ଲଦାଖ ସୀମାରେ ଉଡୁଛି ଭାରତୀୟ ବାୟୁସେନାର ଆକାଶବୀର । ଶତ୍ରୁକୁ କଡା ଜବାବ ଦେବାକୁ ରହିଛି ପ୍ରସ୍ତୁତ : ଏଲଏସି ନିକଟରେ ଜୋରଦାର ହେଲାଣି ନାଇଟ୍ ପାଟ୍ରୋଲିଂ

328

କନକ ବ୍ୟୁରୋ : ଶତ୍ରୁକୁ ସୀମାରେ ତା ଭାଷାରେ ଜବାବ ଦେବାକୁ ପ୍ରସ୍ତୁତ ରହିଛି ଭାରତୀୟ ସେନା । ଆଖିରେ ଆଖି ମିଶାଇ ଭାରତ ଦେବ କଡା ଜବାବ । ଦିନ କଥା ଛାଡନ୍ତୁ ରାତିର ଅନ୍ଧାରରେ କୌଣସି ପ୍ରକାର ଅଘଟଣ ଘଟାଇବାକୁ ଉଦ୍ୟମ କଲେ ଭାରତୀୟ ବାୟୁସେନା ଦେବ ଏହାର ମୁହଁତୋଡ ଜବାବ । ଏନେଇ ଉଭୟ ପାକିସ୍ତାନ ଓ ଚୀନ୍ ସୀମାନ୍ତରେ ଭାରତୀୟ ବାୟୁସେନାର ନାଇଟ୍ ଅପରେସନର ବିମାନ ଏବେ ସୀମାନ୍ତରେ ଉଡିବା ଆରମ୍ଭ କରିଦେଇଛି । ଏପଟେ ପିଓକେ ସେପଟେ ଲଦାଖ । ଏପଟେ ପାକିସ୍ତାନ ତ ସେପଟେ ଚୀନ । ସୀମାକୁ ନେଇ ବାରମ୍ୱାର ଭାରତ ସହିତ ଚଳାଇ ଆସିଛନ୍ତି ଷଡଯନ୍ତ୍ର । ଲଦାଖରେ ଏଲଏସିରେ ବର୍ତମାନ ସୁଦ୍ଧା ଚୀନ୍ ସେନା ଏହାର ଷଡଯନ୍ତ୍ର ବନ୍ଦ କରିନି । ଏପରି ସ୍ଥିତିରେ ସ୍ଥଳ ସେନା ଲଦାଖ ସୀମାରେ ନଜର ରଖିଥିବା ବେଳେ ଆକାଶମାର୍ଗରୁ ରାତିରେ ନଜର ରଖୁଛନ୍ତି ଭାରତୀୟ ବାୟୁସେନାର ଏହି ଲଢୁଆ ବିମାନ ଗୁଡିକ ।

ସି ୱାନ୍ ଥାର୍ଟି ଜେ ସୁପରହରକୁଲସ୍ , ସୁଖୋଇ ୩୦ ଏମକେଆଇ ଏବଂ ୟୁସିନ୍ ୭୬, ଆଂଟନ୍ ୩୨ ଏବେ ଲଦାଖର ଉଚ୍ଚ ପାହାଡିଆ ଘାଟିର ଆଗୁଆ ଘାଟିରେ ଅଭ୍ୟାସ ଜୋରଦାର କରିଦେଇଛି । ପାକିସ୍ତାନ ପଟେ ୫୦ କିମି ଏବଂ ଚୀନ୍ ପଟେ ଦୌଲତବେଗ୍ ଓଲଡି ଯାହାକି ଚୀନ୍ ସୀମାରୁ ୮୦ କିମି ଦୂରରେ ରହିଛି । ଚୀନ ପଟରୁ କୌଣସି ପ୍ରକାର ଅନୁପ୍ରବେଶ କିଂବା ଆକ୍ରମଣ ସ୍ଥିତି ଉପୁଜିଲେ ଏହି ଫାଇଟର ବିମାନ ଦେବ କଡା ଜବାବ ।

ଆଖି ପିଛୁଳାକେ ଶତ୍ରୁ ପକ୍ଷର ସୈନ୍ୟ ଠିକଣା ଧୂଳିସାତ୍ କରିଦେବ । ବିଶେଷ କରି ଭାରତୀୟ ସେନା ଏହାକୁ ରାତ୍ରି କାଳୀନ ପାଟ୍ରେଲିଂରେ ବ୍ୟବହାର କରୁଛି । ଯାହାକି ଶତ୍ରୁ ପକ୍ଷର ରାଡାରରେ ମଧ୍ୟ ଆସିବା କଷ୍ଟକର । ଭାରତ ଏବେ ଏହାର ଫରୱାର୍ଡ ଏୟାରବେସ ଗୁଡିକରେ ଏହି ବିମାନକୁ ଅଧିକ ସଂଖ୍ୟାରେ ମୁତୟନ କରିଛି । ଚୀନ୍ ଏହାର ସୀମାରେ ଅତିରିକ୍ତ ସାମରିକ ବଳ ମୁତୟନ କରିବା ପରଠାରୁ କୌଣସି ସ୍ଥିତିର ମୁକାବିଲା କରିବାକୁ ଭାରତ ଏପରି ଆଭିମୁଖ୍ୟ ଗ୍ରହଣ କରିଛି ।