ଚମୋଲି ଦୁର୍ଘଟଣା : ତପୋବନ ସୁଡଙ୍ଗରୁ ମିଳିଲା ୫ ଶବ । ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୪୩ କୁ ବୃଦ୍ଧି

67

କନକ ବ୍ୟୁରୋ :  ଉତ୍ତରାଖଣ୍ଡ ଚମୋଲିରେ ଫେବୃଆରୀ ୭ ତାରିଖ ଦିନ ହିମସ୍କଳନ ଘଟଣାରେ ମୃତ୍ୟୁ ସଂଖ୍ୟା ୪୩କୁ ବୃଦ୍ଧି ପାଇଛି । ତପୋବନ ସୁଡଙ୍ଗ ମଧ୍ୟରେ ଉଦ୍ଧାରକାରୀ ଦଳ ଲଗାତର ଭାବେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ରବିବାର ଦିନ ସୁଡଙ୍ଗ ଭିତରୁ ୫ ଟି ମୃତଦେହ ଉଦ୍ଧାର କରାଯାଇଛି । ଏହି ୫ ଜଣଙ୍କୁ ମିଶାଇ ହିମସ୍କଳନ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୪୩ ରେ ପହଂଚିଛି ।

ଶନିବାର ଦିନ ଚମୋଲି ଜିଲ୍ଲା ଅଧିକାରୀ ସ୍ୱାତୀ ଏସ୍ ଭଦୋରିଆ କହିଥିଲେ କି ଏନଟିପିସି ଟର୍ନେଲରେ ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ଧାରକାରୀ ଦଳ ଦ୍ୱାରା ୧୩୬ ମିଟର ପର୍ଯ୍ୟନ୍ତ ଖୋଳା ହୋଇଛି । ଶୁକ୍ରବାର ଦିନ ଏହି ଟର୍ନେଲ ଭିତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ନିଖୋଜ ଥିବା ୨୦୪ ଜଣଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୪୩ ଲୋକଙ୍କ ଶବଉଦ୍ଧାର କରାଯାଇଛି । ଏହା ସହ ୨ ଜଣ ଲୋକଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି ।

ରବିବାର ୫ ଟି ଶବ ଉଦ୍ଧାର ହେବା ପରେ ମୃତକଙ୍କ ସଂଖ୍ୟା ୪୩ ରେ ପହଂଚିଛି । ଆହୁରି ୧୬୧ ଜଣ ଲୋକ ଏବେ ବି ନିଖୋଜ ରହିଥିବା ବେଳେ ଉଦ୍ଧାରକାରୀ ଦଳ ମାଧ୍ୟମରେ ଏବେ ସୁଡଙ୍ଗ ଭିତରୁ ପାଣି ଓ ପଙ୍କ ସଫା କରିବା କାମ ଜାରି ରହିଛି । ଅନ୍ୟପଟେ ହିମସ୍କଳନ ଫଳରେ ଚମୋଲି ଜିଲ୍ଲାରେ ଜନ ଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡିଛି । ଗାଁ ଗାଁ ମଧ୍ୟରେ ଯୋଗା ଯୋଗ ବିଛିନ୍ନ ହୋଇପଡିଥିବା ବେଳେ ଆଇଟିବିପି ପକ୍ଷରୁ ଗାଁ ମାନଙ୍କରେ ସହାୟତା କେନ୍ଦ୍ର ଖୋଲି ଲୋକମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉଛି ।