ଓମିକ୍ରନରେ ଆକ୍ରାନ୍ତ ହେବା ପରେ ବି ପୁନଃ ସଂକ୍ରମଣର ଆଶଙ୍କା ୩ ଗୁଣା ଅଧିକ । ସତର୍କ କଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ।

Advertisment
ଓମିକ୍ରନରେ ଆକ୍ରାନ୍ତ ହେବା ପରେ ବି ପୁନଃ ସଂକ୍ରମଣର ଆଶଙ୍କା ୩ ଗୁଣା ଅଧିକ । ସତର୍କ କଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ।

କନକ ବ୍ୟୁରୋ : ଦେଶବ୍ୟାପୀ ଓମିକ୍ରନ୍‌ ମାମଲା ବଢ଼ୁଛି। ଅନ୍ୟ ପ୍ରଜାତି ତୁଳନାରେ କୋଭିଡର ଓମିକ୍ରନ୍‌ ପ୍ରଜାତି ଅଧିକ ସଂକ୍ରାମକ। ଯଦି ସଂକ୍ରମଣ ନିୟନ୍ତ୍ରଣ ପାଇଁ ସଠିକ୍‌ ପଦକ୍ଷେପ ଗ୍ରହଣ ନହୁଏ ତେବେ ତୃତୀୟ ଲହର ଆସିଯିବ ବୋଲି ଆଇଏମ୍‌ଏ (ଇଣ୍ଡିଆନ ମେଡିକାଲ ଆସୋସିଏସନ୍‌) କହିଛି। ଦେଶରେ ଏଯାବତ ୨୩ ଜଣ ଓମିକ୍ରନ୍‌ ପ୍ରଜାତିରେ ଆକ୍ରାନ୍ତ ହୋଇଛନ୍ତି। ଉପଲବ୍ଧ ହୋଇଥିବା ବୈଜ୍ଞାନିକ ପ୍ରମାଣ ଏବଂ ଓମିକ୍ରନ୍‌ ଉତ୍ପତ୍ତି ହୋଇଥିବା ରାଷ୍ଟ୍ରରେ ଥିବା ପ୍ରମାଣକୁ ଆଧାର କଲେ ଏହା ଜଣାପଡ଼ୁଛି ଯେ, ଏହା ଅତ୍ୟନ୍ତ କ୍ଷୀପ୍ର ଗତିରେ ବ୍ୟାପୁଛି ଏବଂ ଅଧିକରୁ ଅଧିକ ଲୋକଙ୍କୁ ଏହା ପ୍ରଭାବିତ କରିବ।

ଭାରତ ଏବେ ସ୍ବାଭାବିକ ସ୍ଥିତିକୁ ଆସିଛି। କିନ୍ତୁ ଓମିକ୍ରନ୍‌ ପାଇଁ ଏବେଠାରୁ ସତର୍କ ନହେଲେ ଆଗକୁ ଅତି ବିପଜ୍ଜନକ ସ୍ଥିତି ଉପୁଜିବ। ଏଥିପାଇଁ ଖୁବ୍‌ ଶୀଘ୍ର ଆମକୁ ତୃତୀୟ ଲହର ଦେଖିବାକୁ ପଡ଼ିପାରେ ବୋଲି ଆଇଏମଏ ଅଧିକାରୀମାନେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା ଓମିକ୍ରନ୍‌ ପ୍ରଜାତି ଏବେ ୩୪ରୁ ଅଧିକ ରାଷ୍ଟ୍ରକୁ ବ୍ୟାପି ସାରିଲାଣି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାକୁ ଏକ ଚିନ୍ତାଜନକ ପ୍ରଜାତି ଭାବେ ଘୋଷଣା କରିଛନ୍ତି। ଦେଶରେ ଓମିକ୍ରନ୍‌ ଚିହ୍ନଟ ହୋଇଥିବା ରାଜ୍ୟମାନଙ୍କରେ କଟକଣା କଡ଼ାକଡ଼ି ହୋଇଛି। କେନ୍ଦ୍ର ସରକାର ମଧ୍ୟ ଗତ ୧ ତାରିଖରୁ ନୂଆ ନିର୍ଦ୍ଦେଶାବଳି କାର୍ଯ୍ୟକାରୀ କରିଛନ୍ତି।

