ପଞ୍ଚାୟତ ନିର୍ବାଚନରେ ଡିଜିଟାଲ ପ୍ରଚାର ଉପରେ ଗୁରୁତ୍ୱ । ଫ୍ଲେକସ୍, ବ୍ୟାନର ତିଆରି କେନ୍ଦ୍ରରେ ଲାଗୁଛି ଭିଡ଼

88

କନକ ବ୍ୟୁରୋ: କୋଭିଡ ନିୟନ୍ତ୍ରଣ ମଧ୍ୟରେ ନିର୍ବାଚନ ପ୍ରଚାର ଚାଲିଛି । କଟକଣା ଅନୁଯାୟୀ ପ୍ରାର୍ଥୀ ନିଜ ପାଇଁ ସମର୍ଥନ ଜୁଟାଇବା ପାଇଁ ଘର ଘର ବୁଲୁଥିବା ବେଳେ ସଭାସମିତି କିମ୍ବା ଶୋଭାଯାତ୍ରା ରେ ବାହାରିବା ନିଷେଧ କରାଯାଇଛି । ତେବେ ଏହା କାହା ପାଇଁ ପୁଷ ମାସ ତ ଆଉ କାହା ପାଇଁ ସର୍ବନାଶ ସାଜିଛି ।

ଚଳିତ ବର୍ଷର ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଏଥର ଡିଜିଟାଲ ପ୍ରଚାର ଉପରେ ଗୁରୁତ୍ୱ ଦିଆଯାଉଛି । ପ୍ରାର୍ଥୀ ପୋଷ୍ଟର , ବ୍ୟାନର ଓ ପ୍ରଚାରପତ୍ର ଉପରେ ଅଧିକ ନିର୍ଭରଶୀଳ ହୋଇଛନ୍ତି । ଫଳରେ ଫ୍ଲେକ୍ସ, ବ୍ୟାନର ତିଆରି କରୁଥିବା କେନ୍ଦ୍ର ଗୁଡିକରେ ଭିଡ଼ ଦେଖିବାକୁ ମିଳୁଥିବା କହିଛନ୍ତି କୋରାପୁଟ ସେମିଳିଗୁଡାରେ ଥିବା ରୀତିକ୍ରୀତ ଗ୍ରାଫିକ୍ସର ମାଲିକ କ୍ଷୀରୋଦ ଭୋଳ । ଏପରିକି ଏସବୁ ପ୍ରସ୍ତୁତ କରି ପ୍ରାର୍ଥୀଙ୍କୁ ଯୋଗାଇଦେବା ପାଇଁ ଅଧିକ କାମ କରିବାକୁ ପଡୁଥିବା ସେ କହିଛନ୍ତି । ସେହିପରି ସାମାଜିକ ଗଣମାଧ୍ୟମରେ ପ୍ରଚାରଯୋଗ୍ୟ ଡିଜାଇନ କରିବା ପାଇଁ କମ୍ପ୍ୟୁଟର ଦୋକାନରେ ଭିଡ଼ ଲାଗିଛି ।

ଗୋଟିଏ ପଟେ ଫ୍ଲେକ୍ସ ତିଆରି କେନ୍ଦ୍ର ଓ କମ୍ପ୍ୟୁଟର ଦୋକାନ ଗୁଡିକରେ ଆୟ ବୃଦ୍ଧି ଘଟିଛି । ଅନ୍ୟପଟେ ପ୍ରଚାର ପାଇଁ ମଞ୍ଚ ନିର୍ମାଣକୁ ଅନୁମତି ନଥିବାରୁ ଟେଣ୍ଟହାଉସ କର୍ମଚାରୀମାନେ ହାତବାନ୍ଧି ବସିଛନ୍ତି । କୋଭିଡ଼ କଟକଣାରେ ଗତ ୨ ବର୍ଷ ହେବ ଆୟ କମିଯାଇଥିବା ବେଳେ ଟେଣ୍ଟହାଉସ ଗୁଡିକ ପଞାୟତ ନିର୍ବାଚନରେ ଦୁଇ ପଇସା ରୋଜଗାର କରିବାର ଆଶା ରଖିଥିଲେ । ହେଲେ ଏବେ ସେମାନେ ଚିନ୍ତାରେ । ଲାଇଟ ଓ ସାଉଣ୍ଡ ଯୋଗାଇ ଦେଉଥିବା ବ୍ୟବସାୟୀଙ୍କ ମଧ୍ୟ ସମାନ ଅବସ୍ଥା ।