ପୂର୍ବ ଲଦାଖ ସୀମାର ପ୍ରକୃତ ନିୟନ୍ତ୍ରଣ ରେଖାରେ ଆଗକୁ ବଢୁଛି ଭାରତୀୟ ସେନା । ବ୍ଲାକ ଟପ୍ ନିକଟରେ କୁଟନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ପୋଷ୍ଟକୁ ଅକ୍ତିଆର କଲା ଭାରତ

532

କନକ ବ୍ୟୁରୋ : ନଜର ପକାଇବା ବର୍ତମାନ ସମୟର ଏକ ବଡ ଖବର ଉପରେ । ଭାରତୀୟ ସେନାକୁ ଆଉଏକ ସଫଳତା । ଭାରତ-ଚୀନ ସୀମାର ପ୍ରକୃତ ନିୟନ୍ତ୍ରଣ ରେଖାରେ ଆଗକୁ ବଢୁଛନ୍ତି ଭାରତୀୟ ଯବାନ । ଚୀନ ସେନାକୁ ମାତ ଦେଇ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଏକାଧିକ ପୋଷ୍ଟକୁ ଗୋଟିଏ ପରେ ଗୋଟିଏ କବଜା କରିବାରେ ଲାଗିଛନ୍ତି । ମିଳିଥିବା ସୂଚନା ଅନୁସାରେ ପୂର୍ବରୁ ଅକ୍ତିଆର କରିଥିବା ବ୍ଲାକ ଟପ ନିକଟରେ ଆଉଏକ ପୋଷ୍ଟକୁ କବଜା କରିନେଇଛନ୍ତି ଆଇଟିବିପିର ଯବାନ ।

ପ୍ରାୟ ୩୦ରୁ ଅଧିକ ଯବାନ ଏହି ଅଂଚଳରେ ବର୍ତମାନ ପହଂଚି ସାରିଛନ୍ତି । ଫୁରଚୁକ ଲା ପାସ ନିକଟରୁ ଆଗକୁ ବଢି ଏହି ଅଂଚଳରେ ପହଂଚିଥିରେ ଇଣ୍ଡୋ ତିବେତାନ ବର୍ଡର ପୋଲିସ ଫୋର୍ସର ଯବାନ । ପ୍ରାୟ ୪ ହଜାର ୯୯୪ ମିଟର ଉଚ୍ଚରେ ରହିଛି ଏହି ପୋଷ୍ଟ । ତେଣୁ ପେଙ୍ଗଙ୍ଗ ହ୍ରଦର ଦକ୍ଷିଣ ଉପକୂଳରେ ଚୀନ ସେନା ଉପରେ ନଜର ରଖିବା ପାଇଁ ଏହି ପୋଷ୍ଟକୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ପୂର୍ବରୁ ଆଇଟିବିପି ଯବାନ କେବଳ ପେଙ୍ଗଙ୍ଗ ହ୍ରଦର ଉତର ପଟରେ ଧ୍ୟାନଚାନ୍ଦ ପୋଷ୍ଟ ନିକଟରେ ମୁତୟନ ଥିଲେ ।