ଓମିକ୍ରନ୍‌ ପ୍ରଜାତିରେ ପୁନଃ ସଂକ୍ରମଣ ହେବା ଆଶଙ୍କା ୩ ଗୁଣା ଅଧିକ: ‘ହୁ’

କରୋନାର ଡେଲ୍‌ଟା ପ୍ରଜାତି ତୁଳନାରେ ଓମିକ୍ରନ୍‌ ପ୍ରଜାତି ଅତ୍ୟନ୍ତ ସଂକ୍ରାମକ। ଓମିକ୍ରନ୍‌ ପ୍ରଜାତିରେ ଆକ୍ରାନ୍ତ ହେବାର ୯୦ ଦିନ ପରେ ବି ପୁନଃ ସଂକ୍ରମଣ ହେବା ଆଶଙ୍କା ୩ ଗୁଣା ଅଧିକ ରହିଛି। ଡେଲଟା ତୁଳନାରେ ଓମିକ୍ରନ୍‌ ପ୍ରଜାତିରେ ସଂକ୍ରମିତ ହୋଇଥିଲେ ସଂକ୍ରମଣର ୯୦ ଦିନ ପରେ ପୁନଃ ସଂକ୍ରମଣ ହେବାର ସମ୍ଭାବନା ୩ ଗୁଣା ଅଧିକ ରହିଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଡାକ୍ତର ସୌମ୍ୟା ସ୍ବାମୀନାଥନ କହିଛନ୍ତି। ଓମିକ୍ରନ୍‌ ପ୍ରଜାତି ଯୋଗୁଁ ସଂକ୍ରମଣ ବୃଦ୍ଧି ହେଉଛି। କିନ୍ତୁ ହସ୍ପିଟାଲ୍‌ରେ ରୋଗୀଙ୍କ ସଂଖ୍ୟା ବଢ଼ୁନି।

ତେବେ ଏବିଷୟରେ ଅଧିକ ସ୍ପଷ୍ଟ ହେବାପାଇଁ ଆଉ ୨ କିମ୍ବା ୩ ସପ୍ତାହ ଅପେକ୍ଷା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଡାକ୍ତର ସୌମ୍ୟା ସ୍ବାମୀନାଥନ କହିଛନ୍ତି, ଓମିକ୍ରନ୍‌ ଯୋଗୁଁ ଦକ୍ଷିଣ ଆଫ୍ରିକାରେ ସଂକ୍ରମଣ ବଢ଼ିଚାଲିଛି ଏବଂ ସପ୍ତାହକରେ ସଂକ୍ରମଣ ୫ ଗୁଣ ବଢ଼ିଛି। ଶିଶୁଙ୍କ ପାଇଁ ଅଧିକ ଟିକା ନାହିଁ। ମାତ୍ର ଅଳ୍ପ କିଛି ଦେଶ ଶିଶୁଙ୍କ ପାଇଁ ଟିକାକରଣ ଆରମ୍ଭ କରିଛନ୍ତି।

ତେଣୁ ଟିକାକରଣ ହୋଇନଥିବାରୁ ଶିଶୁଙ୍କ ମଧ୍ୟରେ ସଂକ୍ରମଣ ବଢ଼ୁଛି ବୋଲି ସେ କହିଛନ୍ତି। ଡାକ୍ତର ସୌମ୍ୟା ସ୍ବାମୀନାଥନ କହିଛନ୍ତି, ଆମେ ସମାନ ଭାଇରସ୍‌ ସହ ଲଢ଼ୁଛେ ତେଣୁ ସଂକ୍ରମଣ ନିୟନ୍ତ୍ରଣ ପାଇଁ ପଦକ୍ଷେପ ବି ସମାନ ହେବା ଉଚିତ୍‌ । ବିଶ୍ବରେ ଏବେ ୨୫ଟି ରାଷ୍ଟ୍ରରେ ଅତି କମ୍ ଟିକାକରଣ ହୋଇଛି ବୋଲି ଡାକ୍ତର ସୌମ୍ୟା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe