ସର୍ବଦଳୀୟ ବୈଠକରେ ମୋଦିଙ୍କ ଘୋଷଣା । କରୋନା ଟିକା ପାଇଁ ଆଉ କରିବାକୁ ପଡିବନି ପ୍ରତୀକ୍ଷା । କିଛି ସପ୍ତାହ ମଧ୍ୟରେ ମିଳିବ ଟିକା

467

 କନକ ବ୍ୟୁରୋ : ଦେଶରେ ଏବେ କରୋନା ଭୂତାଣୁ ପୁଣି ମାଡି ଚାଳିଛି । ଲଗାତର ଭାବେ କିଛି ରାଜ୍ୟରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଚାଲିଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି । ଏନେଇ କେନ୍ଦ୍ରସରକାରଙ୍କ ପକ୍ଷରୁ କରୋନା ମୁକାବିଲା ଓ ଟିକାକରଣ ବାବଦରେ ଏକ ସର୍ବଦଳୀୟ ବୈଠକ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ । ଏହି ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନ ଟିକା ପାଇଁ ଆମକୁ ଆଉ ଅଧିକ ଦିନ ଅପେକ୍ଷା କରିବାକୁ ପଡିବ ନାହିଁ । କିଛି ସପ୍ତାହ ମଧ୍ୟରେ ଭାରତକୁ ଆସିଯିବ କରୋନା ଟିକା ।
ହେଲେ ଏହି ବୈଠକରେ କରୋନ ଟିକା ଆସିବା ପରେ କହାକୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବ ସେନେଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ଟିକା ଆସିଲେ ପ୍ରଥମେ ବୟସ୍କ ବ୍ୟକ୍ତି, କରୋନା ଯୋଦ୍ଧାଙ୍କୂୁ ପ୍ରାଥମିକତା ଭିତ୍ତିରେ ପ୍ରଦାନ କରାଯିବ । ମୋଦି କହିଛନ୍ତି କି ଏବେ ୮ ଟିକା କମ୍ପାନୀ ସେମାନଙ୍କର ଟିକାକୁ ଟ୍ରାଏଲ ଅବସ୍ଥାରେ ରଖିଛନ୍ତି । ଆଶା କରାଯାଉଛି କି କିଛି ସପ୍ତାହ ମଧ୍ୟରେ ଟିକାକୁ ନେଇ ଶୁଭ ଖବର ମିଳିବ । ବୈଜ୍ଞାନିକ ମାନଙ୍କ ଠାରୁ ଅନୁମତି ମିଳିବା ପରେ ତୁରନ୍ତ ଟିକାକରଣ ଆରମ୍ଭ କରାଯିବ ବୋଲି ପ୍ରଧାନମନ୍ତ୍ରୀ ସର୍ବଦଳୀୟ ବୈଠକରେ ସୂଚନା ଦେଇଛନ୍ତି । ଏହାସହ ମୋଦିଙ୍କ ସୂଚନା ମୁତାବକ ଦେଶରେ ଏକ ବିଶେଷ ସଫ୍ଟୱୋର କାମ କରୁଛି ଯାହା ସମସ୍ତଙ୍କ ନିକଟରେ ଟିକା ପହଂଚାଇବାରେ ସହାୟକ ହେବ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟତିତ ରକ୍ଷାମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ୍ ଶାହା, ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ସାମିଲ ହୋଇଥିଲେ ।
କୋଭିଡ-୧୯ ମହାମାରୀ ଆରମ୍ଭ ହେବା ଠାରୁ ଏହା ଦ୍ୱିତୀୟ ସର୍ବଦଳୀୟ ବୈଠକ । ଯେଉଁଥିରେ କି କରୋନା ମହାମାରୀ ଉପରେ ଚର୍ଚ୍ଚା ହୋଇଛି । ଏହି ବୈଠକରେ ସଂସଦରେ ଶୀତକାଳୀନ ଅଧିବେଶନ ପାଇଁ ଆଲୋଚନା ହୋଇପାରେ  ଓ ଶୀତକାଳୀନ ଅଧିବେସନକୁ ବଜେଟ୍ ଅଧିବେଶନ ସହିତ ଯୋଡିବାକୁ ସରକାର ବିରୋଧୀ ମାନଙ୍କୁ ପ୍ରସ୍ତାବ ଦେଇ ପାରନ୍ତି ।