସେନା । ଫିଙ୍ଗର ଫୋର୍ ଠୁ ଅଧିକ ଉଚ୍ଚ ସ୍ଥାନକୁ କଲା କବଜା , ସେପଟେ ସାଂଘାଇ ସହଯୋଗ ସଂଗଠନ ବୈଠକରେ ଆଲୋଚନା କଲେ ଭାରତ ଓ ଚୀନର ବିଦେଶ ମନ୍ତ୍ରୀ

259

କନକ ବ୍ୟୁରୋ : ପୂର୍ବ ଲଦାଖ ସୀମାରେ ଭାରତ ଓ ଚୀନ ମଧ୍ୟରେ ଉତେଜନା ବଢି ଚାଲିଥିବା ବେଳେ ମସ୍କୋରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ମଧ୍ୟରେ ହୋଇଛି ଆଲୋଚନା । ଭାରତୀୟ ବୈଦେଶିକ ବ୍ୟାପାରମନ୍ତ୍ରୀ ଏସ ଜୟଶଙ୍କର ଓ ଚୀନ ବୈଦେଶିକ ବ୍ୟାପାର ମନ୍ତ୍ରୀ ୱାଙ୍ଗ ୟୀ ମଧ୍ୟରେ ସୀମାରେ ଚାଲିଥିବା ଉତେଜନା ନେଇ ଆଲୋଚନା ହୋଇଛି । ସେପଟେ ଚୀନର ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ ସମସ୍ୟା ସମାଧାନର ଏହା ଶେଷ ସୁଯୋଗ ବୋଲି ଉଲ୍ଲେଖ କରିଛି । ଋଷର ମଧ୍ୟସ୍ଥତାରେ ଏହାର ସମାଧାନ ହୋଇପାରିବ ବୋଲି ଏହି ଚୀନ ଗଣମାଧ୍ୟମ ଲେଖିଛି । ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଋଷ ଗସ୍ତ ଅବସରରେ ସେଠାରେ ଚୀନର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ।

କିନ୍ତୁ ପରେ ତଥାକଥିତ ଢଙ୍ଗରେ ସୀମା ବିବାଦ ପାଇଁ ଭାରତକୁ ଦାୟୀ କଲା ଚୀନ । ଏହାକୁ ଭାରତ ତୀବ୍ର ବିରୋଧ କରିଛି । ତେବେ ସାଙ୍ଘାଇ କୋଅପରେସନ ଅର୍ଗାନାଇଜେସନ୍ ବୈଠକ ଅବସରରେ ଦୁଇ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା କରିଛନ୍ତି । ସେପଟେ ସୀମାରୁ ଚୀନ ସେନାଙ୍କୁ ପଛକୁ ହଟାଇବାରେ ଲାଗିଛନ୍ତି ଭାରତୀୟ ଯବାନ । ଫିଙ୍ଗର-୪ ଠାରୁ ମଧ୍ୟ ଉଚ୍ଚ ସ୍ଥାନକୁ ନିଜ କବ୍ଜାକୁ ନେଇଛି ଭାରତୀୟ ସେନା । ସୋମବାର ଦିନ ଚୀନ ଯବାନ ଏହାର ଅତି ନିକଟକୁ ଆସିବା ସହ ତାର ବାଡକୁ କାଟି ପ୍ରବେଶ କରୁଥିବା ବେଳେ ସେମାନଙ୍କୁ ପଛକୁ ହଟାଇଛନ୍ତି ଭାରତୀୟ ଯବାନ ।