କନକ ବ୍ୟୁରୋ : ପ୍ରସବ ମାଆ ଓ ନବଜାତ ଶିଶୁକୁ ଛାଡି ଚାଲିଗଲେ ଶାଶୁଘର ଲୋକେ । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା । ସୂଚନା ଅନୁସାରେ ବିଞ୍ଝାରପୁର ଥାନା ମଧୁସୁଦନପୁର ପଞ୍ଚାୟତ ଘାଟକୂଳ ଗାଁର ଡଲି ମଲ୍ଲିକ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ନଗାମଠ ଗାଁର ଚନ୍ଦନ ମଲ୍ଲିକଙ୍କୁ ୨୦୨୧ ମସିହାରେ ପ୍ରେମ ବିବାହ କରିଥିଲେ । ବିବାହ ପରଠାରୁ ସ୍ୱାମୀ ଓ ସ୍ତ୍ରୀଙ୍କ ଭିତରେ ବିବାଦ ଲାଗି ରହୁଥିଲା । ଗତ ୧ ତାରିଖରେ ଡଲିଙ୍କ ପ୍ରସବ ପାଇଁ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ ଶାଶୁ ଘର ଲୋକେ । ଏହାପରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ ଡଲି ।
କିନ୍ତୁ ପିଲା ଜନ୍ମ ହେବା ପରଠାରୁ ସ୍ୱାମୀ ଚନ୍ଦନଙ୍କ ସମେତ ଶାଶୁଘର ଲୋକେ ଡାକ୍ତରଖାନା ଛାଡି ପଳାଇଥିବା ଅଭିଯୋଗ ହୋଇଛି । ଡଲି ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ବି ନାନା ବାହାନା ଦେଖାଇ କେହି ଆସୁ ନାହାଁନ୍ତି । ସେପଟେ ପ୍ରେମ ବିବାହ କରିଥିବାରୁ ଡଲିଙ୍କ ବାପଘର ଲୋକେ ବି ଆସିଲେ ନାହିଁ । ଶେଷରେ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ମାଆ ଓ ଶିଶୁ ପୁତ୍ରଙ୍କୁ ସଖୀ ଘରେ ରଖାଯାଇଛି ।