ଚାଷଜମିରେ ନଦୀର ଭ୍ରମ । କୋରାପୁଟ ବୋରିଗୁମ୍ମା ବ୍ଲକରେ ବର୍ଷା ପାଣିରେ ଏକର ଏକର ଜମିରେ ମାଡିଗଲା ପାଣି

100

କନକ ବ୍ୟୁରୋ : ଚାଷଜମିରେ ମାଡିଗଲା ବନ୍ୟା ପାଣି । ଏକର ଏକର ଚାଷ ଜମି ପାଣି ଘେରରେ । କେଉଁଠି ରୁଆ ଧାନ ପଚିଗଲାଣି ତ କେଉଁଠି ଧାନ ତଳି ଭସାଇ ନେଇଗଲାଣି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକରେ । ଜିଲ୍ଲାରେ ଲାଗିରହିଥିବା ଲଗାଣ ବର୍ଷାରେ ପଲି ନାଳ ଓ ଇନ୍ଦ୍ରାବତୀ ନଦୀରେ ବନ୍ୟାର ପ୍ରକୋପ ବୃଦ୍ଧି ପାଇଛି । ଫଳରେ ବ୍ଲକର ଦେଙ୍ଗପଦର, ସମାଗୁଡା, ପଟିଗାଁ, ଚାନ୍ଦୁଆ ଗାଁରେ ଏକର ଏକର ଚାଷ ଜମିରେ ବନ୍ୟା ପାଣି ମାଡିଯାଇଛି । ଫଳରେ ଚାଷୀ ଚିନ୍ତାରେ ଅଛନ୍ତି ।

ସେପଟେ ପ୍ରବଳ ବର୍ଷା ନେଇ ଆଜି ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ରହିଛି । କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ସୁନ୍ଦରଗଡ ଏବଂ ଦେବଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି କନ୍ଧମାଳ, ବୌଦ୍ଧ, ସୋନପୁର, ଅନୁଗୁଳ, ଢେଙ୍କାନାଳ, ଯାଜପୁର ଏବଂ ବାଲେଶ୍ୱର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସବୁ ବନ୍ଦର ଗୁଡିକରେ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି ।  ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି  । ବର୍ତମାନ ଲଘୁଚାପ ବର୍ଷାରୁ ମୁକ୍ତି ମିଳିନଥିବା ବେଳେ ଆସନ୍ତା ୨୩ ତାରିଖରେ ଆଉ ଏକ ଲଘୁଚାପ ସମ୍ଭାବନା ରହିଛି । ପାଣିପାଗ ବିଭାଗର ଏପରି ପୂର୍ବାନୁମାନ ଚାଷୀ କୂଳଙ୍କୁ ପୁଣି ଚିନ୍ତାରେ ପକାଇଛି ।