କମ୍ ରହିଲା ପବନର ବେଗ, ହେଲେ ବର୍ଷାରେ ବୁଡିଲା ଉତ୍ତର ଓଡ଼ିଶା । ପାଣିରେ ବୁଡିଲା ଅନେକ ଉପକୂଳିଆ ଗାଁ ।

221

କନକ ବ୍ୟୁରୋ : ବାତ୍ୟା ୟାସ୍, ସାଥିରେ ଆଣିଥିବା ବର୍ଷା ଏବେ ଅଭାବନୀୟ ସ୍ଥିତି ସୃ୍ଷ୍ଟି କରିଛି । ସମୁଦ୍ର ଉପକୂଳ ଗୁଡ଼ିକରେ ଥିବା ଗାଁ ଏବଂ ନଈକୂଳିଆ ଗାଁ ଗୁଡ଼ିକରେ ମାଡ଼ି ଆସିଛି ପାଣି । ବର୍ଷା ଯୋଗୁଁ ଅନେକ ଅଂଚଳ ଜଳବନ୍ଦୀ ହୋଇରହିଛି । ଯଦିଓ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । କିନ୍ତୁ ସେମାନଙ୍କ ଘରଦ୍ୱାର ପାଣି ଘେରରେ ରହିଛି । ବିଶେଷ କରି ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି ।

ବାତ୍ୟା ଆସିଲା, ଚାଲିଗଲା, ଆଉ ସାଥିରେ ଆଣିଥିବା ବର୍ଷା ଦୁଃଖ ଦେଇଗଲା । ବାତ୍ୟା ୟାସର ପ୍ରଭାବରେ ଏବେ ପାଣି ଘେରରେ ଗାଁ । ରାସ୍ତା କେଉଁଠି ନଦୀ କିମ୍ବା ସମୁଦ୍ର କେଉଁଠି ଜାଣିବା କଷ୍ଟକର । ବାଲେଶ୍ୱର ବସ୍ତା ଓ ବାଲିଆପାଳ ବ୍ଲକର ସମୁଦ୍ର ଉପକୂଳବର୍ତ୍ତି ଗାଁ ଗୁଡ଼ିକରେ ବର୍ଷା ପାଣି ପଶିଛି । ଲଗାଣ ବର୍ଷା ଯୋଗୁଁ ଜଳବନ୍ଦୀ ଅବସ୍ଥାରେ ରହିଛି ଗାଁ ।

ବାତ୍ୟାରେ ଅଧିକ ପ୍ରଭାବିତ ହୋଇଥିବା ଭଦ୍ରକ ଜିଲ୍ଲାରେ ବି ସମାନ ଚିତ୍ର । ଧାମରା ଏବଂ ଏହାର ନିକଟବର୍ତି ଗାଁ ଗୁଡ଼ିକରେ ଜମି ରହିଛି ପାଣି । ଯେତେଦୂର ଆଖି ପାଉଛି, ସବୁଠି ଖାଲି ପାଣି ଓ ପାଣି । ଭୋଗରାଇ ଅଂଚଳର ଚିତ୍ର ଆହୁରି ଚିନ୍ତାଜନକ । ଏଠାରେ ସହର ଭିତରେ ପାଣି ଜମି ରହିଛି । ରାସ୍ତା ଉପରେ ୪ ଫୁଟର ବର୍ଷା ଜଳ ପ୍ରବାହିତ ହେଉଛି । ପରିସ୍ଥିତି ଏମିତି ହୋଇଛି ଯେ, ଗାଁ, ସହର, ସମୁଦ୍ର ଓ ନଦୀ ଏକାକାର ହୋଇଯାଇଛି । ଚାରିଆଡେ ପାଣି ଭର୍ତି ହୋଇ ରହିଛି ।

ବାଲେଶ୍ୱର ଜାମକୁଣ୍ଡା ପଂଚାୟତର ତାଳପଦା ଗାଁରେ ପ୍ରବଳ ବେଗରେ ପାଣି ପଶିବାର ଚିତ୍ର କ୍ୟାମେରାରେ କଏଦ ହୋଇଛି । କଚା ବନ୍ଧ ଭାଙ୍ଗି ସମୁଦ୍ରର ଉଛୁଳା ପାଣି ଗାଁରେ ଘୁ ଘୁ ଗର୍ଜନ କରି ପଶିବାରେ ଲାଗିଛି । ବାଲେଶ୍ୱର ବାଲିଆପାଳର ପାକମୁଣ୍ଡି ଗାଁ ତଳିଆ ଅଂଚଳରେ ରହିଛି । ଏହି ଗାଁ ଭିତରେ ପାଣି ପଶିଯାଇଥିବା ବେଳେ ଲୋକେ ଅଂଟାଏ ପାଣିରେ ପଶି ଯାତାୟାତ କରୁଛନ୍ତି ।

ବାରିପଦା ସହରରେ ବି ପଡ଼ିଛି ବାତ୍ୟା ୟାସ୍ ପ୍ରଭାବ । ପ୍ରବଳ ପବନ ସାଙ୍ଗକୁ ବର୍ଷା ହୋଇଛି । ପବନରେ ଗଛ ଗୁଡିକ ରାସ୍ତା ଉପରେ ଉପୁଡି ପଡିଛି । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଗଛ କାଟି ରାସ୍ତା ସଫା କରିବା କାମ ଜାରି ରହିଛି । ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବିଭାଗ ଟିମ୍ ରାସ୍ତା ସଫା କାମରେ ଲାଗିଛନ୍ତି ।

Comments are closed.